Spread the love

ଅନୁଗୋଳ ଜିଲ୍ଲାରେ ‘ହର ଘର ତ୍ରିରଙ୍ଗା’ ଅଭିଯାନ
-ସକ୍ରିୟ ଅଂଶଗ୍ରହଣ କରିବାକୁ ଜିଲ୍ଲା ପ୍ରଶାସନର ଆହ୍ୱାନ

ଅନୁଗୋଳ, ୦୭. ୦୮: ସ୍ୱାଧୀନତା ଦିବସ ପରିପ୍ରେକ୍ଷୀରେ ଦେଶପ୍ରେମ, ଜାତୀୟ ଏକତା ଓ ଦେଶର ଗୌରବମୟ ପରମ୍ପରାକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଅନୁଗୋଳ ଜିଲ୍ଲାରେ ‘ହର ଘର ତ୍ରିରଙ୍ଗା’ ଅଭିଯାନକୁ ବ୍ୟାପକ ଭାବେ ପାଳନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି। ଜିଲ୍ଲାସ୍ତରରେ ଯୁବବର୍ଗ, ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ ଓ ସାଧାରଣ ନାଗରିକଙ୍କୁ ସାମିଲ କରି ବିଶାଳ ତ୍ରିରଙ୍ଗା ରାଲି, ବାଇକ୍, ସାଇକେଲ୍ ରାଲି ଆୟୋଜନ କରାଯିବ। ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ତ୍ରିରଙ୍ଗା ଓ ‘ବନ୍ଦେ ମାତରମ୍’ ଆଧାରିତ ପ୍ରଦର୍ଶନୀ, ଦେଶଭକ୍ତିମୂଳକ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ସଚେତନତା ସଭା ଅନୁଷ୍ଠିତ ହେବ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଶପ୍ରେମ ଓ ଦାୟିତ୍ୱବୋଧ ସୃଷ୍ଟି କରିବା ପାଇଁ ତ୍ରିରଙ୍ଗା ଆଧାରିତ ରଙ୍ଗୋଲି ପ୍ରତିଯୋଗିତା ଆୟୋଜନ କରାଯିବ। ଅଗଷ୍ଟ ୧ ତାରିଖରୁ ସେପ୍ଟେମ୍ବର ୧୫ ତାରିଖ ପର୍ଯ୍ୟନ୍ତ MyGov ପୋର୍ଟାଲରେ ଆୟୋଜିତ ଅନଲାଇନ୍ କୁଇଜ୍‌ରେ ଅଧିକରୁ ଅଧିକ ଛାତ୍ରଛାତ୍ରୀ ଓ ଯୁବବର୍ଗଙ୍କ ଅଂଶଗ୍ରହଣ ସୁନିଶ୍ଚିତ କରିବାକୁ ଶିକ୍ଷାନୁଷ୍ଠାନଗୁଡ଼ିକୁ ପରାମର୍ଶ ଦିଆଯାଇଛି। ସାଧାରଣ ନାଗରିକଙ୍କୁ ନିଜ ନିଜ ଘରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ‘Selfie with Triranga’ ବାର୍ତ୍ତା ନେଇ ଏହି ଅଭିଯାନରେ ଯୋଗଦେବାକୁ ଆହ୍ୱାନ କରାଯାଇଛି। ଜିଲ୍ଲାର ସମସ୍ତ ନାଗରିକ, ଛାତ୍ରଛାତ୍ରୀ, ଯୁବବର୍ଗ, ଶିକ୍ଷାନୁଷ୍ଠାନ, ସ୍ୱେଚ୍ଛାସେବୀ ଓ ସାମାଜିକ-ସାଂସ୍କୃତିକ ସଂଗଠନଗୁଡ଼ିକୁ ସ୍ୱତଃସ୍ଫୂର୍ତ୍ତ ଭାବେ ଏହି ଜାତୀୟ ପର୍ବରେ ସାମିଲ ହୋଇ ଜାତୀୟ ଏକତାର ବାର୍ତ୍ତା ପ୍ରସାର କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଉଛି।

Leave a Reply

Your email address will not be published. Required fields are marked *