ଦେବଦୂତ ସାଜି ଯୁବକକୁ ମୃତ୍ୟୁ ମୁଖରୁ ଉଦ୍ଧାର କଲେ ଆଞ୍ଚଳିକ ପ୍ରଶାସନିକ ଅଧିକାରୀ।
କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ଥାନା ଅନ୍ତର୍ଗତ ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଓ ଅବିଶ୍ୱନୀୟ ଘଟଣା। ଦେବଦୂତ ସାଜି ଯୁବକକୁ ମୃତ୍ୟୁ ମୁଖରୁ ଉଦ୍ଧାର କରିଛନ୍ତି ଆଞ୍ଚଳିକ ପ୍ରଶାସନିକ ଅଧିକାରୀ ଏବଂ ଏହାର ସୂତ୍ରଧରସାଜିଥିଲେ ବଡ଼ବିଲ ଥାନା ଅଧିକାରୀ ଅଶୋକ କୁମାର ନାୟକ। ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁ ଗ୍ରାମ ନିକଟରେ ଏକ ଯୁବକ ଆତ୍ମହତ୍ୟା କରିବା ଉଦ୍ଦେଶ୍ୟରେ ଏକ ଏଲେକ୍ଟ୍ରି ଟାୱାର ଉପରେ ଚଢ଼ିଥିବା ନେଇ ବଡ଼ବିଲ ଥାନା ଅଧିକାରୀ କୌଣସି ସୂତ୍ରରୁ ଖବର ପାଇଥିଲେ। କାଳ ବିଳମ୍ବ ନକରି ସଙ୍ଗେ ସଙ୍ଗେ ନିଜ ସହକର୍ମୀ ଙ୍କୁ ନେଇ ଘଟଣା ସ୍ଥଳରେ ପହଞ୍ଚିବା ସହ ବଡ଼ବିଲ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ଓ ବଡ଼ବିଲ ମାଜିଷ୍ଟ୍ରେଟ ତଥା ବଡ଼ବିଲ ତହସିଲଦାର ରାକେଶ କୁମାର ପଣ୍ଡାଙ୍କୁ ମଧ୍ୟ ପରିସ୍ଥିତି ସମ୍ପର୍କରେ ଅବଗତ କରାଇଥିଲେ। ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ଓ ମାଜିଷ୍ଟ୍ରେଟ ପହଞ୍ଚିଥିଲେ। ବହୁ ସମୟ ବୁଝାସୁଝା କରିବାପରେ ଯୁବକ ଜଣକୁ ମୂର୍ମୂଷ ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ବଡ଼ବିଲ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଯୁବକ ଜଣକ ବଡ଼ବିଲ ଥାନା ଅନ୍ତର୍ଗତ ପି ଏଚ ଡି ଅଞ୍ଚଳର ଅର୍ଜୁନ ଗୋପ ହୋଇଥିବା ବେଳେ ଘରୋଇ କଳହ କାରଣରୁ ଏଭଳି ଘଟଣା ଭିଆଇଥିବା ନେଇ ସୂଚନା। ସମୟ ଥାଉଥାଉ ଦେବଦୂତ ସାଜି ବଡ଼ବିଲ ଥାନା ଅଧିକାରୀ ଅଶୋକ କୁମାର ନାୟକ ସମୟ ଉପଯୋଗୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଯୋଗୁ ଯୁବକ ଜଣକ ନିଶ୍ଚିତ ମୃତ୍ୟୁ ମୁଖରୁ ଉଦ୍ଧାର ପାଇଥିଲା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



