ଶିମିଳିପାଟଣା ହାଇସ୍କୁଲରେ କିଶୋରୀ ବାଳିକା ସଚେତନତା କାର୍ଯ୍ୟକ୍ରମ
ଶିମିଳିପାଟଣା ହାଇସ୍କୁଲରେ ଲୋକ ବିକାଶ ସହଯୋଗରେ କିଶୋରୀ ବାଳିକାମାନଙ୍କ ପାଇଁ ସଚେତନତା ଓ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷାବିତ୍ ଶ୍ରୀମତୀ କୃଷିଦା ବେଗମ୍ ସ୍ୱାଗତ ଭାଷଣ ଦେଇ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଅଭିମୁଖ୍ୟ ବିଷୟରେ ଆଲୋକପାତ କରିଥିଲେ।
ବିଶିଷ୍ଟ ଆଇନଜୀବୀ ତଥା ପୂର୍ବତନ ଶିଶୁମଙ୍ଗଳ କମିଟି ଅଧ୍ୟକ୍ଷ ପୁଷ୍ପକ ତ୍ରିପାଠୀ ଭାରତୀୟ ସମ୍ବିଧାନ, ମୌଳିକ ଅଧିକାର ଓ ଶିଶୁ ଅଧିକାର ସମ୍ପର୍କରେ ଛାତ୍ରୀମାନଙ୍କୁ ସଚେତନ କରିଥିଲେ। ଜିଲ୍ଲାର ଶିଶୁ ସୁରକ୍ଷା ବ୍ୟବସ୍ଥା, ବିପଦଗ୍ରସ୍ତ ଶିଶୁଙ୍କ ପାଇଁ ନ୍ୟାୟ ଓ ଉପଲବ୍ଧ ଆର୍ଥିକ ସହାୟତା ବିଷୟରେ ସେ ସୂଚନା ଦେଇଥିଲେ।
ଚାଇଲ୍ଡ ହେଲ୍ପଲାଇନ କୋଅର୍ଡିନେଟର ରୋଶନ କୁମାର ନନ୍ଦ ଶିଶୁ ସୁରକ୍ଷା ଆଇନ, ଉଦ୍ଧାର ଓ ପୁନର୍ବାସ ପ୍ରକ୍ରିୟା ବିଷୟରେ ଆଲୋଚନା କରିଥିଲେ। ସେ ବାଲ୍ୟବିବାହର ଆଇନଗତ ବୟସସୀମା, ଏହାର ମାନସିକ, ଶାରୀରିକ ଓ ସାମାଜିକ କୁପ୍ରଭାବ ଏବଂ ଦଣ୍ଡବିଧାନ ସମ୍ପର୍କରେ ବୁଝାଇଥିଲେ। ବାଲ୍ୟବିବାହ ସମ୍ପର୍କରେ ଜାଣିଲେ ଚାଇଲ୍ଡ ହେଲ୍ପଲାଇନ ୧୦୯୮ କିମ୍ବା ନିକଟସ୍ଥ ଥାନାକୁ ତୁରନ୍ତ ଜଣାଇବାକୁ ସେ ପରାମର୍ଶ ଦେଇଥିଲେ।
ଚାଇଲ୍ଡ ହେଲ୍ପଲାଇନ ସୁପରଭାଇଜର ସ୍ମୃତି ସୁଚେତା ସାହୁ ସାଇବର ଅପରାଧ, ଅନଲାଇନ୍ ଠକେଇ, ବ୍ୟାଙ୍କ ଖାତାରୁ ଟଙ୍କା ହଡ଼ପ ଓ ସୋସିଆଲ ମିଡିଆ ମାଧ୍ୟମରେ ବ୍ଲାକମେଲ୍ ସମ୍ପର୍କରେ ସରଳ ଭାବରେ ବୁଝାଇଥିଲେ। ସାଇବର ଠକେଇରୁ ସତର୍କ ରହିବା ସହ ପରିବାରର ମୋବାଇଲ୍ ବ୍ୟବହାରକାରୀଙ୍କୁ ସଚେତନ କରିବାକୁ ସେ ଆହ୍ୱାନ ଦେଇଥିଲେ।
କାର୍ଯ୍ୟକ୍ରମ ପରିଚାଳନା କରି ଲୋକ ବିକାଶର ସମ୍ପାଦକ ସଫିକ୍ ଭାଇ କହିଥିଲେ ଯେ, ସଚେତନ, ଶିକ୍ଷିତ ଓ ଦାୟିତ୍ୱବାନ କିଶୋରୀମାନେ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିପାରିବେ। ତେଣୁ ସେମାନଙ୍କ ଅଧିକାର, ସୁରକ୍ଷା, ଶିକ୍ଷା ଓ ନେତୃତ୍ୱ ବିକାଶକୁ ଗୁରୁତ୍ୱ ଦେବା ଆବଶ୍ୟକ।
ବିଦ୍ୟାଳୟର ଭାରପ୍ରାପ୍ତ ସହକାରୀ ଶିକ୍ଷକ ଶେଷଦେବ ବାରିକ ଏହି କାର୍ଯ୍ୟକ୍ରମ କିଶୋରୀ ବାଳିକାମାନଙ୍କୁ ସଶକ୍ତ କରିବାର ଏକ ସୁନ୍ଦର ପ୍ରୟାସ ବୋଲି କହିଥିଲେ। ଏପରି ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆୟୋଜନ ପାଇଁ ସେ ଲୋକ ବିକାଶକୁ ଆହ୍ବାନ କରିଥିଲେ। ଶିକ୍ଷୟତ୍ରୀ ଗୀତାଞ୍ଜଳି ବରାଳ, ଆନିମେଟର ଅଞ୍ଜଳି ସାହୁ, CRCC ଅର୍ଜୁନ ନାୟକ ଓ ଅନ୍ୟାନ୍ୟ ଶିକ୍ଷକ, କର୍ମଚାରି ମାନେ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ। ଶେଷରେ ଲୋକ ବିକାଶର ଫିଲ୍ଡ କୋଅର୍ଡିନେଟର ଅନିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ଏହାପରେ କାର୍ଯ୍ୟକ୍ରମର ସମାପନ ଘୋଷଣା କରାଯାଇଥିଲା
