Spread the love

ଶ୍ରୀ ଦଧିବାମନ ମନ୍ଦିର ର ନୂତନ ଟ୍ରଷ୍ଟ ବୋର୍ଡ଼ ର ବୈଠକ

ଭଟଲି (ଅଭିମନ୍ୟୁ ପଧାନ ): ସ୍ଥାନୀୟ ଶ୍ରୀ ଦଧୂବାମନ ସ୍ଵାମୀଙ୍କ ମନ୍ଦିର ପଶ୍ଚିମ ଓଡ଼ିଶାର ଶ୍ରୀକ୍ଷେତ୍ର ଭାବେ ପରିଚିତ। ରାଜ୍ୟ ସରକାରଙ୍କ ଓଡ଼ିଶା ହିନ୍ଦୁ ଧାର୍ମିକ ଦେବୋତ୍ତର ବିଭାଗ ଅଧୀନରେ ଶ୍ରୀ ଦଧୂବାମନ ମନ୍ଦିର ରହିଛି ସରକାରୀ ଅନୁମୋଦିତ ଏକ ପରିଚାଳନା ଟ୍ରଷ୍ଟବୋର୍ଡ ଦ୍ବାରା ମନ୍ଦିର ପରିଚାଳିତ ହେଉଛି। ଭଟଲି ବିଧାୟକ ଭାବରେ ଇରାଶିଷ ଆଚାର୍ଯ୍ୟ ୨୦୨୪ରେ ନିର୍ବାଚିତ ହେବାପରେ ଶ୍ରୀ ଦଧୂବାମନ ମନ୍ଦିର ନିମନ୍ତେ ବିଭିନ୍ନ ଉନ୍ନତିମୂଳକ ପଦକ୍ଷେପ ନେବା ସହିତ ଏକ ନୂତନ ଟ୍ରଷ୍ଟ ବୋର୍ଡ ଗଠନ ପାଇଁ ସ୍ବତନ୍ତ୍ର ଆଗ୍ରହ ପ୍ରକାଶ କରିଥିଲେ। ତେବେ ଶ୍ରୀ ଆଚାର୍ଯ୍ୟଙ୍କ ପ୍ରଚେଷ୍ଟା କ୍ରମେ ଏହା ସମ୍ପୂର୍ଣ ହୋଇଥିବା ଦେଖାଯାଇଛି । ଦେବୋତ୍ତର ବିଭାଗର ନିର୍ଦେଶ ଚିଠି ସଂଖ୍ୟା ୪୪୬(୧୬) ଅନୁଯାୟୀ ଆଗାମୀ ଦୁଇ ବର୍ଷ ପାଇଁ ଏକ ନୂତନ ଟ୍ରଷ୍ଟ ବୋର୍ଡ ଗଠନ ପାଇଁ ନିର୍ଦେଶ ଜାରି କରାଯାଇଛି। ଏହି ନୂତନ ଟ୍ରଷ୍ଟ ବୋର୍ଡରେ ନିୟମାନୁଯାୟୀ ବରଗଡ ଉପଜିଲାପାଳ, ଭଟଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଭଟଲି ତହସିଲଦାର, ଭଟଲି ଥାନାଧୂକାରୀ, ଭଟଲି ବନାଞ୍ଚଳ ଅଧିକାରୀ, ମୋତିଲାଲ ବନଛୋର, ନାରାୟଣ ପଧାନ, ଭାଗିରଥ୍ ପଧାନ, ସୁରେଶ ସାହୁ, ଶ୍ୟାମସୁନ୍ଦର ସାହୁ, ବିଜୟ ମେହେର, ଦୁଷ୍ମନ୍ତ ସାହୁ ଏବଂ ରାମ ବେହେରାଙ୍କୁ ନିଯୁକ୍ତ କରାଯାଇଥିବା ଉକ୍ତ ନିର୍ଦେଶ ପତ୍ରରେ ଉଲ୍ଲେଖ ରହିଛି। ସୋମବାର ସ୍ଥାନୀୟ ପଞ୍ଚାୟତ ସମିତି କାର୍ଯ୍ୟାଳୟର ସଭାଗୃହରେ ନବ ଗଠିତ ଟ୍ରଷ୍ଟ ବୋର୍ଡ଼ର ପ୍ରଥମ ବୈଠକ ଅନୁଷ୍ଠିତ
ହୋଇଥିଲା। ଏଥିରେ ଉପଜିଲାପାଳ ପ୍ରସନ୍ନ ପାଣ୍ଡେ ସଭାପତିତ୍ୱ କରିଥିଲେ। ସର୍ବ ସମ୍ମତି କ୍ରମେ ମୋଡିଲାଲ ବନଛୋରଙ୍କୁ ମ୍ୟାନେଜିଂ ଟ୍ରଷ୍ଟି ଭାବରେ ଦାୟିତ୍ଵ ଅର୍ପଣ କରାଯାଇଥିଲା। ଯୁବ ଏବଂ ଅଭିଜ୍ଞ ବ୍ୟକ୍ତିଙ୍କୁ ନେଇ ଗଠିତ ଏହି ଟ୍ରଷ୍ଟ ବୋର୍ଡ଼ ଆଗରେ ଅନେକ ଆହ୍ବାନ ରହିଛି। ପୁରୁଣା ଟ୍ରଷ୍ଟ ସଦସ୍ୟଙ୍କ ଆଗ୍ରହ ପୂର୍ବକ ଏହି ଟ୍ରଷ୍ଟ ବୋର୍ଡ଼ ପୁନର୍ଗଠିତ ହୋଇଛି। ଆଗକୁ ମହାପ୍ରଭୁଙ୍କ ଘୋଷଯାତ୍ରା । ନୂତନ ଟ୍ରଷ୍ଟ ବୋର୍ଡର ଅନେକ ସଦସ୍ୟ ରଥାଯାତ୍ରା ପରିଚାଳନା କମିଟିରେ ଗତ ଦୁଇ ବର୍ଷ ହେବ ବିଭିନ୍ନ ପଦ ପଦବୀରେ ରହି କାର୍ଯ୍ୟ ତୁଲାଇଛନ୍ତି। ଚଳିତ ବର୍ଷ ରଥାଯାତ୍ରା ଆହୁରି ଚିତ୍ତାକର୍ଷକ ଭାବେ ଆୟୋଜିତ ହେବ ବୋଲି ସମସ୍ତେ ଆଶା ବାନ୍ଧିଛନ୍ତି। ଦଶନ୍ଧି ଧରି ରଥଯାତ୍ରା ପରିଚାଳନା କମିଟି ଘୋଷ ଯାତ୍ରା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ସୂଚାରୁ ରୂପେ ଆୟୋଜିତ କରି ଆସୁଛି। ଚଳିତ ବର୍ଷ ସେହି କମିଟିର ଅନେକ ସଦସ୍ୟ ମନ୍ଦିର ଟ୍ରଷ୍ଟ ବୋର୍ଡ଼ରେ ସାମିଲ ହୋଇଛନ୍ତି। ଚଳିତ ବର୍ଷ ରଥଯାତ୍ରା ପରିଚାଳନା ପାଇଁ ନୂତନ ସଦସ୍ୟଙ୍କୁ ଦାୟିତ୍ବ ଦିଆଯିବ କି ମନ୍ଦିର ଟ୍ରଷ୍ଟ ବୋର୍ଡ଼ ସମସ୍ତ କାର୍ଯ୍ୟ ନିର୍ବାହ କରିବ ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ। ବୈଠକରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୋଦ ଚନ୍ଦ୍ର ମେହେର, ତହସିଲଦାର ରାମକୃଷ୍ଣ ମିଶ୍ର, ଅତିରିକ୍ତତହସିଲଦାର ଭୂପେଶ କୁମାର ପାଢ଼ୀଙ୍କ ସମେତ ନୂତନ ଟ୍ରଷ୍ଟ ବୋର୍ଡ଼ ସଦସ୍ୟ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *