ମାନ୍ୟବର ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀଙ୍କ ଏକ ଦିନିକିଆ ଅନୁଗୋଳ ଗସ୍ତ

ଅନୁଗୋଳ,ତା.୦୭.୦୮:- ମାନ୍ୟବର ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ଅନୁଗୋଳ ଜିଲ୍ଲା ଗସ୍ତ କରି ଆଠମଲ୍ଲିକ ଠାରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ, ଭିଭିପ୍ରସ୍ତର ସ୍ଥାପନ ଏବଂ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ୍ ଅତର ମାନ୍ୟବର ମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହଯୋଗ କରିଥିଲେ । ଗସ୍ତର ଆରମ୍ଭରେ ମାନ୍ୟବର ମନ୍ତ୍ରୀ ଆଠମଲ୍ଲିକର ରାଜା ସ୍ବର୍ଗତ ପ୍ରଦୀପ ଚନ୍ଦ୍ର ଦେଓଙ୍କ ଦ୍ବାଦଶ କର୍ମରେ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁରର ମାନ୍ୟବର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ତଥା ମାନ୍ୟବର ପାଳଲହଡା ବିଧାୟକ ଶ୍ରୀ ଅଶୋକ ମହାନ୍ତି, ପୂର୍ବତନ ମନ୍ତ୍ରୀ ଶ୍ରୀ ସଂଜିବ କୁମାର ସାହୁ ମଧ୍ୟ ଏହି ଦ୍ବାଦଶ କର୍ମରେ ଉପସ୍ଥିତ ଥିଲେ ।

ମାନ୍ୟବର ମନ୍ତ୍ରୀ ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ପଦ୍ମପୋଖରୀ ଗ୍ରାମ ଠାରେ ମହାନଦୀ କୋଇଲା ଖଣିର ସି.ଏସ୍.ଆର ପାଣ୍ଠି ସହାୟତାରେ ୭.୧୯ କୋଟି ଟଙ୍କା ବ୍ୟୟରେ ବିଭିନ୍ନ ଜନହିତକର ପ୍ରକଳ୍ପର ଲୋକାର୍ପଣ କରିଥିଲେ । ପ୍ରାୟ ୧.୫୭ କୋଟି ଟଙ୍କା ବ୍ୟୟରେ ବରଟିକିରା ଠାରୁ ଟାଙ୍ଗିଆନିଶା ଏବଂ ୩.୭୮ କୋଟି ଟଙ୍କା ବ୍ୟୟରେ ଟାଙ୍ଗିଆନିଶା ଛତିଆ ସାହି ଠାରୁ ପଦ୍ମପୋଖରୀ ପର୍ଯ୍ୟନ୍ତ ନୂତନ ରାସ୍ତା ପାଇଁ ଭିତ୍ତ ପ୍ରସ୍ତର ସ୍ଥାପନ କରିଥିଲେ । ସେହିପରି ପଶୁଡାକ୍ତରଖାନା ଛକ ଠାରୁ ମହାନଦୀ ସେତୁ ପର୍ଯ୍ୟନ୍ତ ୧.୬୨ କୋଟି ଟଙ୍କା ବ୍ୟୟରେ ଆଲୋକିକରଣ ବ୍ୟବସ୍ଥାର ଶୁଭ ଊଦଘାଟନ କରିଥିବାବେଳେ ୨୨ ଲକ୍ଷ ଟଙ୍କା ମୂଲ୍ୟରେ ଦୁର୍ଗା ମନ୍ଦିର ପୁନରୁଦ୍ଧାର କାର୍ଯ୍ୟର ଶୁଭାରମ୍ଭ କରିଥିଲେ । ଏହାବ୍ୟତୀତ ପରିବେଶକୁ ସବୁଜ ଓ ପ୍ରଦୂଷଣ ମୁକ୍ତ ବାର୍ଷା ନେଇ ମା’ ପାଇଁ ଗଛ ଟିଏ ଅଭିଯାନରେ ମାନ୍ୟବର ମନ୍ତ୍ରୀ ବୃକ୍ଷ ରୋପଣ କରିଥିଲେ । ଏହାସହିତ ବ୍ଲକ୍ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର ଅଭିଯୋଗ ଶୁଣାଣି ବୈଠକରେ ଯୋଗ ଦେଇ ଜନସାଧାରଣଙ୍କ ବିଭିନ୍ନ ସମସ୍ୟାର ତ୍ବରିତ ସମାଧାନ ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ । ଏହି ଗସ୍ତ ସମୟରେ ଆଠମଲ୍ଲିକ ଊପଜିଲ୍ଲାପାଳ ଶ୍ରୀ ଉପେନ୍ଦ୍ର ଲୋହା, ଆଠମଲ୍ଲିକ ଗୋଷ୍ଠୀ ଊନ୍ନୟନ ଅଧିକାରୀ ଶ୍ରୀ ଟିଟସ୍ ମହାନନ୍ଦିଆଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।




