ରାଷ୍ଟ୍ରପତିଙ୍କ ହସ୍ତରେ ସନ୍ତ କବୀର ଓ ଜାତୀୟ ହସ୍ତତନ୍ତ ପୁରସ୍କାର-୨୦୨୫ ପ୍ରଦାନ
ନୂଆଦିଲ୍ଲୀ, ୮ ଅଗଷ୍ଟ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରରେ ଆୟୋଜିତ ୧୨ତମ ଜାତୀୟ ହସ୍ତତନ୍ତ ଦିବସ ଉତ୍ସବରେ ଯୋଗଦେଇ ସନ୍ତ କବୀର ହସ୍ତତନ୍ତ ପୁରସ୍କାର ଏବଂ ଜାତୀୟ ହସ୍ତତନ୍ତ ପୁରସ୍କାର-୨୦୨୫ ପ୍ରଦାନ କରିଛନ୍ତି। ଏହି ଅବସରରେ ଭାରତର ସମୃଦ୍ଧ ହସ୍ତତନ୍ତ ପରମ୍ପରାକୁ ଉତ୍ସର୍ଗ କରି ଚାରିଟି ସ୍ମାରକ ଡାକ ଟିକେଟ ମଧ୍ୟ ଉନ୍ମୋଚନ କରାଯାଇଛି।
କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଥିଲେ ଯେ, ହସ୍ତତନ୍ତ ଭାରତର ସଭ୍ୟତା ଓ ସଂସ୍କୃତିର ଏକ ଅବିଚ୍ଛିନ୍ନ ଅଂଶ। ଏହା ଦେଶର ବିବିଧତା, ଆଞ୍ଚଳିକ ପରିଚୟ, ମହିଳା ସଶକ୍ତିକରଣ, ରୋଜଗାର ସୃଷ୍ଟି ଏବଂ ପ୍ରକୃତି ପ୍ରତି ଭଲପାଇବାର ପ୍ରତୀକ। ସ୍ୱାଧୀନତା ସଂଗ୍ରାମରେ ମଧ୍ୟ ହସ୍ତତନ୍ତର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା।
ସେ କହିଥିଲେ ଯେ, ୭ ଅଗଷ୍ଟ ୧୯୦୫ରେ ଆରମ୍ଭ ହୋଇଥିବା ସ୍ୱଦେଶୀ ଆନ୍ଦୋଳନର ସ୍ମୃତିରେ ୨୦୧୫ ମସିହାରୁ ପ୍ରତିବର୍ଷ ୭ ଅଗଷ୍ଟକୁ ଜାତୀୟ ହସ୍ତତନ୍ତ ଦିବସ ଭାବେ ପାଳନ କରାଯାଉଛି। ଏହା ଭାରତର ସାଂସ୍କୃତିକ ଏକତା ଓ ହସ୍ତତନ୍ତ କ୍ଷେତ୍ରର ବିକାଶ ପ୍ରତି ସରକାର ଏବଂ ବୁଣାକାରମାନଙ୍କ ସାମୂହିକ ପ୍ରୟାସର ପ୍ରତିଫଳନ ବୋଲି ସେ କହିଥିଲେ।
ରାଷ୍ଟ୍ରପତି ଯୁବ ଉଦ୍ୟୋଗୀ, ଡିଜାଇନର ଓ ଷ୍ଟାର୍ଟଅପ୍ମାନଙ୍କୁ ହସ୍ତତନ୍ତ କ୍ଷେତ୍ର ସହ ଯୋଡ଼ିବା ଉପରେ ଗୁରୁତ୍ୱ ଦେଇ କହିଥିଲେ ଯେ, ଆଧୁନିକ ପ୍ରଯୁକ୍ତି, ନୂତନ ଡିଜାଇନ ଓ ଇ-କମର୍ସ ମାଧ୍ୟମରେ ଭାରତୀୟ ହସ୍ତତନ୍ତକୁ ବିଶ୍ୱ ବଜାରରେ ଆହୁରି ସୁଦୃଢ଼ କରାଯାଇପାରିବ।
ସନ୍ତ କବୀର ହସ୍ତତନ୍ତ ପୁରସ୍କାର ହେଉଛି ଦେଶର ସର୍ବୋଚ୍ଚ ହସ୍ତତନ୍ତ ସମ୍ମାନ, ଯାହା ଉତ୍କୃଷ୍ଟ କାରିଗରୀ ଓ ଆଜୀବନ ଅବଦାନ ପାଇଁ ପ୍ରଦାନ କରାଯାଏ। ସେହିପରି ଜାତୀୟ ହସ୍ତତନ୍ତ ପୁରସ୍କାର ପାରମ୍ପରିକ କଳାକୁ ସଂରକ୍ଷଣ କରି ନୂତନତ୍ୱ ଓ ଉତ୍କର୍ଷ ପ୍ରଦର୍ଶନ କରିଥିବା ବୁଣାକାର ଓ ଅନ୍ୟ ସହଯୋଗୀଙ୍କୁ ସମ୍ମାନିତ କରାଯାଏ।



