AI ଡିପ୍ଫେକ୍ ଓ ଭ୍ରାମକ ପୋଷ୍ଟ ବିରୋଧରେ କଠୋର ପଦକ୍ଷେପ; ବମ୍ବେ ହାଇକୋର୍ଟର ଦ୍ୱାରସ୍ଥ ହେଲେ ନୀତିନ ଗଡକରୀ
ମୁମ୍ବାଇ: E20 ଇଥାନଲ୍ ମିଶ୍ରଣ ନୀତିକୁ ନେଇ ସୋସିଆଲ ମିଡିଆରେ ପ୍ରସାରିତ କଥିତ AI ଡିପ୍ଫେକ୍ ଭିଡିଓ ଓ ଭ୍ରାମକ ପୋଷ୍ଟ ବିରୋଧରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ବମ୍ବେ ହାଇକୋର୍ଟରେ ମାନହାନି ମାମଲା ଦାୟର କରିଛନ୍ତି।
ଆବେଦନକୁ ଗ୍ରହଣ କରିଥିବା ବମ୍ବେ ହାଇକୋର୍ଟ ମଧ୍ୟବର୍ତ୍ତୀକାଳୀନ ଆଶ୍ୱସ୍ତି ସମ୍ପର୍କିତ ଦାବି ଉପରେ ଶୁଣାଣି ପାଇଁ ମାମଲାକୁ ତାଲିକାଭୁକ୍ତ କରିଛନ୍ତି। ଏହି ମାମଲାରେ Metaର ଫେସବୁକ୍ ଓ ଇନଷ୍ଟାଗ୍ରାମ ସହିତ Xକୁ ପ୍ରତିବାଦୀ ଭାବେ ସାମିଲ କରାଯାଇଛି।
ସୋସିଆଲ ମିଡିଆରେ ତାଙ୍କ ଓ ତାଙ୍କ ପରିବାର E20 ନୀତିରୁ ବ୍ୟକ୍ତିଗତ ଭାବେ ଲାଭବାନ ହୋଇଥିବା ନେଇ ପ୍ରସାରିତ ଦାବିକୁ ଗଡକରୀ ସମ୍ପୂର୍ଣ୍ଣ ମିଥ୍ୟା, ଭିତ୍ତିହୀନ ଏବଂ ମାନହାନିଜନକ ବୋଲି ଦର୍ଶାଇଛନ୍ତି। ସେ କହିଛନ୍ତି, E20 ଇଥାନଲ୍ ମିଶ୍ରଣ କାର୍ଯ୍ୟକ୍ରମ ସଡ଼କ ପରିବହନ ମନ୍ତ୍ରଣାଳୟ ଅଧୀନରେ ନୁହେଁ, ବରଂ ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଅଧୀନରେ ପରିଚାଳିତ ହେଉଛି।
ଆବେଦନରେ ଗଡକରୀ କୋର୍ଟଙ୍କୁ ଅନୁରୋଧ କରିଛନ୍ତି ଯେ, ସମ୍ପୃକ୍ତ ଡିପ୍ଫେକ୍ ଭିଡିଓ ଓ ଭ୍ରାମକ ପୋଷ୍ଟଗୁଡ଼ିକୁ ତୁରନ୍ତ ହଟାଯାଉ, ସେଗୁଡ଼ିକର ଅଧିକ ପ୍ରସାରଣ ରୋକାଯାଉ ଏବଂ ଏହା ପଛରେ ଥିବା ଦାୟୀ ବ୍ୟକ୍ତିମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉ।



