ଆଜି ଭୁବନେଶ୍ୱରରେ ପହଞ୍ଚିବେ ନବନିଯୁକ୍ତ ରାଜ୍ୟପାଳ : ଆସନ୍ତାକାଲି ଶପଥ ଗ୍ରହଣ କାର୍ଯ୍ୟକ୍ରମ
ଭୂବନେଶ୍ବର, ୦୨/୦୧ : ଆଜି ଭୁବନେଶ୍ୱରରେ ପହଞ୍ଚିବେ ନବନିଯୁକ୍ତ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି । ଆସନ୍ତାକାଲି ସେ ନୂଆ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବା କାର୍ଯ୍ୟକ୍ରମ ରହିଛି । ରାଜଭବନ ପକ୍ଷରୁ ଏଥିପାଇଁ ପ୍ରସ୍ତୁତି ଜୋରଦାର କରାଯାଇଛି । ଡ. ହରିବାବୁ ଗୁରୁବାର ଆଜି ଅପରାହ୍ନ ୨ଟାରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ ।
ଏହାପରେ ସେ ପୁରୀ ଗସ୍ତ କରିବେ । ପୁରୀ ରାଜଭବନରେ ସେ ରାତ୍ରିଯାପନ କରିବେ । ଆସନ୍ତାକାଲି ସକାଳେ ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ । ପୂର୍ବାହ୍ଣ ୧୦ଟା ୧୫ ମିନିଟରେ ରାଜଭବନର ନ୍ୟୁ ଅଭିଷେକ ହଲ୍ରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଓଡ଼ିଶା ଉଚ୍ଚ ନ୍ୟାୟାଳୟ ମୁଖ୍ୟ ବିଚାରପତି ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂହ ରାଜ୍ୟପାଳ ଭାବେ ତାଙ୍କୁ ଶପଥ ଗ୍ରହଣ କରାଇବେ। ଏହି ଶପଥ ଗ୍ରହଣ ସମାରୋହରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରିମଣ୍ଡଳର ସଦସ୍ୟ ବୃନ୍ଦ, ବରିଷ୍ଠ ଅଧିକାରୀ ଏବଂ ବିଶିଷ୍ଟ ବ୍ୟକ୍ତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି।



