ଘୋଡ଼ାଶାଳ ଠାରୁ ଫାଷ୍ଟଗେଟ ପର୍ଯ୍ୟନ୍ତ ରାସ୍ତା ପ୍ରଶାସ୍ତି କରଣ କେବେ?

ତାଳଚେର, ୧୩/୦୭ ବହୁ ପୂରାତନ ତାଳଚେର ଟାଉନ୍ ଘୋଡ଼ାଶାଳ ଗେଟ୍ ଠାରୁ ଆରମ୍ଭକରି ବଡ଼ବଜାର ଦେଇ ଫାଷ୍ଟଗେଟ୍ ପର୍ଯ୍ୟନ୍ତ ତାଳଚେରର ପେଣ୍ଠସ୍ଥଳୀ ବା ମୁଖ୍ୟ ବଜାର ବୋଲି କୁହାଯାଉଥିଲା । ତାଳଚେର ଅଂଚଳବାସୀଙ୍କ ସମେତ ଆଖପାଖ ଅଂଚଳର ଲୋକେ ଏଡି ବଜାର ଉପରେ ନିର୍ଭର କରୁଥିଲେ । ରାଜାରାଜୁଡ଼ା ଅମଳରୁ ଏହି ବଜାରକୁ ପ୍ରଥମେ ବସ୍ ଘୋଡ଼ାଶାଳ ନିକଟସ୍ଥ ଯୁବରାଜ ହାଇସ୍କୁଲ ଠାରୁ ବାହାରି ବଡ଼ବଜାର, ନୂଆବଜାର ଓ ଫାଷ୍ଟଗେଟ୍ ଦେଇ ଗନ୍ତବ୍ୟ ପଥକୁ ଯାଉଥିଲା । ଏହା ଫଳରେ ସହରର ଚର୍ତୁପାଶ୍ୱର୍ରେ ରହୁଥିବା ଗ୍ରାମ ଗୁଡ଼ିକର ଲୋକମାନେ ସେଠାରେ ବସକୁ ଅପେକ୍ଷା କରିବା ସହିତ ଅତି ସୁବିଧାରେ ନିଜ ନିଜ ସ୍ଥାନକୁ ଯାଉଥିଲେ ଓ ଦୂରଦୂରାନ୍ତକୁ ଯାତାୟତରେ ସୁବିଧା ମଧ୍ୟ ହେଉଥିଲା । କିଛି କୁଚକ୍ରି ଗୋଷ୍ଠୀ ରାସ୍ତାର ଉଭୟ ପାଶ୍ୱର୍କୁ ଜବରଦଖଲ କରି ଘର ଓ ଦୋକାନବାଡ଼ି ନିର୍ମାଣ କରି ବେଶ ଭଲ ଦିପଇସା ରୋଜଗାର କଲେ । ଯାହା ଫଳରେକି, ରାସ୍ତାଟି ସଂକୀର୍ଣ୍ଣ ହେବା ସହ ବସ୍ ଚଳାଚଳକୁ ବନ୍ଦ କରିଦିଆଗଲା । ଏହି ସହର ମଧ୍ୟରେ ଘୋଡ଼ାଶାଳ ଠାରେ ମୁଖ୍ୟଡ଼ାକଘର, ରାଜବାଟ୍ଟୀ ନିକଟରେ ପୁରୁଣା କଚେରୀ, ତାଳଚେର ମହାବିଦ୍ୟାଳୟ, ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ, ସମାଜ କାର୍ଯ୍ୟାଳୟ, ଆରଟିଓ କାର୍ଯ୍ୟାଳୟ ଇତ୍ୟାଦି ରହିଥିଲା । ଏହା ଫଳରେ ତାଳଚେର ସହରଟି ଜନଗହଳି ରହିବା ସହ ବଜାରର ଗୁରୁତ୍ୱ ମଧ୍ୟ ରହିଥିଲା । ପରବର୍ତି ସମୟରେ ରାସ୍ତାର ଉଭୟ ପାଶ୍ୱର୍କୁ ଜବରଦଖଲ କରିଥିବାରୁ ବଜାରର ଗୁରୁତ୍ୱ କମିବାରେ ଲାଗିଲା । ରାତି ୮ଟା ପରେ ବଜାରଟି ସତେ ଯେପରି ଖାଁ ଖାଁ ଦେଖାଦେଇଥାଏ ଓ ମୁଖ୍ୟରାସ୍ତାଟି ସଂକୀର୍ଣ୍ଣ ହେବାସହ ଜନସାଧାରଣ ରାସ୍ତା ଉପରେ ଗାଡ଼ି, ମଟର, ସାଇକେଲ ଇତ୍ୟାଦି ରଖୁଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ତାଳଚେର ଉପଜିଲ୍ଳାପାଳ ଆଶିଷ ରଞ୍ଜନ ସାହୁ ଘୋଡ଼ାଶାଳ ଗେଟ୍ ଠାରୁ ଆରମ୍ଭକରି ଫାଷ୍ଟଗେଟ୍ ପର୍ଯ୍ୟନ୍ତ ରାସ୍ତାର ଜବରଦଖଲ ଉଚ୍ଛେଦ କରି ରାସ୍ତା ପ୍ରଶସ୍ତିିକରଣ କରିବା ପାଇଁ ସାଧାରଣରେ ଦାବି ହେଉଛି ।



