ତାଳଚେର କେଉଁଠୁ କୁଆଡ଼େ!ଦେଶକୁ ଶହେ୫ବର୍ଷ ହେଲାଣି କରୁଛି କୋଇଲା ପ୍ରଦାନ ପାଇଛି କ’ଣ?(ଭେଲିୟର୍ସରୁ ରୁଙ୍କଟା)

ତାଳଚେର, ୩୦/୦୪ ଏନ୍ଏନ୍ଏସ୍: ଭେଲିୟର୍ସ ନାମକ ଏକ କମ୍ପାନୀ ୧୯୨୧ ମସିହାରେ ସର୍ବପ୍ରଥମେ ତାଳଚେରରୁ କୋଇଲା ଉତୋଳନ କରିବାର ସକ୍ଷମ ହୋଇଥିଲା । ତାଳଚେର ହାଣ୍ଡିଧୂଆଁ ସ୍ଥିତ ଏହି କୋଲ କମ୍ପାନୀ ସ୍ଥାପିତ କରାଯାଇଥିଲା, ପରେ ପରେ ଏନସିଡ଼ିସି, ସିସିଏଲ, ଏସଇସିଏଲ ହୋଇ ପରିଶେଷରେ ଏମସିଏଲ କୋଲ କମ୍ପାନୀ ପର୍ଯ୍ୟନ୍ତ ତାଳଚେର ଅଂଚଳରୁ ଆଜି ପର୍ଯ୍ୟନ୍ତ କୋଇଲା ଉତ୍ପାଦନ ଓ ପରିବହନ କରିବାରେ ଲାଗିଛନ୍ତି । ପ୍ରଥମେ ଭୂତଳ କୋଇଲା ଖଣିପରେ ଏବେ ଖୋଲାମୁହଁ କୋଇଲା ଖଣି ଦ୍ୱାରା କୋଇଲା ଖନନ ଚାଲିଛି । ତାଳଚେର ଅନେକ ଗାଁ ଗଣ୍ଡା କୋଇଲା ଖଣି ଯୋଗୁଁ ଭୂଗୋଳ ଓ ଇତିହାସରୁ ନିଶ୍ଚିହ୍ନ ହୋଇ ସାରିଲେଣି ଏବଂ ଆଉ କିଛି ଗ୍ରାମାଚଂଳ ଆଗାମୀ ଦିନରେ ନିଶ୍ଚିହ୍ନ ହେବା ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ । କେନ୍ଦ୍ର ସରକାର କୋଇଲା ମନ୍ତ୍ରାଳୟ ତାଳଚେର ବ୍ଲକର କଙ୍କିଳି ଗ୍ରାମ ସମେତ ଉପଖଣ୍ଡର ଅନେକ ଗ୍ରାମରୁ କୋଇଲା ଉତୋଳନ କରିବ । ସେ କାର୍ଯ୍ୟ କିନ୍ତୁ ରାଷ୍ଟ୍ରୟତ ଉଦ୍ୟୋଗ ଏମସିଏଲ ନୁହେଁ, ଘରୋଇ କମ୍ପାନୀ ରୁଙ୍କଟା ସନ ଲିଃ ଦ୍ୱାରା କୋଇଲା ଉତୋଳନ କରାଯିବ ବୋଲି ଶୁଣିବାକୁ ମିଳେ । ଏହି ଖଣି ବା ପ୍ରକଳ୍ପର ନାଁ ସାକ୍ଷୀଗୋପାଳ (ଖ) । ଏହି ପ୍ରକଳ୍ପରେ ଆସୁଥିବା ଗ୍ରାମ ଗୁଡ଼ିକ ମଧ୍ୟରେ ଅନେକ ଗାଁ ବ୍ରାହ୍ମଣୀ ନଦୀକୂଳରେ ଅବସ୍ଥିତ । ନଦୀକୂଳର ଶହେ ମିଟର ଠାରୁ ବି ଆହୁରି ନିକଟବର୍ତି । ଅପରପକ୍ଷେ ଯଦି ରୁଙ୍କଟା କମ୍ପାନୀ ନିଜର ସର୍ଭେକାର୍ଯ୍ୟ ସାରି କୋଇଲା ଉତୋଳନ ଆରମ୍ଭ କରିଦିଏ ତେବେ ତାଳଚେର ଟାଉନ ଉପରେ ଏହାର କି ପ୍ରଭାବ ପଡ଼ିବ । ତା’ପରେ ପୌରାଚଂଳ ମଧ୍ୟରେ ଥିବା ହାଣ୍ଡିଧୂଆଁ ଭେଲିୟର୍ସ, ଦେଉଳବେଡ଼ା ବିଏନଆର ଏବଂ ଟାଉନସ୍ଥିତ ଚମ୍ପାପଶିରୁ ପୁଣି ପୁନଃ କୋଇଲା ଉତୋଳନ ହେବ ନାହିଁ ତ? କାରଣ କିଛି ଦିନପୂର୍ବେ ଡ଼େରା ଭୂ-ତଳ କୋଇଲା ଖଣିରୁ ପୁନଃ କୋଇଲା ଉତୋଳନ ହେବା ସମ୍ପନ୍ଧୀୟ ନିଷ୍ପତି ଲୋକ ଲୋଚନକୁ ଆସିଥିଲା, ଏବଂ ବିରୋଧ ପରେ ଏମସିଏଲ ସେ ସମ୍ବନ୍ଧରେ ନିରବ ରହିଛି । ନା ଆଗାମୀ ଦିନରେ ତାଳଚେର ପୌରାଚଂଳ ଓ କିଛି ଗାଁ ଗୁଡ଼ିକୁ ଛାଡ଼ି ଚର୍ତୁପାଶ୍ୱର୍ରୁ କୋଇଲା ନେଇ ଏହାକୁ ଏକ ଗାଡ଼ିଆ ବା ଦୀପ କରିବା ଯୋଜନାରେ ନାହାନ୍ତି ତ, ଏହି ଭାଗ୍ୟ ବିଧାତାମାନେ? ତେଣୁ ପୂର୍ବ ପୁରୁଷରୁ ବସବାସ କରୁଥିବା ତାଳଚେରବାସୀ ମାନେ ତାଙ୍କର ଭିଟ୍ଟାମାଟି ହରାଇ ଆଜି ସର୍ବସ୍ୱାନ୍ତ ହେବା ସହିତ ପୌତୃକ ସମ୍ପତି କ’ଣ ବୋଲି ଆଜି ଜନସାଧାରଣ ନିଜକୁ ନିଜେ ପ୍ରଶ୍ନ କରୁଛନ୍ତି । ଅପରପକ୍ଷେ ତାଳଚେର ତାର ବହୁମୂଲ୍ୟ ଦେଇ ଆଜି ଦେଶକୁ ଅଗ୍ରତି ହେବାରେ ସହାୟକ ହୋଇଛି ଏବଂ ନିଜ ଗର୍ଭକୁ ନଷ୍ଟକରି ପ୍ରାୟ ଶହେ ୫ବର୍ଷରୁ ଉର୍ଦ୍ଧ୍ୱ କୋଇଲା ପ୍ରଦାନ କରି ଆସୁଛି, ୧୯୨୧ ମସିହା ଭେଲିୟର୍ସ କମ୍ପାନୀ ଠାରୁ ରୁଙ୍କଟା କମ୍ପାନୀ ୨୦୨୬ ମସିହା ପର୍ଯ୍ୟନ୍ତ ଯନ୍ତ୍ରଣା ଭୋଗୁଛି ତାଳଚେର । ଏବାବଦରେ ତାଳଚେର ଆଜି ପାଇଛି କ’ଣ ଓ ତାଳଚେର ଗତିପଥ କେଉଁଠୁ କୁଆଡ଼େ ବୋଲି ଖାଲି ଅଂଚଳବାସୀ କାହିଁକି ଅନ୍ୟ ଜିଲ୍ଳାର ଜନତା ବି ଏସମ୍ପର୍କରେ ନିଜ ନିଜର ମତପୋଷଣ କରୁଛନ୍ତି ।



