ଆର୍ସେଲର ମିତ୍ତଲ୍ ନିପନ ଷ୍ଟିଲର ଠାକୁରାଣୀ ଲୌହଖଣି ଫାଟକ ସମ୍ମୁଖରେ ଗ୍ରାମବାସୀଙ୍କ ଧାରଣା ।

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ ଠାକୁରାଣୀ ସ୍ଥିତ ଆର୍ସେଲର ମିତ୍ତଲ୍ ନିପନ ଷ୍ଟିଲ ଠାକୁରାଣୀ ଲୌହ ଖଣିରେ ଆଜି ସକାଳୁ ଉତେଜନା ଦେଖାଦେଇଛି । ବଡ଼ବିଲ ବିକାଶ ସମିତି ନେତୃତ୍ୱରେ ଠାକୁରାଣୀ , କାରା , କାରାଖେଣ୍ଡରା , ସେଡିଂ , ବେଲକୁଣ୍ଡି ଏବଂ ବଡ଼ବିଲ ଗ୍ରାମର ବାସିନ୍ଦା ଆଜି ସକାଳୁ ଉକ୍ତ ଖଣି ଫାଟକ ସମ୍ମୁଖରେ ଧାରଣା ଦେଇଥିବା ଦେଖିବାକୁ ମିଳିଛି । ଫଳରେ ଆର୍ସେଲର ମିତ୍ତଲ୍ ନିପନ୍ ଷ୍ଟିଲର ଖଣିରୁ ଲୁହାପଥର ପରିବହନ ସମ୍ପୂର୍ଣ୍ଣ ରୂପେ ଠପ୍ ହୋଇ ଯାଇଛି । ଏପରିକି କମ୍ପାନୀର କର୍ମଚାରୀ ମାନେ ଖଣି ଭିତରକୁ ଯାଇ ନପାରି ବାହାରେ ବୁଲୁଥିବାର ଜଣାପଡ଼ିଛି । ସୂଚନା ଅନୁସାରେ ୨୦୨୫ ମସିହା ସେପଟେମ୍ବର ମାସରେ ଗ୍ରାମବାସୀ ମାନେ ବିଭିନ୍ନ ସମସ୍ୟାର ସମାଧାନ ପାଇଁ କମ୍ପାନୀକୁ ଏକ ଲିଖିତ ଅଭିଯୋଗ ଦେଇଥିଲେ, ଖଣି କତୃପକ୍ଷ ଏହାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିବା ବେଳେ ପରବର୍ତ୍ତୀ ସମୟରେ ତାହା ପାଣିର ଗାର ସଦୃଶ ପାଲଟିଥିଲା। କିନ୍ତୁ ଆଜକୁ ୯ ମାସ ବିତି ଯାଇଥିଲେ ମଧ୍ୟ କମ୍ପାନୀ କର୍ତ୍ତୃପକ୍ଷ ଏହାକୁ କର୍ଣ୍ଣପାତ କରି ନଥିଲେ । ବାଧ୍ୟହୋଇ ଗ୍ରାମବାସୀ ମାନେ ଚଳିତ ମାସ ୨ ତାରିଖ ଦିନ ୭ ଦଫା ଦାବି ସମ୍ବଳିତ ଆଉ ଏକ ଲିଖିତ ଅଭିଯୋଗ କରିଥିଲେ , ଯେଉଁଥିରେ ସେମାନେ କମ୍ପାନୀକୁ ୫ଦିନ ଭିତରେ ଜବାବ ରଖିବାକୁ ଅନୁରୋଧ କରିଥିଲେ । କମ୍ପାନୀ କୌଣସି ଜବାବ ନଦେବାରୁ ଆଜି ସକାଳୁ ଶତାଧିକ ସଂଖ୍ୟାରେ ପୁରୁଷ ଓ ମହିଳା ଏକତ୍ରିତ ହୋଇ କମ୍ପାନୀ ଫାଟକ ସମ୍ମୁଖରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି। ଆନ୍ଦୋଳନକାରୀ ମାନେ କହିଛନ୍ତି ଆଜି ଆମେ କମ୍ପାନୀକୁ ଚେତେଇଦେବା ପାଇଁ ୧୨ ଘଣ୍ଟିଆ ଖଣିକାର୍ଯ୍ୟ ବନ୍ଦ ଡାକରା ଦେଇଥିଲୁ । ଯଦି କମ୍ପାନୀ ଆମକଥା ନଶୁଣେ ତେବେ ଆଗାମୀ ଦିନରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣାରେ ବସିବାକୁ ବାଧ୍ୟ ହେବୁ ।
ଦାବି ଗୁଡ଼ିକ ହେଲା :
ଲୌହ ଗୁଣ୍ଡ ବୋଝେଇ ଗାଡ଼ି ଗୁଡ଼ିକ ଗଲାବେଳେ ଲୁହା ଗୁଣ୍ଡ ଉଡି ସମଗ୍ର ପରିବେଶ ପ୍ରଦୂଷିତ ହେଉଛି , ଏହାର ପ୍ରତିକାର କରିବା।
ଲୁହାପଥର ବୋଝେଇ ଗାଡ଼ି ଚଳାଚଳ ଫଳରେ ଧୂଳି ଉଡି ଘର ଠାରୁ ଆରମ୍ଭ କରି ଭାତହାଣ୍ଡି ଯାଏ ନାଲି ହେଇ ଯାଉଛି । ଏହାର ପ୍ରତିକାର ଦାବି ।
ତୈଳଦର ବୃଦ୍ଧିହେବା ସଙ୍ଗେସଙ୍ଗେ ପରିବହନ ଦର ବୃଦ୍ଧି କରିବା ।
ଦୁର୍ଘଟଣା ରୋକିବା ପାଇଁ ସ୍ଥାୟୀ ବ୍ୟବସ୍ଥା କରିବା ।
ରୋଗୀ ମାନଙ୍କ ପାଇଁ ୨୪ ଘଣ୍ଟିଆ ଆମ୍ବୁଲାନ୍ସ ସେବା ବ୍ୟବସ୍ଥା କରିବା
ଟ୍ରକ୍ ଗୁଡ଼ିକ ପାଇଁ ପାର୍କିଂ ସ୍ଥଳର ଉନ୍ନତିକରଣ କରିବା
ସ୍ଥାନୀୟ ପରିବହନକାରି ସଂସ୍ଥା ଗୁଡିକୁ ଅଗ୍ରାଧିକାର ଦେବା ଇତ୍ୟାଦି ଦାବୀ ନେଇ ଧାରଣା ଦେଇଥିବା ସୂଚନା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।




