ଜିନ୍ଦଲ ଷ୍ଟିଲ ପକ୍ଷରୁ ବିଶ୍ୱ ପରିବେଶ ଦିବସ-୨୦୨୬ ପାଳିତ

ଅନୁଗୋଳ: ୫ ଜୁନ ୨୦୨୬: ଜିନ୍ଦଲ ଷ୍ଟିଲ ଅନୁଗୋଳ ସ୍ଥିତ ଜିନ୍ଦଲ ନଗରରେ ବିଶ୍ୱ ପରିବେଶ ଦିବସ ୨୦୨୬ ପାଳିତ ହୋଇଯାଇଛି । ଏହି ଅବସରରେ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ତ୍ୱରିତ ପଦକ୍ଷେପ ଉପରେ ଧ୍ୟାନ କେନ୍ଦ୍ରିତ କରାଯାଇଥିଲା ଏବଂ ପରିବେଶଗତ ସ୍ଥିରତା ପାଇଁ ଗୋଟିଏ ସପ୍ତାହ ଧରି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । “ପ୍ରକୃତି ଦ୍ୱାରା ଅନୁପ୍ରାଣିତ । ଜଳବାୟୁ ପାଇଁ । ଆମ ଭବିଷ୍ୟତ ପାଇଁ “। ଏହି ବିଷୟବସ୍ତୁରେ ଅନୁପ୍ରାଣିତ ହୋଇ ଜିନ୍ଦଲ ଷ୍ଟିଲର କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ମଧ୍ୟରେ ପରିବେଶଗତ ଜାଗରଣ ସୃଷ୍ଟି କରାଯାଇଥିଲା ।
ଏହି ଅବସରରେ ଜିନ୍ଦଲ ନଗର ଟାଉନସିପରେ ‘ପରିବେଶ ପାଇଁ ଦୌଡ଼’ ନାଁରେ ଏକ ଗଣଦୌଡ଼ ଏବଂ ଏକ ବୃକ୍ଷରୋପଣ ଅଭିଯାନ ଆୟୋଜିତ ହୋଇଥିଲା । ଜିନ୍ଦଲ ଷ୍ଟିଲର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ସଂଯୁକ୍ତ ଅନୁଗୋଳ ମୁଖ୍ୟ ଶ୍ରୀ ପି.କେ ବିଜୁ ନାୟର ସବୁଜ ପତାକା ଦେଖାଇ ଏହି ଗଣଦୌଡ଼ର ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଆଇରନ୍ ଜୋନ୍) ଶ୍ରୀ ଦାମୋଦର ମିତ୍ତଲ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ସ୍ୱତନ୍ତ୍ର ପ୍ରକଳ୍ପ) ଶ୍ରୀ ହୃଦୟେଶ୍ୱର ଝା, ସ୍ୱାମୀ ସତ୍ୟବିନ୍ଦୁ ସରସ୍ୱତୀ ଓ ଅନ୍ୟାନ୍ୟ ବିଶିଷ୍ଟ ଅତିଥିମାନେ ଉପସ୍ଥିତ ଥିଲେ । ଏହି ଦୌଡ଼ରେ ବହୁ ସଂଖ୍ୟାରେ କର୍ମଚାରୀ, ସେମାନଙ୍କ ପରିବାର ସଦସ୍ୟ ଏବଂ ସ୍ଥାନୀୟ ଅଂଚଳର ବାସିନ୍ଦାମାନେ ଅଂଶଗ୍ରହଣ କରିଥିଲେ । ଇଡେନ୍ ଗାର୍ଡେନରୁ ଆରମ୍ଭ ହୋଇ ଏହି ଗଣଦୌଡ଼ ବୃକ୍ଷରୋପଣ ସ୍ଥଳରେ ଶେଷ ହୋଇଥିଲା ।
ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସହାୟକ ପରିବେଶ ବିଜ୍ଞାନୀ, ଡଃ ପ୍ରଫୁଲ୍ଲ କୁମାର ବେହେରା ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଜିନ୍ଦଲ ନଗରରେ ଏକ ଚାରା ରୋପଣ କରିଥିଲେ, ଯାହା ଏହି କାର୍ଯ୍ୟକ୍ରମର ଗୁରୁତ୍ୱକୁ ବଢ଼ାଇ ଦେଇଥିଲା ।
ଏହା ସହିତ, ପିଲାମାନଙ୍କ ପାଇଁ ଚିତ୍ରାଙ୍କନ ଏବଂ ଚିତ୍ରକଳା ପ୍ରତିଯୋଗିତା ଏବଂ ଗୃହିଣୀମାନଙ୍କ ପାଇଁ ପ୍ରବନ୍ଧ ଓ କୁଇଜ୍ ପ୍ରତିଯୋଗିତା ସହିତ ଏକାଧିକ କାର୍ଯ୍ୟକ୍ରମ ଏବଂ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ପରିବେଶ ସଚେତନତା ଓ ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧରେ ଜାଗରଣ ସୃଷ୍ଟି କରିବା ଉଦେ୍ଦଶ୍ୟରେ କର୍ମଚାରୀମାନଙ୍କ ପାଇଁ ଏକ ଅନଲାଇନ୍ କୁଇଜ୍ ପ୍ରତିଯୋଗିତାର ମଧ୍ୟ ଆୟୋଜନ କରାଯାଇଥିଲା ।
ଘରୋଇ ବର୍ଜ୍ୟବସ୍ତୁ ପରିଚାଳନା ଉପରେ ଏକ ବିଶେଷ କର୍ମଶାଳାର ଆୟୋଜନ କରାଯାଇଥିଲା, ଯେଉଁଥିରେ ଦୁଇ-ଡଷ୍ଟବିନ୍ ପ୍ରଣାଳୀ ମାଧ୍ୟମରେ ଉତ୍ସସ୍ତରରେ ବର୍ଜ୍ୟ ପୃଥକୀକରଣ, ଘରୋଇ କମ୍ପୋଷ୍ଟିଂ ପ୍ରଣାଳୀ ଏବଂ ବର୍ଜ୍ୟବସ୍ତୁର ପୁନଃବ୍ୟବହାର ବିଷୟରେ ଅବଗତ କରାଯାଇଥିଲା। ଏହି ପଦକ୍ଷେପ ଟାଉନସିପ୍ର “ଶୂନ୍ୟ ବର୍ଜ୍ୟବସ୍ତୁ” ସମ୍ପ୍ରଦାୟ ହେବାର ଦୃଷ୍ଟିକୋଣକୁ ସମର୍ଥନ କରୁଛି।
ସମ୍ପ୍ରଦାୟର ଉତ୍ସାହୀ ଅଂଶଗ୍ରହଣ ଏବଂ ପ୍ରତିଯୋଗିତାରେ ବିଜେତାମାନଙ୍କ ନାମ ଘୋଷଣା ସହ ଏହି କାର୍ଯ୍ୟକ୍ରମ ଶେଷ ହୋଇଥିଲା । ଜଳବାୟୁ ନେଇ ସତର୍କତା, ପରିବେଶ ପରିଚାଳନା ଏବଂ ସ୍ଥାୟୀ ବିକାଶ ପ୍ରତି ଜିନ୍ଦଲ ଷ୍ଟିଲ କେତେ ପ୍ରତିବଦ୍ଧ ତାହା ଏହି ସମସ୍ତ କାର୍ଯ୍ୟକ୍ରମ ଜରିଆରେ ପ୍ରତିଫଳିତ ହୋଇଥିଲା ।
ଜିନ୍ଦଲ ଫାଉଣ୍ଡେସନ୍ ପକ୍ଷରୁ ଡେରଜାଙ୍ଗ, ମାଲିବ୍ରାହ୍ମଣି ଏବଂ ଓପିଜେସିସିରେ ମଧ୍ୟ ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଥିଲା । ଏହି ଅବସରରେ ଉଦ୍ୟାନ, ସ୍ଥାୟୀ ଖାଦ୍ୟ ଉତ୍ପାଦନ ଏବଂ ବାଡ଼ିରେ ପୁଷ୍ଟିକର ଚାଷକୁ ପ୍ରାତ୍ସାହିତ କରିବା ପାଇଁ ଛାତ୍ରଛାତ୍ରୀ ଏବଂ ଚାଷୀମାନଙ୍କୁ ବିହନ ବଣ୍ଟନ କରାଯାଇଥିଲା । ଡେରଜାଙ୍ଗରେ ସମ୍ପ୍ରଦାୟର ସକ୍ରିୟ ଅଂଶଗ୍ରହଣରେ ଏକ ବୃକ୍ଷରୋପଣ ଅଭିଯାନ ଆୟୋଜନ ମଧ୍ୟ କରାଯାଇଥିଲା।




