ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ବାସଭବନ ବାହାରେ କଂଗ୍ରେସର ଧାରଣା ପ୍ରଦର୍ଶନକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଂଗ୍ରେସ ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନ ଖୋଜିବା ପରିବର୍ତ୍ତେ କଂଗ୍ରେସ ସେମାନଙ୍କୁ ରାଜନୈତିକ ସ୍ୱାର୍ଥ ପାଇଁ ବ୍ୟବହାର କରୁଛି।
ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପୋଷ୍ଟ କରି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ସଂସଦର ମୌସୁମୀ ଅଧିବେଶନ ସମୟରେ କଂଗ୍ରେସ ଛାତ୍ରଛାତ୍ରୀଙ୍କୁ ଆଗକୁ ରଖି ରାଜନୈତିକ ପରିବେଶକୁ ଉତ୍ତେଜିତ କରିବାକୁ ଚେଷ୍ଟା କରୁଛି। ପ୍ରଧାନମନ୍ତ୍ରୀଙ୍କ ବାସଭବନ ବାହାରେ ହୋଇଥିବା ଧାରଣା ଫଳରେ ସାଧାରଣ ଲୋକ ଅସୁବିଧାରେ ପଡ଼ିଥିବା ସହ ସୁରକ୍ଷା ବ୍ୟବସ୍ଥା ମଧ୍ୟ ପ୍ରଭାବିତ ହୋଇଥିବା ସେ ଅଭିଯୋଗ କରିଛନ୍ତି।
ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ସରକାର ସଂସଦରେ NEET ସମେତ ଯୁବବର୍ଗଙ୍କ ସମସ୍ତ ପ୍ରସଙ୍ଗ ଉପରେ ଖୋଲା ଆଲୋଚନା ପାଇଁ ପ୍ରସ୍ତୁତ ଥିଲେ ମଧ୍ୟ କଂଗ୍ରେସ ଆଲୋଚନାର ପଥ ଛାଡ଼ି ରାଜନୈତିକ ନାଟକ କରିବାକୁ ବାଛିଛି। ସେମାନଙ୍କ ଲକ୍ଷ୍ୟ ସମାଧାନ ନୁହେଁ, ବରଂ ଚର୍ଚ୍ଚାରେ ରହିବା ଏବଂ ଅଶାନ୍ତି ସୃଷ୍ଟି କରିବା ବୋଲି ସେ କହିଛନ୍ତି।
ସେ ଆହୁରି କହିଛନ୍ତି, ଭାରତର ଛାତ୍ରଛାତ୍ରୀମାନେ କୌଣସି ରାଜନୈତିକ ଦଳର ମୋହରା ନୁହଁନ୍ତି। ସେମାନେ ନାରା ନୁହେଁ, ସମାଧାନ ଚାହୁଁଛନ୍ତି; ଅରାଜକତା ନୁହେଁ, ନିଶ୍ଚିତତା ଚାହୁଁଛନ୍ତି। ସରକାର ଯୁବବର୍ଗଙ୍କ ସମସ୍ୟାର ସମାଧାନ, ଶିକ୍ଷା ବ୍ୟବସ୍ଥାର ସୁଧାର ଏବଂ ସ୍ୱଚ୍ଛତା ପ୍ରତି ସମ୍ପୂର୍ଣ୍ଣ ପ୍ରତିବଦ୍ଧ ବୋଲି ସେ ଦୃଢ଼ତାର ସହ କହିଛନ୍ତି।



