ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ ପକ୍ଷରୁ ‘ଆର୍କ-ଜିଆଇଏସ୍’ ଉପରେ ତିନିଦିନିଆ କର୍ମଶାଳା ଉଦ୍ଯାପିତ

ଭୁବନେଶ୍ୱର, ୨୫ ସେପ୍ଟେମ୍ବର:
ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ଅନ୍ତର୍ଗତ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ (DE&S) ପକ୍ଷରୁ ଚନ୍ଦ୍ରଶେଖରପୁରସ୍ଥିତ ମଧୁସୂଦନ ଦାସ ଆଞ୍ଚଳିକ ଆର୍ଥିକ ପରିଚାଳନା ଏକାଡେମୀ (MDRAFM) ଠାରେ ଆୟୋଜିତ ତିନିଦିନିଆ କ୍ଷମତା ବିକାଶ କର୍ମଶାଳା ଆଜି ସଫଳତାର ସହ ଉଦ୍ଯାପିତ ହୋଇଯାଇଛି। ‘ଆର୍କ-ଜିଆଇଏସ୍ ବ୍ୟବହାର କରି ଭୂ-ସ୍ଥାନିକ ବିଶ୍ଳେଷଣ’ (Geospatial Analysis using ArcGIS) ଶୀର୍ଷକ ଏହି କର୍ମଶାଳାଟି ବିଶ୍ୱବ୍ୟାଙ୍କ ସହାୟତାପ୍ରାପ୍ତ ଓଡ଼ିଶା ରାଜ୍ୟ କ୍ଷମତା ଓ ସ୍ଥିତିସ୍ଥାପକତା ଅଭିବୃଦ୍ଧି କାର୍ଯ୍ୟକ୍ରମ (OSCRGP) ଅଧୀନରେ ଅନୁଷ୍ଠିତ ହୋଇଥିଲା।
ଏହି ଉଦ୍ଯାପନୀ ଉତ୍ସବରେ ଯୋଜନା ଓ ସଂଯୋଜନ ବିଭାଗ ଯୁଗ୍ମ ଶାସନ ସଚିବ ଶ୍ରୀ ଅନୁଜ କୁମାର ଦାସ ପଟ୍ଟନାୟକ, ଅତିରିକ୍ତ ଶାସନ ସଚିବ ଶ୍ରୀ ପ୍ରଦ୍ୟୁମ୍ନ ମହାକୁଡ଼ ଏବଂ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶକ ଶ୍ରୀ ମାନସ ରଞ୍ଜନ ସାମଲ ଉପସ୍ଥିତ ରହି ପ୍ରଶିକ୍ଷାର୍ଥୀଙ୍କ ସହ ଆଲୋଚନା କରିଥିଲେ। ପରିସଂଖ୍ୟାନ କାର୍ଯ୍ୟରେ ଆଧୁନିକ ଜିଆଇଏସ୍ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ନୀତି ନିର୍ଦ୍ଧାରଣ ଓ ବିକାଶମୂଳକ ଯୋଜନାକୁ ଅଧିକ ପ୍ରଭାବଶାଳୀ କରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏହି ପ୍ରଶିକ୍ଷଣ ଶିବିରରେ DE&S, RIPA&E&S, DPMU, OCAC ଏବଂ ORSAC ର ପ୍ରତିନିଧିମାନଙ୍କ ସମେତ ସମୁଦାୟ ୩୮ ଜଣ ପ୍ରତିଭାଗୀ ଓ ସମ୍ବଳ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ।
