ଡେରେଜାଙ୍ଗ ଡ୍ୟାମ୍ ଜଗୁଆଳି ହତ୍ୟାକାଣ୍ଡ: ୧୦ ଜଣଙ୍କୁ ଆଜୀବନ କାରାଦଣ୍ଡ
ଅନୁଗୋଳ: ଅନୁଗୋଳ ଜିଲ୍ଲାର ବହୁଚର୍ଚ୍ଚିତ ଡେରେଜାଙ୍ଗ ଡ୍ୟାମ୍ ୱାଚମ୍ୟାନ୍ ଜଗନ୍ନାଥ ସେନାପତି ହତ୍ୟା ମାମଲାରେ ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରାଜଜ୍ (ADJ) ଅଦାଲତ ଶୁକ୍ରବାର ଐତିହାସିକ ରାୟ ପ୍ରକାଶ କରିଛନ୍ତି। ମାମଲାର ଶୁଣାଣି ଶେଷ କରି ଅଦାଲତ ୧୦ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ସମସ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ, ଗତ ୨୦୨୧ ମସିହା ସେପ୍ଟେମ୍ବର ୧୮ ତାରିଖ ରାତି ପ୍ରାୟ ୮ଟା ୩୦ ମିନିଟରେ ପୂର୍ବ ଶତ୍ରୁତାର ପ୍ରତିଶୋଧ ନେବା ପାଇଁ ଅଭିଯୁକ୍ତମାନେ ଜଗନ୍ନାଥଙ୍କୁ ଭୋଜି ଆଳରେ ବାଇକରେ ଡାକି ନେଇଥିଲେ। ପରେ ଡେରେଜାଙ୍ଗ ଡ୍ୟାମ୍ର ପୂର୍ବ ପାର୍ଶ୍ୱ ଏମ୍ବାକମେଣ୍ଟ ରୋଡ୍ ସ୍ଥିତ ରନ୍ତଲେଇ ଗ୍ରାମ ନିକଟରେ ତାଙ୍କୁ ଭୁଜାଲି, ଖଣ୍ଡା ଓ ଲାଠି ସାହାଯ୍ୟରେ ନିର୍ମମ ଭାବେ ହାଣି ହତ୍ୟା କରାଯାଇଥିଲା।
ଏ ନେଇ ଅନୁଗୋଳ ସଦର ଥାନାରେ କେସ୍ ନମ୍ବର ୫୨୮/୨୦୨୧ (CT(S) Case No. ୨୯/୨୦୨୨) ରୁଜୁ ହୋଇଥିଲା। ତଦନ୍ତକାରୀ ଅଧିକାରୀ ତଥା ସବ୍-ଇନ୍ସପେକ୍ଟର ଶ୍ରୀନିବାସ ସେଠୀ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ବଳିଷ୍ଠ ପ୍ରମାଣ ସହ ଚାର୍ଜସିଟ୍ ଦାଖଲ କରିଥିଲେ। ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ବିଚାରପତି ଏହି ଦଣ୍ଡାଦେଶ ପ୍ରଦାନ କରିଛନ୍ତି।
