Spread the love

୩୦ ବର୍ଷ ସେବା ପରେ ବି ପେନସନ୍‌ରୁ ବଞ୍ଚିତ ସଫେଇ କର୍ମଚାରୀ; ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି

ତାଳଚେର, ୨ ଅଗଷ୍ଟ: ତାଳଚେର ପୌରପରିଷଦରେ ଦୀର୍ଘ ତିନି ଦଶକରୁ ଅଧିକ ସମୟ ଧରି ସଫେଇ କର୍ମଚାରୀ ଭାବେ କାର୍ଯ୍ୟ କରି ଅବସର ନେଇଥିବା କର୍ମଚାରୀମାନେ ବର୍ତ୍ତମାନ ଆର୍ଥିକ ଦୁର୍ଦ୍ଦଶାରେ ଦିନ କାଟୁଥିବା ଅଭିଯୋଗ କରିଛନ୍ତି। ତିନି ମାସ ହେଲା ପେନସନ୍ ବନ୍ଦ ଥିବା ସହ ଅବସର ଗ୍ରହଣର ଦୁଇ ବର୍ଷ ପରେ ମଧ୍ୟ ଗ୍ରାଚ୍ୟୁଇଟି, ପ୍ରୋଭିଡେଣ୍ଟ ଫଣ୍ଡ ଓ ଅନ୍ୟାନ୍ୟ ବକେୟା ପ୍ରାପ୍ୟ ମିଳିନଥିବାରୁ ସେମାନେ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି।

କର୍ମଚାରୀମାନଙ୍କ କହିବା ଅନୁସାରେ, ନାଳ ଓ ନର୍ଦ୍ଦମା ସଫା କରି ସହରବାସୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷାରେ ଜୀବନ ଉତ୍ସର୍ଗ କରିଥିଲେ ମଧ୍ୟ, ଅବସର ପରେ ସେମାନେ ନିଜ ହକ୍ ପାଇଁ ଦ୍ୱାରେ ଦ୍ୱାରେ ବୁଲିବାକୁ ବାଧ୍ୟ ହେଉଛନ୍ତି। ଅଧିକାଂଶ ଅବସରପ୍ରାପ୍ତ କର୍ମଚାରୀ ବିଭିନ୍ନ ରୋଗରେ ପୀଡ଼ିତ ଥିବାରୁ ନିୟମିତ ଔଷଧ ସେବନ କରୁଛନ୍ତି। କିନ୍ତୁ ପେନସନ୍ ଓ ବକେୟା ନମିଳିବାରୁ ଔଷଧ କିଣିବା ସହ ପରିବାରର ଦୈନନ୍ଦିନ ଖର୍ଚ୍ଚ ବହନ କରିବା ମଧ୍ୟ କଷ୍ଟକର ହୋଇପଡ଼ିଛି।

ଏହି ସମସ୍ୟା ନେଇ ପୂର୍ବରୁ ଅନୁଗୋଳ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସମାଧାନ ହୋଇନଥିବାରୁ ଶେଷରେ ସେମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ତୁରନ୍ତ ହସ୍ତକ୍ଷେପ କରିବାକୁ ନିବେଦନ କରିଛନ୍ତି।

ଅନ୍ୟପକ୍ଷରେ, ତାଳଚେର ପୌରପରିଷଦର ନିର୍ବାହୀ ଅଧିକାରୀ କହିଛନ୍ତି ଯେ, ପୌରପରିଷଦର ଆଶାକରା କର ଆଦାୟ ହେଉନଥିବାରୁ ଆର୍ଥିକ ସଂକଟ ସୃଷ୍ଟି ହୋଇଛି। ସରକାରଙ୍କୁ ଏନେଇ ଅବଗତ କରାଯାଇଥିଲେ ମଧ୍ୟ ପୌରପରିଷଦକୁ ନିଜସ୍ୱ ରାଜସ୍ୱରୁ ଖର୍ଚ୍ଚ ବହନ କରିବାକୁ କୁହାଯାଇଥିବା ସେ ସୂଚନା ଦେଇଛନ୍ତି।

ଏପରି ସ୍ଥିତିରେ ଅବସରପ୍ରାପ୍ତ ସଫେଇ କର୍ମଚାରୀମାନଙ୍କ ପେନସନ୍ ଓ ବକେୟା ପ୍ରାପ୍ୟ ତୁରନ୍ତ ପ୍ରଦାନ କରିବାକୁ ସେମାନେ ରାଜ୍ୟ ସରକାରଙ୍କ ନିକଟରେ ଜୋରଦାର ଦାବି ଉଠାଇଛନ୍ତି।

Leave a Reply

Your email address will not be published. Required fields are marked *