ଅନୁଗୋଳରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ

ଅନୁଗୋଳ, ୧୨.୦୬: ଆଜି ବ୍ଲାକ ଡାଇମଣ୍ଡସ୍ଥିତ ସମ୍ମିଳନୀ କକ୍ଷଠାରେ “ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା”ର ଶୁଭାରମ୍ଭ ଉପଲକ୍ଷେ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ରାଜ୍ୟସ୍ତରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦ୍ବାରା ଏହି ଯୋଜନାର ଶୁଭ ଉଦ୍ଘାଟନର ସିଧାସଳଖ ପ୍ରସାରଣ ଆଭାସୀ ମାଧ୍ୟମରେ ପ୍ରସାରିତ କରାଯାଇଥିଲା। ଏହି ଅବସରରେ ମାନ୍ୟବର ଢେଙ୍କାନାଳ ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣି, ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ତଥା ମାନ୍ୟବର ପାଲଲହଡା ବିଧାୟକ ଶ୍ରୀ ଅଶୋକ ମହାନ୍ତି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ବବିତା ପ୍ରଧାନ, ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ଶ୍ରୀ ସୁଦିପ ଗଡନାୟକ, ମାନ୍ୟବର ଅନୁଗୋଳ ବିଧାୟକଙ୍କ ପ୍ରତିନିଧି ଶ୍ରୀ ପ୍ରଭାତ କୁମାର ପ୍ରଧାନ, ମାନ୍ୟବର ଛେଣ୍ଡିପଦା ବିଧାୟକଙ୍କ ପ୍ରତିନିଧି ଶ୍ରୀ ମେଳାପ କୁମାର ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅତିଥିମାନଙ୍କ ଦ୍ଵାରା ୧୦ ଜଣ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ ରାସନ କାର୍ଡ ପ୍ରଦାନ କରାଯାଇଥିବାବେଳେ ଅତିରିକ୍ତ ଭାବେ ୧୭୦ ଜଣଙ୍କୁ କାର୍ଡ ବଣ୍ଟନ କରାଯାଇଥିଲା।
ଏହି ଯୋଜନାରେ ଅନ୍ତର୍ଭୁକ୍ତ ଯୋଗ୍ୟ ହିତାଧିକାରୀଙ୍କୁ ମାସକୁ ସଦସ୍ୟ ପିଛା ଅତିରିକ୍ତ ୫ କେଜି ଚାଉଳ ମାଗଣା ମିଳିବ ଏବଂ ଏହାଦ୍ୱାରା ଜିଲ୍ଲାରେ ସର୍ବମୋଟ ୨୯୪୦୫୭ ଗୋଟି ପରିବାର ଉପକୃତ ହେବେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ହିତାଧିକାରୀ, ଜିଲ୍ଲାସ୍ତରୀୟ ଅଧିକାରୀ ତଥା ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।




