ମେଧାବୀ ଛାତ୍ର ଓମ୍ ପ୍ରକାଶଙ୍କ ସତିଶ ଧାୱନ ମହାକାଶ କେନ୍ଦ୍ର ପରିଦର୍ଶନ
ତାଳଚେର, ୦୨/୦୬ ତାଳଚେର ବ୍ଲକ୍ସ୍ଥିତ ପଡ଼ିଆଭଙ୍ଗା ପଂଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର ଓମ୍ ପ୍ରକାଶ ବେହେରା ଶ୍ରୀହରିକୋଟାସ୍ଥିତ ସତିଶ ଧାୱନ ମହାକାଶ କେନ୍ଦ୍ର ପରିଦର୍ଶନ କରିବାର ସୁଯୋଗ ଲାଭ କରିଛନ୍ତି । ଗତ ବର୍ଷ ଟାଟା ଷ୍ଟିଲ ଦ୍ୱାରା ଆୟୋଜିତ ରାଜ୍ୟସ୍ତରୀୟ ଯୁବ ମହାକାଶଚାରୀ ପ୍ରତିଭା ଚୟନ କାର୍ଯ୍ୟକ୍ରମରେ ଓଡ଼ିଶାର ଅନେକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ତନ୍ମଧ୍ୟରୁ ଓମ୍ ପ୍ରକାଶ ଶ୍ରେଷ୍ଠ ୩୦ ଜଣ ଛାତ୍ରଛାତ୍ରୀ ମଧ୍ୟରେ ସ୍ଥାନିତ ହୋଇ ଅନ୍ତିମ ଚୟନ ପରୀକ୍ଷା ପାଇଁ ମନୋନୀତ ହୋଇଥିଲେ । ପୁଣି ୧୩ ଡିସେମ୍ବର ୨୦୨୫ରେ ଭୁବନେଶ୍ୱରସ୍ଥିତ ପଠାଣି ସାମନ୍ତ ପ୍ଲାନେଟାରିଅମ୍ରେ ଅନୁଷ୍ଠିତ ପ୍ରକଳ୍ପ କାର୍ଯ୍ୟ ଓ ସାକ୍ଷାତକାରରେ କୃତିତ୍ୱ ଅର୍ଜନ କରି ଶ୍ରେଷ୍ଠ ୧୫ ଜଣଙ୍କ ମଧ୍ୟରେ ସ୍ଥାନ ଅଧିକାର କରିଥିଲେ ମେଧାବୀ ଛାତ୍ର ଓମ୍ ପ୍ରକାଶ । ସେହି ଦିନ ସନ୍ଧ୍ୟାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ଅତିରିକ୍ତ ଶାସନ ସଚିବ ଚିତ୍ରା ଆରୁମୁଗମ୍ ଏବଂ ଟାଟା ଷ୍ଟିଲ କର୍ପୋରେଟ ସର୍ଭିସର ଉପସଭାପତି ଡି.ଭି. ସୁନ୍ଦର୍ ରମନ୍ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ । ଶ୍ରେଷ୍ଠ ୧୫ ଜଣଙ୍କ ମଧ୍ୟରୁ ଓମ୍ ପ୍ରକାଶ ଅନୁଗୋଳ ଜିଲ୍ଲାରୁ ଏକାକୀ ଯୋଗ୍ୟ ବିବେଚିତ ହୋଇ ସମଗ୍ର ଜିଲ୍ଲାର ଗର୍ବ ଓ ଗୌରବ ବୃଦ୍ଧି କରିଛନ୍ତି । ଗତ ସପ୍ତାହରେ ମନୋନୀତ ଛାତ୍ରଛାତ୍ରୀମାନେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ଓ ତାମିଲନାଡୁର ବିଭିନ୍ନ ସ୍ଥାନ ପରିଭ୍ରମଣ କରଥିଲେ । ଏହି ଅବସରରେ ଓମ୍ ପ୍ରକାଶ ଏହି ସଫଳତାର ଶ୍ରେୟ ନିଜ ପିତା ମାତା, ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଲତିକା ମହାପାତ୍ରଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରଦାନ କରିଛନ୍ତି ।

June 3, 2026/
No Comments


