Spread the love

ଖାଦ୍ୟ ପ୍ରକ୍ରିୟାକରଣରେ ନୂଆ ପରିଚୟ ଗଢ଼ିବ ଓଡ଼ିଶା: ନିବେଶକଙ୍କୁ ଆହ୍ୱାନ କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ, ୮ ଅଗଷ୍ଟ: ରାଜ୍ୟକୁ ଦେଶର ଏକ ପ୍ରମୁଖ ଫୁଡ୍ ପ୍ରୋସେସିଂ ହବ୍ ଭାବେ ଗଢ଼ି ତୋଳିବା ପାଇଁ ଓଡ଼ିଶା ସରକାର ଦୃଢ଼ ପଦକ୍ଷେପ ନେଇଛନ୍ତି। ଦିଲ୍ଲୀରେ ଆୟୋଜିତ ‘ଓଡ଼ିଶା ଫୁଡ୍ ପ୍ରୋ–୨୦୨୬’ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦେଶର ପ୍ରମୁଖ ଶିଳ୍ପପତି ଓ ନିବେଶକଙ୍କ ସହ ଆଲୋଚନା କରି ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ବୃହତ୍ ପୁଞ୍ଜିନିବେଶ ପାଇଁ ଆହ୍ୱାନ ଜଣାଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ୫୭୫ କିଲୋମିଟର ଦୀର୍ଘ ସମୁଦ୍ର ଉପକୂଳ ଓଡ଼ିଶା ପାଇଁ ଏକ ବଡ଼ ଶକ୍ତି। ଏହାକୁ ଆଧାର କରି ବ୍ଲୁ ଇକୋନୋମିର ବିକାଶ ଉପରେ ସରକାର ବିଶେଷ ଗୁରୁତ୍ୱ ଦେଉଛନ୍ତି। ରେଳ ଓ ବନ୍ଦର ଭିତ୍ତିଭୂମିର ସଦୁପଯୋଗ କରି ଖାଦ୍ୟ ସାମଗ୍ରୀର ରପ୍ତାନିକୁ ଆହୁରି ସୁଗମ କରାଯିବ ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ଓଡ଼ିଶାର କୃଷି ଓ ଉଦ୍ୟାନ କୃଷି ଉତ୍ପାଦକୁ ମୂଲ୍ୟଯୁକ୍ତ ଉତ୍ପାଦରେ ପରିଣତ କରି ଚାଷୀଙ୍କ ଆୟ ବୃଦ୍ଧି କରିବା ସରକାରଙ୍କ ଲକ୍ଷ୍ୟ। କୋରାପୁଟ କଫି ଜାତୀୟ ସ୍ତରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ ଏଭଳି ସ୍ଥାନୀୟ ଉତ୍ପାଦକୁ ବିଶ୍ୱ ବଜାରରେ ପହଞ୍ଚାଇବା ପାଇଁ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇବ ବୋଲି ସେ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *