ତାଳଚେରରେ ଘନଘନ ବିଜୁଳିକାଟ୍ ଲୋକେ ଅତିଷ୍ଠ : ରାତିଅଧରେ ପହରା ଦେଉଛନ୍ତି ଅଂଚଳବାସୀ
ତାଳଚେର, ୧୩/୦୭ ତାଳଚେର ଭଳି ଏକ ଶିଳ୍ପନଗରୀ ଅଂଚଳରେ ୩ଟି ବୃହତମ ବିଦ୍ୟୁତ କାରଖାନା ରହିଛି । ତାଳଚେର ଅଂଚଳବାସୀଙ୍କୁ ନିରବଚ୍ଛନ୍ନ ବିଦ୍ୟୁତ୍ ସେବା ଯୋଗାଇ ଦେବା ପରିବର୍ତେ ଘନଘନ ବିଜୁଳିକାଟ ପାଇଁ ଅଂଚଳବାସୀ ନାହିଁନଥିବା ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି । ଆକାଶରେ ନାହିଁ ବର୍ଷା, କି ନାହିଁ ବିଜୁଳି ଘଡ଼ଘଡ଼ି ହେଲେ ଏଠାରେ ବିଜୁଳି ସମସ୍ୟା ଉତ୍କଟତର ହେବାରେ ଲାଗିଛି ସହିତ ରାତିଅଧରେ ଲୋକେ ପହରା ଦେଉଥିବା କଥା ସକାଳ ପାହିଲେ ଚା’ଖଟି ଗୁଡ଼ିକରେ ଚର୍ଚ୍ଚା ପରିସରକୁ ଆସୁଛି । ଭାରତବର୍ଷରେ ତାଳଚେର ଏକ ଉତପ୍ତ ସହରଭାବେ ପରିଗଣିତ । ଏଠାରେ ଏନଟିପିସି, ଟିଟିପିଏସ୍, ରେଙ୍ଗାଳୀ ଏଥିସହ ଛୋଟଛୋଟ ବିଦ୍ୟୁତ୍ କାରଖାନା ଥିଲେ ମଧ୍ୟ ଏହି କାରଖାନାରୁ ବାହାର ରାଜ୍ୟକୁ ନିରବଚ୍ଛିନ୍ନ ଭାବେ ବିଦ୍ୟୁତ୍ ସେବା ଯୋଗାଇ ଦିଆଯାଏ । ମାତ୍ର ଦୀପତଳ ଅନ୍ଧାର ସଦୃଶ୍ୟ ଭଳି ଏଠାରେ ବାରମ୍ବାର ବିଦ୍ୟୁତ୍ କାଟ ସମସ୍ୟା ସହିତ ଲୋଭୋଲଟେଜ୍ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । ତାଳଚେର ଅଂଚଳରେ ବ୍ୟାପକ ଖଣି କାରଖାନା ରହିଥିବାରୁ ଓ ଏଥିପାଇଁ ଜଙ୍ଗଲ ଗୁଡ଼ିକୁ ପଦା କରି ଦିଆଯାଉଥିବାରୁ ଏଠାରେ ପ୍ରବଳ ଗ୍ରୀଷ୍ମ ଲହରୀ ସହିତ ଗୁଳୁଗୁଳି ଲୋକଙ୍କୁ ଅସମ୍ଭାଳ କରିଦେଇଛି । ସେସୁ ହାତରେ ପାୱାର ସପ୍ଲାଇ ଦାୟୀତ୍ୱ ରହିଥିବା ବେଳେ ଯେତିକି ବିଦ୍ୟୁତ୍ କାଟ ହେଉନଥିଲା ବର୍ତମାନ ଟାଟା କମ୍ପାନୀ ତା’ଠାରୁ ବହୁ ଗୁଣାରେ ବିଦ୍ୟୁତ୍ କାଟ ସହିତ ଲୋଭେଲଟେଜ୍ରେ ଅଂଚଳବସୀ ତ୍ରାହିତ୍ରାହି ଡ଼ାକ ଦେଉଛନ୍ତି । ରାଜ୍ୟ ସରକାର ଖରାଦିନରେ ବିଦ୍ୟୁତ୍ କାଟ ନକରିବାକୁ ନିର୍ଦ୍ଦେଶନାମା କରିଥିଲେ ମଧ୍ୟ ତାହା କେବଳ ଲୋକ ଦେଖାଣିଆ ବୋଲି କୁହାଯାଉଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଖରାଦିନରେ ବିଦ୍ୟୁତ୍ କାଟ କଲେ ସମ୍ପୃକ୍ତ ଅଧିକାରୀଙ୍କୁ କୋଠରୁ କୋଠର ଦଣ୍ଡ ଦେବାପାଇଁ ଘୋଷଣା କରିଥିଲେ । ମାତ୍ର ତାହା ଆଜି ତାଳଚେର ଅଂଚଳରେ ପାଣିରଗାର ସଦୃଶ୍ୟ ହୋଇଛି । ତେଣୁ ତୁରନ୍ତ ଏଦିଗରେ ପଦକ୍ଷେପ ନେବାପାଇଁ ଅଂଚଳବାସୀ ଦାବି କରୁଛନ୍ତି, ନତୁବା ଆଗାମୀ ଦିନରେ ଏକ ବଡ଼ଧରଣର ଜନ ଆନ୍ଦୋଳନକୁ ଏଡ଼ାଇ ଦିଆଯାଇନପାରେ ।
ସ୍ଥାନୀୟ ବିଧାୟକଙ୍କ କ୍ୟାମ୍ପରୁ ୩ ମୟୁର ଜବତ
ତାଳଚେର, ୧୩/୦୭ ତାଳଚେର ବ୍ଲକ ଅନ୍ତର୍ଗତ ଭରତପୁର ନିକଟସ୍ଥ ମାଳ ରଗୁଡ଼ି ଆଶ୍ରମରୁ ଆଜି ୩ମୟୁର ଜବତ ହେବା ଘଟଣା ତାଳଚେର ଅଂଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । କୁଆଡ଼େ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ସେଠାରେ ବହୁବର୍ଷରୁ ଗୋଟିଏ ଆଶ୍ରମକରି ସେହି ଆଶ୍ରମ ପରିସରରେ ପାର୍କ ସହିତ ବିଭିନ୍ନ ପ୍ରଜାତିର ପକ୍ଷୀ ରଖିଥିଲେ । ଏହି ଘଟଣା ପ୍ରଚାରିତ ହେବାପରେ ଆଜି ତାଳଚେର ବନବିଭାଗ ପକ୍ଷରୁ ହଠାତ୍ ସେଠାରେ ଚଢ଼ାଉକରି ଭାରତର ଜାତୀୟପକ୍ଷୀ କୁହାଯାଉଥିବା ୩ଟି ମୟୁରକୁ ଜବତ କରିଛନ୍ତି । ତେବେ ଏସମ୍ପର୍କରେ ତାଳଚେର ବନାଧିକାରୀଙ୍କୁ ଫୋନଯୋଗେ ଯୋଗାଯୋଗ କରାଯାଇଥିଲେ ହେଁ ସମ୍ଭବପର ହୋଇପାରିନାହିଁ ।
ମେଡିକାଲ୍ରେ ନର୍ସ ନିଯୁକ୍ତିରେ ଜାଲିଆତି ପ୍ରସଙ୍ଗ
ମହିଳା କଂଗ୍ରେସ୍ ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର
ତାଳଚେର, ୧୩/୦୭ ତାଳଚେର ସ୍ଥିତ ପବିତ୍ର ମୋହନ ପ୍ରଧାନ ମେଡିକାଲ୍ ରେ ନର୍ସ ନିଯୁକ୍ତିରେ ଜାଲିଆତି ପ୍ରସଙ୍ଗ ନେଇ ଜିଲ୍ଲା ମହିଳା କଂଗ୍ରେସ୍ ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ଅନୁଗୋଳ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ସବିତାରାଣୀ ଧୀରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଉପଜିଲ୍ଲାକାଳ ଆଶିଷ ରଞ୍ଜନ ସାହୁଙ୍କୁ ଭେଟି ଦାବୀପତ୍ର ପ୍ରଦାନ କରିଥିଲେ । ଦାବୀପତ୍ରରେ ଉଲ୍ଲେଖ କରାଯାଇଅଛି ଯେ, ରାଜନୈତିକ ଛକାପଞ୍ଝା ମଧ୍ୟରେ ଦୋଷୀ କୁ ଖସାଇବାକୁ ଚକ୍ରାନ୍ତ କରାଯାଉଛି ଏବଂ ନୂତନ ଏଜେନ୍ସି କୁ ଠିକ୍ ଭାବେ କାମ କରିବାକୁ ଦିଆଯାଉ । ନର୍ସ ନିଯୁକ୍ତିରେ ଜାଲିଆତି ପ୍ରସଙ୍ଗ ସମଗ୍ର ରାଜ୍ୟରେ ଚଳହ ପକାଇଥିବାବେଳେ ସରକାରଙ୍କ ତରଫରୁ ତଦନ୍ତ ପ୍ରକ୍ରିୟା ଚାଲୁ ରହିଛି । ଇତି ମଧ୍ୟରେ ନୂତନ ଏଜେନ୍ସି ମଧ୍ୟ ନିଯୁକ୍ତି ହୋଇ କାର୍ଯ୍ୟ ଆରମ୍ଭ କରିଛି । ଏଭଳି ପରିସ୍ଥିତିରେ ଡାକ୍ତରଖାନା ପରିସରରେ ଅଶାନ୍ତ କଣ ପାଇଁ ବୋଲି ପ୍ରଶ୍ନ କରିଛନ୍ତି । କିଛି ଦଲାଲ ଲୋକ ମାନଙ୍କ ଠାରୁ ଅର୍ଥ ଉତ୍କୋଚ ନେଇ ନିଯୁକ୍ତି ଦେବାକୁ ଲାଗିପଡିଛନ୍ତି । ଯେଉଁ ମାନେ କି ବିଭିନ୍ନ ଦଳୀୟ ଲୋକ ବୋଲି ନିଜକୁ ପରିଚୟ ଦେଇ ଗଣ୍ଡଗୋଳ ସୃଷ୍ଟି କରୁଛନ୍ତି । ଏହା ଫଳରେ ତଦନ୍ତ ବାଟବଣା ହେବାକୁ ଯାଉଛି । ରାଜନୈତିକ ଲୋକମାନଙ୍କର ଆଶ୍ରୟ ନେଇ ପୁଣି କିଛି ଫର୍ଜରୀ ପ୍ରାର୍ଥୀ ଚାକିରୀ କରିବାକୁ ବସିଛନ୍ତି । ପବିତ୍ର ମୋହନ ସରକାରୀ ମେଡିକାଲ୍ ରେ ଷ୍ଟାଫ ନିଯୁକ୍ତି ପାଇଁ ଯେଉଁ ସଂସ୍ଥା ଟେଣ୍ଡର ପାଇଛି ତାକୁ ସ୍ୱଚ୍ଛ ଭାବେ କାମ କରିବାକୁ ଦିଆଯାଉ । ତଦନ୍ତ ପ୍ରକ୍ରିୟାକୁ ଶୀଘ୍ର ସମାପ୍ତ କରାଯାଇ ଦୋଷୀ ଓ ଦଲାଲ୍ ଙ୍କୁ ଧରାଯାଉ ଏବଂ ରାଜନୈତିକ ଆଶ୍ରୟ ଦିଆନଯାଉ ବୋଲି ଉଲ୍ଲେଖ କରାଯାଇଛି । ଆଜିର ଏହି ଦାବୀପତ୍ର ପ୍ରଦାନ ବେଳେ, ପୁଷ୍ପଲତା ପ୍ରଧାନ, ରାଜକିଶୋର ସାହୁ, ପ୍ରଦିପ ମହାରଣା, ନିଳମାଧବ ପଟ୍ଟନାୟକ, ତୀର୍ଥବାସୀ ବେହେରା, ଅଞ୍ଜନାରାଣୀ ମହାରଣା, କବିତା ମହାରଣା, କବିତା ମହାକୁଡ, ସୁଜାତା ରାଉତ, ସୋମବାରୀ ମହାକୁଡ ପ୍ରମୁଖ ଉପସ୍ଥିତ ଥିଲେ ।



