ସୁରତ/କାନପୁର: କୃତ୍ରିମ ବୁଦ୍ଧିମତ୍ତା (AI)କୁ ବ୍ୟବହାର କରି ନକଲି ବ୍ୟାଙ୍କିଂ ଆପ୍ ପ୍ରସ୍ତୁତ କରି ସାରା ଦେଶରେ ସାଇବର ଠକେଇ ଚଳାଉଥିବା ଜଣେ ୧୮ ବର୍ଷୀୟ ଯୁବକଙ୍କୁ ସୁରତ ସିଟି ସାଇବର କ୍ରାଇମ୍ ବ୍ରାଞ୍ଚ ଗିରଫ କରିଛି। ଅଭିଯୁକ୍ତ ହେଲେ ରୋହିତ ବିରେନ୍ଦ୍ରସିଂହ ଶାକ୍ୟ, ଯିଏ ଉତ୍ତରପ୍ରଦେଶର କାନପୁର ବାସିନ୍ଦା ଏବଂ ପାଠପଢ଼ା ଅଧାରୁ ଛାଡ଼ି ଦେଇଥିଲେ।
ପୋଲିସ ସୂଚନା ଅନୁସାରେ, ରୋହିତ AI ଟୁଲ୍ ବ୍ୟବହାର କରି ଦେଶର ପ୍ରମୁଖ ବ୍ୟାଙ୍କଗୁଡ଼ିକର ଆପ୍ ଭଳି ଦେଖାଯାଉଥିବା ନକଲି ଆପ୍ ପ୍ରସ୍ତୁତ କରୁଥିଲେ। ପରେ ସୋସିଆଲ ମିଡିଆ, ଟେଲିଗ୍ରାମ୍ ଓ ବିଭିନ୍ନ ଅନଲାଇନ୍ ମାଧ୍ୟମରେ ଏହାର ଲିଙ୍କ ପ୍ରସାର କରି ଲୋକଙ୍କ ବ୍ୟାଙ୍କିଂ ୟୁଜର ଆଇଡି, ପାସୱାର୍ଡ, OTP ଓ ଅନ୍ୟାନ୍ୟ ଗୋପନୀୟ ତଥ୍ୟ ହାତେଇ ଆର୍ଥିକ ଠକେଇ କରୁଥିଲେ।
ତଦନ୍ତ ବେଳେ ସାଇବର କ୍ରାଇମ୍ ବ୍ରାଞ୍ଚ ଅଭିଯୁକ୍ତଙ୍କୁ କାନପୁରର ଏକ ହୋଟେଲରୁ ଗିରଫ କରିଥିଲା। ତାଙ୍କ ନିକଟରୁ ଲାପଟପ୍, ମୋବାଇଲ୍ ଫୋନ୍, ଏକାଧିକ ସିମ୍ କାର୍ଡ, ବ୍ୟାଙ୍କ ଖାତା ସମ୍ବନ୍ଧୀୟ ତଥ୍ୟ ଏବଂ ସାଇବର ଠକେଇରେ ବ୍ୟବହୃତ ଡିଜିଟାଲ୍ ସାମଗ୍ରୀ ଜବତ କରାଯାଇଛି।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଏହି ଚକ୍ର ମାଧ୍ୟମରେ କୋଟି କୋଟି ଟଙ୍କାର ସାଇବର ଠକେଇ ହୋଇଥିବା ସନ୍ଦେହ କରାଯାଉଛି। ଏହି ରାକେଟ୍ରେ ଆଉ କିଛି ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବାରୁ ପୋଲିସ ତଦନ୍ତକୁ ଆହୁରି ଜୋରଦାର କରିଛି।
ସାଇବର ବିଶେଷଜ୍ଞମାନେ ଲୋକଙ୍କୁ ସତର୍କ କରି କହିଛନ୍ତି ଯେ, କୌଣସି ବ୍ୟାଙ୍କର ଆପ୍ କେବଳ ଅଧିକୃତ App Store କିମ୍ବା Play Storeରୁ ଡାଉନଲୋଡ୍ କରନ୍ତୁ। ଅଜଣା ଲିଙ୍କରେ କ୍ଲିକ୍ କରନ୍ତୁ ନାହିଁ ଏବଂ OTP, PIN କିମ୍ବା ବ୍ୟାଙ୍କିଂ ବିବରଣୀ କାହା ସହିତ ସେୟାର କରନ୍ତୁ ନାହିଁ।



