
କଟକ SCB ମେଡିକାଲରେ ଭୟଙ୍କର ଅଗ୍ନିକାଣ୍ଡ! ଅଣନିଃଶ୍ୱାସୀ ହୋଇ କିଛି ଗୁରୁତର ରୋଗୀଙ୍କ ମୃତ୍ୟୁ — ପୋଲିସ କମିଶନରଙ୍କ ସୂଚନା ପରେ ସାରା ରାଜ୍ୟରେ ଶୋକର ଛାୟା | କଟକ ବଡ଼ ମେଡିକାଲ (SCB) ପରିସରରେ ଆଜି ଏକ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଯାଇଛି। ଏହି ଦୁର୍ଘଟଣାରେ କିଛି ଗୁରୁତର ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଅନେକ ରୋଗୀଙ୍କ ଅବସ୍ଥା ଏବେ ବି ସଂକଟାପନ୍ନ ରହିଛି। ହସ୍ପିଟାଲରୁ ମିଳିଥିବା ସୂଚନା ଅନୁଯାୟୀ, ଅଚାନକ ନିଆଁ ଲାଗିବା ଫଳରେ ଚାରିଆଡ଼େ ଧୂଆଁ ବ୍ୟାପି ଯାଇଥିଲା। ଅତି ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ରୋଗୀମାନେ ନିଆଁ ଓ ଧୂଆଁରେ ଅଣନିଃଶ୍ୱାସୀ ହୋଇପଡ଼ିଥିଲେ। ଫଳରେ କିଛି ରୋଗୀଙ୍କ ଜୀବନ ଚାଲିଯାଇଛି। ପୋଲିସ କମିଶନରଙ୍କ ବୟାନ: ପୋଲିସ କମିଶନର ନିଜେ ଏହି ଘଟଣାରେ କିଛି ରୋଗୀଙ୍କ ମୃତ୍ୟୁ ହୋଇଥିବା ନେଇ ସ୍ପଷ୍ଟ କରିଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଏବେ ବି ଅନେକ ରୋଗୀଙ୍କ ଜୀବନ ବିପଦରେ ରହିଛି। ସେହି ସମୟରେ ହସ୍ପିଟାଲ ପରିସରରେ ରୋଗୀଙ୍କ ସମ୍ପର୍କୀୟଙ୍କ କାନ୍ଦବୋବାଳି ଶୁଣିବାକୁ ମିଳିଥିଲା। ନିଜ ଆତ୍ମୀୟଙ୍କୁ ସୁରକ୍ଷିତ ବାହାର କରିବା ପାଇଁ ଲୋକେ ଏପଟ ସେପଟ ଦୌଡୁଥିବାର ଦେଖାଯାଇଥିଲା। ଏତେ ବଡ଼ ସରକାରୀ ହସ୍ପିଟାଲରେ ଅଗ୍ନି ନିର୍ବାପକ ବ୍ୟବସ୍ଥା କିଭଳି ଥିଲା ଏବଂ ନିଆଁ ଲାଗିବାର ଅସଲ କାରଣ କଣ, ତାହାର ଉଚ୍ଚସ୍ତରୀୟ ତଦନ୍ତ ହେବା ଆବଶ୍ୟକ। ହସ୍ପିଟାଲର ସୁରକ୍ଷା ବ୍ୟବସ୍ଥା ଉପରେ ଏବେ ଉଠିଛି ବଡ଼ ପ୍ରଶ୍ନବାଚୀ।

