Spread the love

ଟାଟା ଷ୍ଟିଲ୍‌ର ଠକାମି ବିରୋଧରେ ଶ୍ରମିକମାନେ କଂପାନୀ ଗେଟ୍ ଆଗରେ ଦେଲେ ଧାରଣା । ୭ ବର୍ଷ ପୂର୍ବର ବକେୟା ନ ଦେବା ଯାଏଁ ଆନ୍ଦୋଳନ ଜିଦରେ ଶ୍ରମିକ ।

କଣ୍ଟାବଣିଆ (୧୮/୭) – ଆଜି ସକାଳ ୧୦ ଟାରୁ ଟ୍ରେଡ୍‌ ୟୁନିଅନ୍‌ ନେତା ଇଂଜିନିୟର୍ ଦେବାଶିଷ ହୋତାଙ୍କ ନେତୃତ୍ବରେ ଶତାଧିକ ଶ୍ରମିକ କଣ୍ଟାବଣିଆ ଥାନା ପାଖରୁ ଏକ ବିରାଟ ପଟୁଆରରେ ବାହାରି ଟାଟା ଷ୍ଟିଲ୍‌ ଗେଟ୍ ଆଗରେ ଧାରଣାରେ ବସିରହିଛନ୍ତି । ଶ୍ରମିକମାନେ ପ୍ରବଳ ବର୍ଷା ଘଡଘଡିରେ ମରିବେ ପଛେ କିନ୍ତୁ ୭ ବର୍ଷ ପୂର୍ବର ବକେୟା ନ ଦେବା ଯାଏଁ ଏଠାରୁ ହଟିବେ ନାହିଁ ବୋଲି ରୋକ୍ ଠୋକ୍ ଭାବେ ଜିଦି ଧରିବାରୁ ପ୍ରଶାସନିକ ଅଧିକାରୀମାନେ ହରଡଘଣାରେ ପଡିଯାଇଥିଲେ ।
ଏଠାରେ ସୂଚନା ଯୋଗ୍ୟ ଯେ, ୭ ବର୍ଷ ପୂର୍ବରୁ ବିନା ନୋଟିସ୍‌ରେ ଛଟେଇ ହୋଇ ଟିଏସ୍‌ପିଏଲ୍‌ର ୭ ଶହ ଗରିବ ଶ୍ରମିକ ଆଜି ଯାଏ ରିଟ୍ରେଟମେଣ୍ଟ କମ୍ପେନ୍‌ସେସନ୍ ପାଇନାହାନ୍ତି । ଏଥିପାଇଁ ଇଣ୍ଡଷ୍ଟ୍ରିଆଲ୍ ଟ୍ରିବ୍ୟୁନାଲ ୨୦୧୯ ମସିହାରେ ଟିଏସ୍‌ପିଏଲ୍‌କୁ ନୋଟିସ୍‌ ପଠାଇଲେ । ଆଶ୍ଚର୍ଯ୍ୟର ବିଷୟ, ଟିଏସ୍‌ପିଏଲ୍‌କୁ ଯାଉଥିବା ନୋଟିସ୍ ଭୁଲ୍ ଠିକଣା ପାଇଁ ଫେରିଆସିଲା ।
ସାଢେ ୩ ବର୍ଷ ପୂର୍ବରୁ ୨୭ ଜାନୁୟାରୀ ୨୦୨୦ ଦିନ ଶ୍ରମିକମାନେ ଆନ୍ଦୋଳନ କରିବା ପରେ ତତ୍କାଳୀନ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କଷ୍କାବଣିଆ ଥାନାରେ ଅନୁଷ୍ଠିତ ବୈଠକରେ ଟାଟା ଷ୍ଟିଲ୍ କଂପାନୀର ଶ୍ରୀ ଧନଂଜୟ କୁମାର ଏବଂ ଆଉ ୩ ଜଣ ଉପରିସୁ ଅଧିକାରୀ ଉପସ୍ଥିତ ରହି ଟାଟା ଷ୍ଟିଲ୍‌ ଦିଲ୍ଲୀ ଏନସିଏଲଟି ଏବଂ ମାନ୍ୟବର ସୁପ୍ରିମକୋର୍ଟ ରେ ଟିଏସ୍‌ପିଏଲ୍ ସହିତ କୌଣସି ମାମଲାରେ ଛନ୍ଦି ହୋଇଛି ବୋଲି ଲୁଚାଇଥିଲେ ।
ଏବେର ଢେଙ୍କାନାଳ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ମହୋଦୟ ଅନେକଗୁଡିଏ ତ୍ରିପକ୍ଷୀୟ ବୈଠକ କରାଇବା ପରେ ୧୫ ଜୁଲାଇ ୨୦୨୩ ଦିନ ବୈଠକରେ ଉପସ୍ଥିତ ଟାଟା ଷ୍ଟିଲ୍‌ କଂପାନୀର ଉପରିସ୍ଥ ଅଧିକାରୀମାନେ ଜଣାଇଲେ ଯେ ଟାଟା ଷ୍ଟିଲ୍‌ ଦିଲ୍ଲୀ ଏନସିଏଲଟି ଏବଂ ମାନ୍ୟବର ସୁପ୍ରିମକୋର୍ଟ ଙ୍କ ଆଦେଶରେ ଟିଏସ୍‌ପିଏଲ୍ କୁ ୩ କୋଟି ଟଙ୍କା ୧୪ ଫେବୃୟାରୀ ୨୦୨୦ ଦିନ ପୈଠ କରିଛି ।
ଅର୍ଥାତ୍ ପ୍ରଶାସନ ଏବଂ ଶ୍ରମିକମାନଙ୍କ ସହିତ ବୈଠକର ମାତ୍ର ୧୯ ଦିନ ପରେ ଟିଏସ୍‌ପିଏଲ୍ କୁ ୩ କୋଟି ଟଙ୍କା ଦେଇଛି ଟାଟା ଷ୍ଟିଲ୍‌ କଂପାନୀ । ସବୁ ଜାଣି ମଧ୍ୟ ଟାଟା ଷ୍ଟିଲ୍‌ ସାଢେ ୩ ବର୍ଷ ପୂର୍ବରୁ ସରକାର ଏବଂ ପ୍ରଶାସନକୁ ଏସବୁ ଲୁଚାଉଥିଲା ।
୧୩ ଜୁନ ୨୦୨୩ ଭଳି ବଡ ବଡ ଦୁର୍ଘଟଣା ଟାଟା ଷ୍ଟିଲ୍‌ କଂପାନୀ ଭିତରେ ବାରମ୍ବାର ଘଟୁଛି । ଏହି ସବୁ ଦୁର୍ଘଟଣାରେ ଅନେକ ଶ୍ରମିକ ମୃତାହାତ ହେଉଥିଲେ ମଧ୍ୟ ଟାଟା ଷ୍ଟିଲ୍ ସେମାନଙ୍କର ସୁରକ୍ଷା ପାଇଁ ଠୋସ୍ ପଦକ୍ଷେପ ଉଠାଉ ନାହାନ୍ତି ।
ଆମ ଦେଶକୁ ଶକ୍ତିଶାଳୀ କରିବା ଏବଂ ମାଲିକମାନଙ୍କର ହଜାର ହଜାର କୋଟି ଟଙ୍କାର ଲାଭ ପାଇଁ ରାତିଦିନ ଅତି ସ୍ବଚ୍ଛ ଦରମାରେ ଖଟି ଖଟି ଗ୍ୟାସ୍ଟିକ୍ ଠାରୁ ଆରମ୍ଭ କରି ଅନେକଗୁଡିଏ ଦୁଃରାରୋଗ୍ୟର ଶୀକାର ହେଉଥିବା ଗରିବ ଶ୍ରମିକମାନଙ୍କ ପ୍ରତି କାହାର ଟିକିଏ ହେଲେ ଦରଦ ଥିଲା ଭଳି ଏସବୁ ଘଟଣାରୁ ଜଣାପଡୁନାହିଁ ।

Leave a Reply

Your email address will not be published. Required fields are marked *

You missed