ତାଳଚେର-ବିମଳାଗଡ଼ ରେଳପଥକୁ ନୂଆ ଗତି: ୨୦୨୬-୨୭ ପାଇଁ ₹୯୫୦ କୋଟି ବଜେଟ୍, ଜମି ଅଧିଗ୍ରହଣ ଯୋଗୁଁ କାର୍ଯ୍ୟରେ ବିଳମ୍ବ
ନୂଆଦିଲ୍ଲୀ: ଓଡ଼ିଶାର ଅନୁଗୁଳ, ଦେବଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାକୁ ରେଳ ମାଧ୍ୟମରେ ସଂଯୋଗ କରିବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ତାଳଚେର-ବିମଳାଗଡ଼ ନୂତନ ରେଳପଥ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ୨୦୨୬-୨୭ ଆର୍ଥିକ ବର୍ଷରେ ₹୯୫୦ କୋଟି ବଜେଟ୍ ବ୍ୟବସ୍ଥା କରିଛନ୍ତି। ପ୍ରାୟ ୧୫୦ କିଲୋମିଟର ଦୀର୍ଘ ଏହି ରେଳପଥ ସମ୍ପୂର୍ଣ୍ଣ ହେଲେ ଖଣିଜ ସମୃଦ୍ଧ ଅଞ୍ଚଳରେ ଯାତାୟାତ ଓ ଶିଳ୍ପ ବିକାଶକୁ ବଡ଼ ପ୍ରୋତ୍ସାହନ ମିଳିବ।
୨୦୦୩-୦୪ ରେଳ ବଜେଟରେ ମାତ୍ର ₹୭୨୭ କୋଟି ପ୍ରାରମ୍ଭିକ ବ୍ୟୟ ଅଟକଳ ସହ ପ୍ରକଳ୍ପଟି ଘୋଷଣା ହୋଇଥିଲା। ତେବେ ସମୟକ୍ରମେ ନିର୍ମାଣ ବ୍ୟୟ ବୃଦ୍ଧି ପାଇ ବର୍ତ୍ତମାନ ଏହା ₹୩,୩୯୦ କୋଟିରେ ପହଞ୍ଚିଛି। ମାର୍ଚ୍ଚ ୨୦୨୬ ସୁଦ୍ଧା ପ୍ରକଳ୍ପରେ ₹୧,୯୦୧ କୋଟି ଖର୍ଚ୍ଚ ହୋଇସାରିଛି।
ରାଜ୍ୟସଭାରେ ଏକ ଅଣତାରକା ପ୍ରଶ୍ନର ଲିଖିତ ଉତ୍ତରରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଜମି ଅଧିଗ୍ରହଣରେ ପ୍ରତିବନ୍ଧକ ଓ ବିଭିନ୍ନ ଆଦାଲତରେ ମାମଲା ଥିବାରୁ ପ୍ରକଳ୍ପର କାର୍ଯ୍ୟ ଆଶାନୁରୂପ ଗତିରେ ଆଗକୁ ବଢ଼ିପାରିନାହିଁ।
ପ୍ରକଳ୍ପ ପାଇଁ ଆବଶ୍ୟକ ୮୬୩ ହେକ୍ଟର ଜମି ମଧ୍ୟରୁ ୭୫୬ ହେକ୍ଟର ଜମି ଅଧିଗ୍ରହଣ ସରିଛି। ଏଥିରେ ୩୪୨ ହେକ୍ଟର ବେସରକାରୀ, ୨୬୯ ହେକ୍ଟର ଜଙ୍ଗଲ ଓ ୧୪୬ ହେକ୍ଟର ସରକାରୀ ଜମି ରହିଛି। ଅବଶିଷ୍ଟ ୧୦୭ ହେକ୍ଟର ଜମି ଅଧିଗ୍ରହଣ ପ୍ରକ୍ରିୟା ଜାରି ରହିଛି।
ରେଳ ମନ୍ତ୍ରଣାଳୟ ସୂଚନା ଦେଇଛି ଯେ ତାଳଚେର-ଖମାର (୪୮ କିମି) ରେଳପଥରେ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇସାରିଛି। ଅନ୍ୟପଟେ ଖମାର-ଗୋଲାବନ୍ଧ, ଗୋଲାବନ୍ଧ-ମହୁଲଡିହା ଏବଂ ମହୁଲଡିହା-ବିମଳାଗଡ଼ ଖଣ୍ଡରେ ଉପଲବ୍ଧ ଜମିରେ ନିର୍ମାଣ କାମ ଚାଲିଛି। ଛୋଟ ସେତୁ, ରେଳ ଓଭରବ୍ରିଜ୍ (ROB) ଓ ରେଳ ଅଣ୍ଡରବ୍ରିଜ୍ (RUB) ନିର୍ମାଣ ମଧ୍ୟ ବିଭିନ୍ନ ପର୍ଯ୍ୟାୟରେ ଅଗ୍ରଗତି କରୁଛି। ମହୁଲଡିହା-ବିମଳାଗଡ଼ ଅଂଶ ପାଇଁ ବନ ଓ ବନ୍ୟପ୍ରାଣୀ ସମ୍ପର୍କିତ ଆବଶ୍ୟକ ଅନୁମତି ମଧ୍ୟ ମିଳିସାରିଛି।
ତେବେ ପ୍ରକଳ୍ପ କେବେ ସମ୍ପୂର୍ଣ୍ଣ ହେବ, ସେନେଇ ରେଳ ମନ୍ତ୍ରଣାଳୟ କୌଣସି ନିର୍ଦ୍ଦିଷ୍ଟ ସମୟସୀମା ଘୋଷଣା କରିନାହିଁ। ଜମି ଅଧିଗ୍ରହଣ, ବନ ମଞ୍ଜୁରୀ, ବୈଧାନିକ ଅନୁମୋଦନ, ଉପଯୋଗୀତା ସ୍ଥାନାନ୍ତର, ଭୌଗୋଳିକ ପରିସ୍ଥିତି ଓ ଆଇନ-ଶୃଙ୍ଖଳା ସ୍ଥିତି ଉପରେ ପ୍ରକଳ୍ପର ସମାପ୍ତି ନିର୍ଭର କରିବ ବୋଲି ମନ୍ତ୍ରଣାଳୟ ସ୍ପଷ୍ଟ କରିଛି।
ସେହିପରି, ୨୦୨୬-୨୭ ଆର୍ଥିକ ବର୍ଷରେ ଓଡ଼ିଶାର ରେଳ ଭିତ୍ତିଭୂମି ଓ ସୁରକ୍ଷା କାର୍ଯ୍ୟ ପାଇଁ ₹୧୦,୯୨୮ କୋଟି ବଜେଟ୍ ବ୍ୟବସ୍ଥା କରାଯାଇଛି। ୨୦୦୯-୧୪ ଅବଧିରେ ବାର୍ଷିକ ହାରାହାରି ବଜେଟ୍ ₹୮୩୮ କୋଟି ଥିବା ବେଳେ ବର୍ତ୍ତମାନ ଏହା ୧୩ ଗୁଣରୁ ଅଧିକ ବୃଦ୍ଧି ପାଇଥିବା ରେଳ ମନ୍ତ୍ରଣାଳୟ ଜଣାଇଛି।



