Spread the love

ରାଷ୍ଟ୍ରପତିଙ୍କୁ ଓଡ଼ିଶାର କଳା ଓ ପରମ୍ପରାର ସ୍ମାରକ ଉପହାର; ସମ୍ବଲପୁରୀ ଶାଢ଼ୀରୁ ତାରକସି ଗଣେଶ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ

ଭୁବନେଶ୍ୱର, ୫ ଅଗଷ୍ଟ: ତିନିଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଭାରତର ରାଷ୍ଟ୍ରପତି ଦ୍ରୌପଦୀଙ୍କୁ ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଓଡ଼ିଶାର ସମୃଦ୍ଧ ହସ୍ତତନ୍ତ ଓ ହସ୍ତଶିଳ୍ପ ପରମ୍ପରାର ପ୍ରତୀକ ସ୍ୱରୂପ ସ୍ୱତନ୍ତ୍ର କଳାକୃତି ଉପହାର ସ୍ୱରୂପ ପ୍ରଦାନ କରିଛନ୍ତି।

ଲୋକସେବା ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ବ୍ରହ୍ମପୁର ଗସ୍ତ ପୂର୍ବରୁ ଉପହାର ପ୍ରଦାନ କରାଯାଇଥିଲା। ଏହି ଅବସରରେ ରାଜ୍ୟର ପ୍ରଥମ ମହିଳା ଡ଼. ଜୟଶ୍ରୀ କମ୍ଭମପାଟି ମଧ୍ୟ ଉପସ୍ଥିତ ଥିଲେ।

ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯାଇଥିବା ଉପହାର ମଧ୍ୟରେ ଜାତୀୟ ହସ୍ତତନ୍ତ ପୁରସ୍କାରପ୍ରାପ୍ତ ତଥା ଜିଆଇ ଟ୍ୟାଗ୍‌ପ୍ରାପ୍ତ ସମ୍ବଲପୁରୀ ବାନ୍ଧ ଶାଢ଼ୀ, ପିପିଲିର ପାରମ୍ପରିକ ଚାନ୍ଦୁଆ ଭେଲଭେଟ୍ ଉତ୍ତରୀୟ ଏବଂ କଟକର ପ୍ରସିଦ୍ଧ ରୂପା ତାରକସି କଳାରେ ନିର୍ମିତ ଭଗବାନ ଗଣେଶଙ୍କ ସୁନ୍ଦର ପ୍ରତିମୂର୍ତ୍ତି ସାମିଲ ଥିଲା।

ଏହି ଉପହାର ମାଧ୍ୟମରେ ଓଡ଼ିଶାର ପ୍ରାଚୀନ କାରିଗରୀ ପରମ୍ପରା, ହସ୍ତଶିଳ୍ପର ନିଖୁଣତା ଓ ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ରାଷ୍ଟ୍ରପତିଙ୍କ ସମ୍ମୁଖରେ ଉପସ୍ଥାପନ କରାଯାଇଥିଲା। ଏହା ରାଜ୍ୟର କଳା ଓ କାରିଗରଙ୍କ ସୃଜନଶୀଳତାକୁ ଜାତୀୟ ସ୍ତରରେ ସମ୍ମାନିତ କରିବାର ଏକ ସ୍ମରଣୀୟ ପଦକ୍ଷେପ ବୋଲି ମନେ କରାଯାଉଛି।

Leave a Reply

Your email address will not be published. Required fields are marked *