Spread the love

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟ ବିଜେପି ସଭାପତି ତଥା ନବ ନିର୍ବାଚିତ ରାଜ୍ୟସଭା ସାଂସଦ ମନମୋହନ ସାମଲ ଶନିବାର ସକାଳୁ ଦିଲ୍ଲୀ ଗସ୍ତ କରିଛନ୍ତି। ସେଠାରେ ପାର୍ଟିର ଶୀର୍ଷ ନେତୃତ୍ବଙ୍କ ସହ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ, ସରକାରୀ ନିଗମ/ବୋର୍ଡରେ ରାଜ୍ୟ ବିଜେପି ନେତାଙ୍କ ଥଇଥାନ ଓ ସଙ୍ଗଠନ ଏବଂ ସରକାରଙ୍କ ମଧ୍ୟରେ ସମନ୍ବୟ ରକ୍ଷା ବିଷୟରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି।

ହଠାତ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ ରାଜ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚାକୁ ଜୋର୍ ଦେଇଛି।
ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଠନ ହେବାର ୨୧ ମାସ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପାଇଁ ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ବିଜେପି ସଭାପତି ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନବୀନ ନୀତିନଙ୍କୁ ଭେଟିବା କାର୍ୟ୍ୟକ୍ରମ ରହିଛି। ଏହି ଅବସରରେ ମୁଖ୍ୟତଃ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଓ ନିଗମ/ବୋର୍ଡ ସମ୍ପର୍କରେ ଆଲୋଚନା ହୋଇପାରେ। ଦୁଇ ସପ୍ତାହ ପୂର୍ବେ ଓଡ଼ିଶାରୁ କେନ୍ଦ୍ର ବିଜେପି ନେତୃତ୍ବଙ୍କ ନିକଟକୁ ଓଡ଼ିଶା ମନ୍ତ୍ରୀମାନଙ୍କ ପ୍ରଦର୍ଶନ ରିପୋର୍ଟ ପଠା ଯାଇଥିଲା। ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସଭାପତିଙ୍କ ଉପସ୍ଥିତିରେ ବିଜେପି ଶୀର୍ଷ ନେତୃତ୍ବ ଏହି ରିପୋର୍ଟକୁ ତର୍ଜମା କରିବା ପରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଉପରେ ଚୂଡ଼ାନ୍ତ ମୋହର ମାରିବେ। ଏଥିସହ ଘୁଞ୍ଚି ଘୁଞ୍ଚି ଚାଲିଥିବା ନିଗମ, ବୋର୍ଡରେ ଆଶାୟୀ ନେତାଙ୍କୁ ନିଯୁକ୍ତି ଦେବା ପାଇଁ ଆଲୋଚନା ହେବ।
ପୂର୍ବରୁ ଅନେକ ଥର ରାଜ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ଚର୍ଚ୍ଚା ଜୋର୍ ଧରିଛି। ରାଜ୍ୟସଭାରେ ଦୁଇ ବିଜେପି ପ୍ରାର୍ଥୀଙ୍କ ସମେତ ବିଜେପି ସମର୍ଥିତ ପ୍ରାର୍ଥୀଙ୍କ ବିଜୟ ପରେ ଦିଲ୍ଲୀ ଦରବାରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓ ରାଜ୍ୟ ବିଜେପି ସଭାପତି ଶ୍ରୀ ସାମଲଙ୍କ ପତିଆରା ବଢ଼ିଛି। ନୂଆପଡ଼ା ଉପ ନିର୍ବାଚନ ପରେ କ୍ରମାଗତ ଭାବେ ରାଜ୍ୟସଭା ନିର୍ବାଚନ ବିଜୟ ରାଜ୍ୟ ବିଜେପି ନେତୃତ୍ବଙ୍କ ମନୋବଳ ବଢ଼ାଇଛି। ଏପରିସ୍ଥଳେ ଆସନ୍ତା ଏପ୍ରିଲରେ ମୋହନ ସରକାରଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବା ନେଇ ପାର୍ଟି ନେତୃତ୍ବ ସଂକେତ ଦେଇଛନ୍ତି।
ସମ୍ପ୍ରତି ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ୧୬ ଜଣ ମନ୍ତ୍ରୀଙ୍କ ଉପରେ ରାଜ୍ୟ ସରକାରଙ୍କ ୪୦ ବିଭାଗର ଦାୟିତ୍ବ ରହିଛି ଏବଂ ଆଉ ୬ଟି ମନ୍ତ୍ରୀ ପଦ ଖାଲି ଅଛି।

ଅନେକ ମନ୍ତ୍ରୀଙ୍କ ପାଖରେ ଏକାଧିକ ଗୁରୁତ୍ବପୂର୍ଣ୍ଣ ବିଭାଗ ରହିଛି। କିଛି ମନ୍ତ୍ରୀମାନଙ୍କ ଦୁର୍ବଳ ପ୍ରଦର୍ଶନକୁ ନେଇ ବିରୋଧୀ ସରକାରଙ୍କୁ ବାରମ୍ବାର ସମାଲୋଚନା କରୁଛନ୍ତି। ଏପରିସ୍ଥଳେ ସରକାର ଗଠନକୁ ଦୁଇ ବର୍ଷ ପୂରିବାକୁ ଯାଉଥିବା ବେଳେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଜରିଆରେ ମୁଖ୍ୟମନ୍ତ୍ରୀ ବିରୋଧୀଙ୍କୁ ଜବାବ ଦେବା ସହିତ ଲୋକଙ୍କ ସରକାର ଭାବେ ଓଡ଼ିଶାବାସୀଙ୍କୁ ଆଉ ଏକ ବାର୍ତ୍ତା ଦେବାକୁ ଯାଉଛନ୍ତି ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *