ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ଜୀବନୀ ହେବ ଯୁବପିଢ଼ିର ପ୍ରେରଣା; ପୁସ୍ତକ ଉନ୍ମୋଚନ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା
ଭୁବନେଶ୍ୱର: ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ତ୍ୟାଗ, ସେବା, ରାଷ୍ଟ୍ରଭକ୍ତି ଓ ଆଧ୍ୟାତ୍ମିକ ଆଦର୍ଶ ଆଗାମୀ ପିଢ଼ି ପାଇଁ ସଦା ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱରର ରେଳ ଅଡିଟୋରିୟମରେ ଆୟୋଜିତ ‘ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ: କୃତି ଓ ବ୍ୟକ୍ତିତ୍ୱ’ ପୁସ୍ତକ ଉନ୍ମୋଚନ ସମାରୋହରେ ଯୋଗଦେଇ ସେ ଏହି ମତ ପ୍ରକାଶ କରିଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ, କୌଣସି ମହାପୁରୁଷଙ୍କ ଜୀବନୀ କେବଳ ଇତିହାସ ନୁହେଁ, ବରଂ ସମାଜ ଓ ଯୁବପିଢ଼ି ପାଇଁ ଏକ ଜୀବନଦର୍ଶନ। କନ୍ଧମାଳର ଆଦିବାସୀ ଓ ବନବାସୀ ସମାଜର ଶିକ୍ଷା, ସେବା ଓ ସଶକ୍ତିକରଣ ପାଇଁ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ଅବଦାନ ଅବିସ୍ମରଣୀୟ ବୋଲି ସେ କହିଥିଲେ।
ସେ ଆହୁରି ସୂଚନା ଦେଇଥିଲେ ଯେ, ଫୁଲବାଣୀ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟକୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାମରେ ନାମିତ କରାଯାଇଛି। ଏହା ସହ ଜଲେଶପଟ୍ଟା ଆଶ୍ରମର ବିକାଶ, ୩୦୦ ଆସନ ବିଶିଷ୍ଟ ଛାତ୍ରୀ ନିବାସ ନିର୍ମାଣ ଓ ଅନ୍ୟାନ୍ୟ ଭିତ୍ତିଭୂମି ସୁବିଧା ପାଇଁ ₹୧୩ କୋଟି ମଞ୍ଜୁର ହୋଇଥିବା ଘୋଷଣା କରିଥିଲେ।
ଆଗାମୀ ଅଗଷ୍ଟ ୨୧ରୁ ଆରମ୍ଭ ହେବାକୁ ଥିବା ସ୍ୱାମୀଜୀଙ୍କ ଜନ୍ମ ଶତବାର୍ଷିକୀ ବର୍ଷ ପାଳନ ଅବସରରେ ତାଙ୍କ ଆଦର୍ଶ ଓ ଚିନ୍ତାଧାରାକୁ ରାଜ୍ୟର ପ୍ରତ୍ୟେକ ଗାଁ ସହ ବିଭିନ୍ନ ବିଶ୍ୱବିଦ୍ୟାଳୟରେ ସେମିନାର ଓ କର୍ମଶାଳା ମାଧ୍ୟମରେ ପହଞ୍ଚାଇବାକୁ ସରକାର ପଦକ୍ଷେପ ନେବ ବୋଲି ସେ କହିଥିଲେ।
୨୦୦୮ ମସିହାରେ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟା ପ୍ରସଙ୍ଗ ଉଠାଇ ମୁଖ୍ୟମନ୍ତ୍ରୀ କହିଥିଲେ, ସେହି ଘଟଣା ସମ୍ପର୍କିତ ଫାଇଲ୍ ଗାଏବ ହେବା ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚକୁ ଦିଆଯାଇଛି ଏବଂ ପ୍ରକୃତ ସତ୍ୟ ସାମ୍ନାକୁ ଆଣିବା ସହ ଦୋଷୀଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।
ସମାରୋହରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରକାର୍ଯ୍ୟବାହ ଦତ୍ତାତ୍ରେୟ ହୋସବୋଲେ, ସ୍ୱାମୀ ପରମହଂସ ପ୍ରଜ୍ଞାନାନନ୍ଦ, ସ୍ୱାମୀ ଜୀବନ ମୁକ୍ତାନନ୍ଦ, ମନସୁଖଲାଲ ସେଠିଆଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ପୁସ୍ତକର ଲେଖକ ବିପିନ ବିହାରୀ ନନ୍ଦ ଓ ବାଞ୍ଛାନିଧି ପଣ୍ଡାଙ୍କୁ ମଧ୍ୟ ଏହି ଅବସରରେ ସମ୍ମାନିତ କରାଯାଇଥିଲା।



