Spread the love

ଶ୍ରାବଣ ଦ୍ୱିତୀୟ ସୋମବାରରେ କର୍ଣ୍ଣପୁର ବାବା କନକେଶ୍ୱରଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

ତାଳଚେର: ଶ୍ରାବଣ ମାସର ଦ୍ୱିତୀୟ ସୋମବାର ଅବସରରେ ତାଳଚେର ବ୍ଲକ ଅନ୍ତର୍ଗତ କର୍ଣ୍ଣପୁରସ୍ଥିତ ପ୍ରସିଦ୍ଧ ବାବା କନକେଶ୍ୱର ମନ୍ଦିରରେ ଦେଖିବାକୁ ମିଳିଥିଲା ଭକ୍ତଙ୍କ ଅସମ୍ଭବ ଭିଡ଼। ଭୋରୁ ଆରମ୍ଭ ହୋଇଥିବା ଭକ୍ତଙ୍କ ସମାଗମ ଦିନ ବଢ଼ିବା ସହିତ ଆହୁରି ବୃଦ୍ଧି ପାଇଥିଲା। ହଜାର ହଜାର ଶ୍ରଦ୍ଧାଳୁ ମନ୍ଦିରରେ ପହଞ୍ଚି ବାବା କନକେଶ୍ୱରଙ୍କ ଦର୍ଶନ କରିବା ସହ ପବିତ୍ର ଜଳରେ ଜଳାଭିଷେକ କରିଥିଲେ।

ଶ୍ରାବଣ ସୋମବାରର ପବିତ୍ର ଅବସରରେ ଶିବଭକ୍ତଙ୍କ ମଧ୍ୟରେ ଏଠାରେ ଏକ ଭିନ୍ନ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ହର ହର ମହାଦେବ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ମନ୍ଦିର ପରିସର। ଭକ୍ତମାନେ ନିଜ ମନୋସ୍କାମନା ପୂରଣ ପାଇଁ ବାବାଙ୍କ ନିକଟରେ ପୂଜାର୍ଚ୍ଚନା କରିଥିଲେ।

କର୍ଣ୍ଣପୁର ବାବା କନକେଶ୍ୱର ମନ୍ଦିରର ଅନ୍ୟତମ ବିଶେଷତ୍ୱ ହେଉଛି ପ୍ରତ୍ୟେକ ସୋମବାର ଅନ୍ନପ୍ରସାଦର ବ୍ୟବସ୍ଥା। ଭକ୍ତଙ୍କ ସଂଖ୍ୟା ଯେତେ ବଢ଼ିଲେ ମଧ୍ୟ ଏଠାରେ ପ୍ରସାଦର ଅଭାବ ଦେଖାଯାଏ ନାହିଁ ବୋଲି ଭକ୍ତମାନଙ୍କ ମଧ୍ୟରେ ଗଭୀର ବିଶ୍ୱାସ ରହିଛି। ଆଜି ମଧ୍ୟ ହଜାର ହଜାର ଭକ୍ତ ବାବାଙ୍କ ଦର୍ଶନ ଓ ଜଳାଭିଷେକ ପରେ ଅନ୍ନପ୍ରସାଦ ସେବନ କରିଥିଲେ।

ଭକ୍ତମାନଙ୍କ ବିଶ୍ୱାସ—ଏହା କେବଳ ଏକ ପରମ୍ପରା ନୁହେଁ, ବରଂ ବାବା କନକେଶ୍ୱରଙ୍କ ଅପାର ମହିମା ଓ ଆଶୀର୍ବାଦର ପ୍ରତୀକ। ଶ୍ରାବଣର ପବିତ୍ର ସୋମବାରରେ ବାବାଙ୍କ ଦର୍ଶନ କରି ଭକ୍ତମାନେ ନିଜକୁ ଧନ୍ୟ ମନେ କରିଥିଲେ।

Leave a Reply

Your email address will not be published. Required fields are marked *