Spread the love

“ମୋ ଘର” ଯୋଜନାରେ ପକ୍କା ଘର ନିର୍ମାଣ ପାଇଁ ଆଶାୟୀ ଆବେଦନକାରୀମାନଙ୍କୁ ବ୍ୟାଙ୍କ ତରଫରୁ ଋଣ ପ୍ରଦାନ ସମ୍ପର୍କରେ ଏକ ବୈଠକ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତା​‌ରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜ୍ୟ ପଞ୍ଚାୟତିରାଜ ପାନୀୟ ଜଳ ବିଭାଗ ଓ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ସମେତ ୩୯ଟି ବିଭିନ୍ନ ବ୍ୟାଙ୍କର ଉଚ୍ଚ କର୍ତ୍ତୃପକ୍ଷମାନେ ଯୋଗ ଦେଇଥିଲେ।

ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା କହିଥିଲେ ଯେ ଗରିବ ତଥା ନିମ୍ନ ଓ ନିମ୍ନ ମଧ୍ୟବିତ୍ତ ପରିବାରଙ୍କୁ ଋଣ ସହାୟତା ପ୍ରଦାନ ଜରିଆରେ ପକ୍କାଗୃହ ନିର୍ମାଣ ନିମନ୍ତେ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ “ମୋ ଘର”  ଯୋଜନାକୁ କାର୍ଯ୍ୟକାରୀ କରିବାକୁ  ନିର୍ଦ୍ଦେଶ ଦେଇଛନ୍ତି। ଏଥି ପାଇଁ ରାଜ୍ୟ ସରକାର ତରଫରୁ ହିତାଧିକାରୀଙ୍କୁ ଗୃହଋଣ ବାବଦରେ ସବସିଡି ପ୍ରଦାନର ବ୍ୟବସ୍ଥା ରହିଛି। ଯୋଗ୍ୟ ଆବେଦନକାରୀଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବା ଦିଗରେ ବ୍ୟାଙ୍କ କର୍ତ୍ତୃପକ୍ଷମାନେ ଆତ୍ମ ନିରୀକ୍ଷଣ କରିବା ସହ ହିତାଧିକାରୀମାନଙ୍କୁ ସହାୟତା କରିବାକୁ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଥିଲେ।

ଶୁକ୍ରବାର ସୁଦ୍ଧା ବିଭିନ୍ନ ବିଭିନ୍ନ ପଂଚାୟତ ସମିତି ସ୍ତରରେ ୨ ଲକ୍ଷ ୭୬ ହଜାର ୨୫୦ ଟି ଆବେଦନ ଗ୍ରହଣ କରାଯାଇଛି। ଦରଖାସ୍ତ ଗ୍ରହଣ ପରେ ଋଣ ମଞ୍ଜୁର ପାଇଁ ପ୍ରାଥମିକ ଆବଶ୍ୟକତା ରହିଥିବା ବ୍ୟାଙ୍କମାନଙ୍କ ଦ୍ୱାରା ସେସବୁର ଯାଂଚ, କ୍ଷେତ୍ର ପରିଦର୍ଶନ ଓ ଆଇନ୍‌ ପରାମର୍ଶ ଦାତାଙ୍କଠାରୁ ମତ ସଂଗ୍ରହ କରିବା ପ୍ରକ୍ରିୟାର ସ୍ଥିତି ସଂପର୍କରେ ସମୀକ୍ଷା କରାଯାଇଥିଲା।

ଆବଶ୍ୟକ ସ୍ଥଳେ ଆବେଦନକାରୀଙ୍କ ଦରଖାସ୍ତକୁ ଯାଞ୍ଚ ଓ ପ୍ରୋସେସିଂ କାର୍ଯ୍ୟରେ ସହାୟତା ପାଇଁ ସଂପୃକ୍ତ ବ୍ଲକ କର୍ତ୍ତୃପକ୍ଷମାନେ ସହାୟତା ପ୍ରଦାନ କରିବେ। ଯେଉଁ ବ୍ୟାଙ୍କ ମୁଖ୍ୟମାନେ ଅଦ୍ୟାବଧି ସେମାନଙ୍କ ଅଧିନସ୍ଥ ଶାଖା ବ୍ୟାଙ୍କକୁ “ମୋ ଘର” ଗାଇଡ ଲାଇନ୍‌ ପ୍ରେରଣ କରିନାହାଁନ୍ତି, ସେମାନେ ଯଥାଶୀଘ୍ର ତାହା ପ୍ରେରଣ କରିବାକୁ ବୈଠକରେ ପରାମର୍ଶ ଦିଆଯାଇଛି

Leave a Reply

Your email address will not be published. Required fields are marked *