ଜିଲ୍ଲା ସ୍ତରୀୟ ଓଡିଶା ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳିତ


ଅନୁଗୋଳ,ତା.୦୧.୦୪: ପବିତ୍ର ଓଡିଶା ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସ ଆଜି ଅନୁଗୋଳରେ ମହା ସମାରୋହରେ ପାଳିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ଦ୍ବାରା ସ୍ଥିରୀକୃତ ମୁଖ୍ୟ ଅତିଥି ଭାବେ ମାନ୍ୟବର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗ ଦେଇ ଓଡିଶାର ବରପୁତ୍ରମାନଙ୍କର ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

ଏହି ଅବସରରେ ସ୍ଥାନୀୟ ସଭାଘର ଠାରେ ଆୟୋଜିତ ଏକ ସାଧାରଣ ସଭାରେ ସେ ଯୋଗ ଦେଇ ବରପୁତ୍ରମାନଙ୍କର ତ୍ୟାଗ, ବଳିଦାନ ଓ କର୍ତ୍ତବ୍ୟନିଷ୍ଠାକୁ ସ୍ମରଣ କରି ଊନ୍ନତ ଜାତି ହିସାବରେ ଗୌରବର ସହ କାର୍ଯ୍ୟ କରିବାକୁ କହିଥିଲେ ।ଅନୁଗୋଳର ବିକାଶ ଦିଗରେ ସରକାରଙ୍କ ଯୋଜନାଗୁଡିକ ସଠିକ୍ ରୂପେ ରୁପାୟନ କରିବାକୁ ପ୍ରଶାସନକୁ ପରାମର୍ଶ ଦେଇଥିଲେ ।

ଏହି ଅବସରରେ ସମ୍ମାନୀତ ଅତିଥି ଭାବେ ମାନ୍ୟବର ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ମାନ୍ୟବର ଛେଣ୍ଡିପଦା ବିଧାୟକ ଶ୍ରୀ ଅଗସ୍ତି ବେହେରା,ଅନୁଗୋଳ ପୌରପାଳିକାର ଅଧ୍ୟକ୍ଷ ଶ୍ରୀ ଅକ୍ଷୟ କୁମାର ସାମନ୍ତ ଯୋଗ ଦେଇ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାଗୁଡିକ ମାଧ୍ୟମରେ ସମୃଦ୍ଧ ଓଡିଶା ଗଠନ ପାଇଁ ସଙ୍କଳ୍ପ ନେବାକୁ କହିଥିଲେ ।ଅନୁଗୋଳ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ସରକାର ପ୍ରତିଶୃତିବଦ୍ଧ ବୋଲି ମଧ୍ୟ କହିଥିଲେ । ଏହି କାର୍ଯ୍ୟକ୍ରମର ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ଡ.ଧରଣୀଧର ନାଥ ଯୋଗ ଦେଇ ଭାଷା ଭିତ୍ତିକ ପ୍ରଥମ ରାଜ୍ୟ ଭାବେ ସ୍ବତନ୍ତ୍ର ଓଡିଶା ଗଠନର ର ବିଭିନ୍ନ ଐତିହାସିକ ଘଟଣାକ୍ରମ ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ମାନ୍ୟବର ଢେଙ୍କାନାଳ ସାଂସଦଙ୍କ ପ୍ରତିନିଧି ଶ୍ରୀ ପ୍ରଭାତ କୁମାର ପ୍ରଧାନ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିବାବେଳେ ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ୍ ଅଖତର ସଭାପତିତ୍ବ କରିଥିଲେ ।

ଏହା ସହ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର ସ୍ବାଗତ ଭାଷଣ ଦେଇଥିବାବେଳେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ । ଓଡିଶା ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସ ଉପଲକ୍ଷେ ଏକ ଫଟୋଚିତ୍ର ପ୍ରଦର୍ଶନୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ପ୍ରତ୍ୟୁଷରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ତରଫରୁ ଡାକବାଜୀ ଯନ୍ତ୍ର ମାଧ୍ୟମରେ ସହରରେ ରାମଧୁନ କରାଯାଇଥିଲା । ସକାଳ ୮ ଘଟିକା ସମୟରେ ସ୍ଥାନୀୟ ଗୋପବନ୍ଧୁ ପାର୍କ ଠାରେ ମାନ୍ୟବର ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ୍ ଅଖତର ଓ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଓଡିଶାର ବରପୁତ୍ର ମାନଙ୍କୁ ମାଲ୍ୟାର୍ପଣ କରିଥିଲେ । ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଏହି ଦିବସ ଉପଲକ୍ଷେ ଏକ ରକ୍ତ ଦାନ ଶିବିର ଆୟୋଜନ କରାଯାଇଥିଲା । ଶ୍ରୀ ରଞନ କୁମାର ବେହେରା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଜୟଜିତ୍ ଧଳ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।




