ଢେଙ୍କାନାଳରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ; ୩,୦୧,୫୪୨ ହିତାଧିକାରୀ ହେବେ ଉପକୃତ
ଢେଙ୍କାନାଳ, ତା. ୧୨ ଜୁନ ୨୦୨୬: ରାଜ୍ୟ ସରକାରଙ୍କ ପକ୍ଷରୁ ଖାଦ୍ୟ ନିରାପତ୍ତା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ ଆଜି ଢେଙ୍କାନାଳ ଜିଲ୍ଲାର ଆର୍ଟ ଆଣ୍ଡ କ୍ରାଫ୍ଟ ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲାଇଭ ଷ୍ଟ୍ରେମିଙ୍ଗ ମାଧ୍ୟମରେ ଘୋଷଣା କରିଛନ୍ତି ଯେ, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍ଏଫ୍ଏସ୍ଏ) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସ୍ଏଫ୍ଏସ୍ଏସ୍) ଅଧୀନରେ ଥିବା ହିତାଧିକାରୀମାନେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଅଧୀନରେ ପ୍ରତି ମାସରେ ମାଗଣାରେ ମୋଟ ୧୦ କିଲୋଗ୍ରାମ ଚାଉଳ ପାଇବେ। ପୂର୍ବରୁ ମିଳୁଥିବା ଚାଉଳ ସହ ରାଜ୍ୟ ସରକାରଙ୍କ ପକ୍ଷରୁ ଅତିରିକ୍ତ ୫ କିଲୋଗ୍ରାମ ଚାଉଳ ପ୍ରଦାନ କରାଯିବ। ଏହି ସମ୍ପ୍ରସାରିତ ଯୋଜନା ଦ୍ୱାରା ରାଜ୍ୟର ପ୍ରାୟ ୩.୨୮ କୋଟି ଲୋକ, ଅର୍ଥାତ୍ ରାଜ୍ୟର ପ୍ରାୟ ୮୦ ପ୍ରତିଶତ ଜନସଂଖ୍ୟା, ଉପକୃତ ହେବେ।
ଢେଙ୍କାନାଳ ଜିଲ୍ଲାରେ ଏହି ଯୋଜନା ଅଧୀନରେ ମୋଟ ୩,୦୧,୫୪୨ ଜଣ ହିତାଧିକାରୀ ଉପକୃତ ହେବେ।
ଜିଲ୍ଲାସ୍ତରୀୟ ଏହି କାର୍ଯ୍ୟକ୍ରମରେ ପରଜଙ୍ଗ ବିଧାୟକ ଶ୍ରୀ ବିଭୂତି ଭୂଷଣ ପ୍ରଧାନ, କାମାକ୍ଷାନଗର ବିଧାୟକ ଶ୍ରୀ ଶତ୍ରୁଘ୍ନ ଜେନା, ଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ୱର ପାଟିଲ, ପୌରାଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର, ମାନ୍ୟବର ସାଂସଦଙ୍କ ପ୍ରତିନିଧି ଶ୍ରୀ ନରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଦୀପ୍ତି ରଞ୍ଜନ ସେଠୀ, ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ରାମଚନ୍ଦ୍ର ଟୁଡୁ ପ୍ରମୁଖ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମରେ ଅତିଥିମାନଙ୍କ ଦ୍ୱାରା ଜିଲ୍ଲାର କେତେକ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା କାର୍ଡ ବଣ୍ଟନ କରାଯାଇଥିଲା।
ସେହିପରି, କାର୍ଯ୍ୟକ୍ରମରେ ୧୦ ଜଣ ଅଙ୍ଗନବାଡ଼ି କର୍ମୀଙ୍କୁ ମୋବାଇଲ ଫୋନ୍ ବଣ୍ଟନ କରାଯାଇଥିଲା। ଜିଲ୍ଲାର ମୋଟ ୨,୨୨୩ ଜଣ ଅଙ୍ଗନବାଡ଼ି କର୍ମୀ ପର୍ଯ୍ୟାୟକ୍ରମେ ମୋବାଇଲ ଫୋନ୍ ପାଇବେ, ଯାହା ଦ୍ୱାରା ସେମାନଙ୍କ ସେବା ପ୍ରଦାନ ଓ ଡିଜିଟାଲ କାର୍ଯ୍ୟ ପରିଚାଳନା ଅଧିକ ସୁଗମ ହେବ।
ଏହି କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟ ସରକାରଙ୍କ ଖାଦ୍ୟ ନିରାପତ୍ତା ସୁନିଶ୍ଚିତ କରିବା ସହ ଜନକଲ୍ୟାଣମୂଳକ ଯୋଜନାଗୁଡ଼ିକର ସଫଳ ରୂପାୟନ ପ୍ରତି ପ୍ରତିବଦ୍ଧତାର ପୁନର୍ବ୍ୟକ୍ତି ହୋଇଥିଲା।
