ହୀରାକୁଦରେ ବଢ଼ିଲା ଜଳ ନିଷ୍କାସନ: ୨୪ ଗେଟ୍ ଦେଇ ବାହାରୁଛି ବନ୍ୟାଜଳ
ଭୁବନେଶ୍ୱର, ୨୭/୦୯: ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବେଶ ବଢ଼ିବା ପରେ ପୁଣି ଖୋଲିଛି ଆଉ ୨ଟି ଗେଟ୍। ଏହା ସହିତ ବର୍ତ୍ତମାନ ମୋଟ ୨୪ଟି ଗେଟ୍ ଦେଇ ମହାନଦୀକୁ ବନ୍ୟାଜଳ ନିଷ୍କାସନ କରାଯାଉଛି।
ହୀରାକୁଦର ବାମ ପାର୍ଶ୍ୱରେ ୧୬ଟି ଏବଂ ଡାହାଣ ପାର୍ଶ୍ୱରେ ୮ଟି ସ୍ଲୁଇସ୍ ଗେଟ୍ ଖୋଲା ରହିଛି। ଉପରମୁଣ୍ଡରେ ବର୍ଷା ଜାରି ରହିଥିବାରୁ ଜଳଭଣ୍ଡାରକୁ ପ୍ରବେଶ କରୁଥିବା ଜଳ ପରିମାଣ ମଧ୍ୟ ବଢ଼ିଛି। ତେଣୁ ଜଳସ୍ତରକୁ ନିୟନ୍ତ୍ରଣରେ ରଖିବା ପାଇଁ ପର୍ଯ୍ୟାୟକ୍ରମେ ଅଧିକ ଗେଟ୍ ଖୋଲାଯାଉଛି।
ବର୍ତ୍ତମାନ ପ୍ରତି ସେକେଣ୍ଡରେ ପ୍ରାୟ ୩ ଲକ୍ଷ ୮୩ ହଜାର ୫୭୮ କ୍ୟୁସେକ୍ ଜଳ ହୀରାକୁଦ ଜଳଭଣ୍ଡାରକୁ ପ୍ରବେଶ କରୁଥିବା ବେଳେ ପ୍ରାୟ ସମାନ ପରିମାଣର ଜଳ ନିଷ୍କାସନ କରାଯାଉଛି। ଜଳଭଣ୍ଡାରର ଜଳସ୍ତର ୬୨୮ ଫୁଟ୍ରେ ପହଞ୍ଚିଛି।
ଉପରମୁଣ୍ଡରେ ବର୍ଷା ଜାରି ରହିଲେ ଆଗକୁ ଆହୁରି କିଛି ଗେଟ୍ ଖୋଲାଯାଇପାରେ। ଏହାର ପ୍ରଭାବରେ ମହାନଦୀ ଅବବାହିକାରେ ଜଳସ୍ତର ଆହୁରି ବଢ଼ିବାର ଆଶଙ୍କା ରହିଛି।
ଏପଟେ ଅଧିକ ପରିମାଣରେ ଜଳ ନିଷ୍କାସନ ପରେ ମହାନଦୀ ଅବବାହିକାର କିଛି ଅଞ୍ଚଳରେ ବନ୍ୟା ସ୍ଥିତି ଦେଖାଦେଇଛି। ସୋନପୁର ରାସ୍ତାର ଗୁଣ୍ଡେରପୁର ବ୍ରିଜ୍ ଉପରେ ବନ୍ୟାଜଳ ପ୍ରବାହିତ ହେବାରୁ ଯାତାୟାତ ପ୍ରଭାବିତ ହୋଇଛି। ପ୍ରଶାସନ ପକ୍ଷରୁ ମାଇକ୍ ଯୋଗେ ଲୋକଙ୍କୁ ସତର୍କ କରାଯାଉଛି।
ନଦୀର ଜଳସ୍ତର ବଢ଼ୁଥିବାରୁ ନଦୀ କୂଳକୁ ନଯିବା ଏବଂ ନଦୀ ମଧ୍ୟକୁ ପ୍ରବେଶ ନକରିବା ପାଇଁ ସ୍ଥାନୀୟ ଲୋକଙ୍କୁ ପ୍ରଶାସନ ପକ୍ଷରୁ ସଚେତନ କରାଯାଇଛି।
