ଗୁଜରାଟରେ ଚାନ୍ଦିପୁରା ଭାଇରସ୍ ଚିନ୍ତା ବଢ଼ାଇଲା; ୨୨ ଶିଶୁଙ୍କ ମୃତ୍ୟୁ, ସତର୍କ ସ୍ୱାସ୍ଥ୍ୟ ବିଭାଗ
ଅହମଦାବାଦ, ୫ ଅଗଷ୍ଟ: ଗୁଜରାଟରେ ଚାନ୍ଦିପୁରା ଭାଇରସ୍ ସଂକ୍ରମଣକୁ ନେଇ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢ଼ିଛି। ଏହି ମାରାତ୍ମକ ଭାଇରସ୍ ସଂକ୍ରମଣରେ ୨୨ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ରୋଗର ପ୍ରକୋପକୁ ଦୃଷ୍ଟିରେ ରଖି ରାଜ୍ୟରେ ସତର୍କତାମୂଳକ ପଦକ୍ଷେପ ଜୋରଦାର କରାଯାଇଛି।
ଚାନ୍ଦିପୁରା ଭାଇରସ୍ର ପ୍ରାରମ୍ଭିକ ଲକ୍ଷଣ ସାଧାରଣ ଜ୍ୱର ପରି ଦେଖାଯାଉଥିଲେ ମଧ୍ୟ, କିଛି ଦିନ ମଧ୍ୟରେ ଏହା ମସ୍ତିଷ୍କକୁ ପ୍ରଭାବିତ କରି ଗୁରୁତର ସ୍ନାୟୁଜନିତ ସମସ୍ୟା ସୃଷ୍ଟି କରିପାରେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସତର୍କ କରିଛନ୍ତି।
ଗୁଜରାଟର ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରଫୁଲ୍ଲ ପାନସେରିୟାଙ୍କ ସୂଚନା ଅନୁଯାୟୀ, ସନ୍ଦିଗ୍ଧ ସଂକ୍ରମଣ ମାମଲାକୁ ନେଇ ୧୮୪ ଜଣଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଛି। ସଂକ୍ରମଣର ପ୍ରକୃତ ସ୍ଥିତି ଜାଣିବା ସହ ଆବଶ୍ୟକ ଚିକିତ୍ସା ଓ ନିରୀକ୍ଷଣ ବ୍ୟବସ୍ଥା ଜାରି ରହିଛି।
ସ୍ୱାସ୍ଥ୍ୟ ବିଭାଗ ଅଭିଭାବକମାନଙ୍କୁ ଶିଶୁଙ୍କ ଜ୍ୱର, ବାନ୍ତି, ଖିଞ୍ଚୁଣି କିମ୍ବା ଅସ୍ୱାଭାବିକ ବ୍ୟବହାର ଭଳି ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ ଅନୁରୋଧ କରିଛି।



