ତାଳଚେର ଉପଖଣ୍ଡ ଚିକିତ୍ସାଳୟରେ ଅବ୍ୟବସ୍ଥା ଅଭିଯୋଗ; ରୋଗୀ ସେବା ନେଇ ବଢ଼ୁଛି ଅସନ୍ତୋଷ
ତାଳଚେର, ୨ ଅଗଷ୍ଟ: ଅନୁଗୋଳ ଜିଲ୍ଲାର ତାଳଚେର ମଣ୍ଡାପାଳସ୍ଥିତ ଉପଖଣ୍ଡ ଚିକିତ୍ସାଳୟରେ ରୋଗୀ ସେବାର ମାନକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଥିବା ଅଭିଯୋଗ ଉଠିଛି। ଦୀର୍ଘଦିନ ଧରି ବିଭିନ୍ନ ସମସ୍ୟା ଲାଗି ରହିଥିଲେ ମଧ୍ୟ ସେଗୁଡ଼ିକର ସ୍ଥାୟୀ ସମାଧାନ ହେଉନଥିବାରୁ ରୋଗୀ ଓ ସେମାନଙ୍କ ପରିବାର ହଇରାଣ ହେଉଥିବା କୁହାଯାଉଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ତାଳଚେର ସମେତ ଆଖପାଖ ଅଞ୍ଚଳର ହଜାର ହଜାର ଲୋକ ଏହି ଚିକିତ୍ସାଳୟ ଉପରେ ନିର୍ଭରଶୀଳ। ହେଲେ ହସ୍ପିଟାଲରେ ନିର୍ମିତ ଟ୍ରମା କେୟାର ସେଣ୍ଟର ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇନଥିବା ବେଳେ ଟେକ୍ନିସିଆନ୍, ବିଶେଷଜ୍ଞ ଡାକ୍ତର ଓ କର୍ମଚାରୀଙ୍କ ଅଭାବ ଯୋଗୁଁ ଅନେକ ଚିକିତ୍ସା ଉପକରଣ ବ୍ୟବହାର ହୋଇପାରୁନାହିଁ।
ପ୍ରସୂତି ବିଭାଗରେ ଡାକ୍ତର ଥିବା ସତ୍ତ୍ୱେ ପ୍ରସବ ପାଇଁ ଆସୁଥିବା ମହିଳାମାନଙ୍କୁ ବେସରକାରୀ ହସ୍ପିଟାଲକୁ ପଠାଯାଉଥିବା ଅଭିଯୋଗ ମଧ୍ୟ ଉଠିଛି। ସେହିପରି ଭର୍ତ୍ତି ରୋଗୀଙ୍କୁ ଦିନକୁ ମାତ୍ର ଥରେ ଡାକ୍ତର ଓ ନର୍ସ ଦେଖୁଥିବା ବେଳେ ବାକି ସମୟରେ ସେବା ମିଳୁନଥିବା ନେଇ ରୋଗୀଙ୍କ ସମ୍ପର୍କୀୟମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଚିକିତ୍ସାଳୟରେ ସପ୍ତାହର ପ୍ରତ୍ୟେକ ଦିନ ନୂତନ ବେଡ୍ସିଟ୍ ବ୍ୟବହାର କରାଯିବ ବୋଲି ନିୟମ ଥିଲେ ମଧ୍ୟ, ଅନେକ ସମୟରେ ରୋଗୀଙ୍କୁ ବେଡ୍ସିଟ୍ ବିନା ଖଟରେ ରଖାଯାଉଥିବା ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି।

ଏହାଛଡ଼ା, ସାମାନ୍ୟ ଚିକିତ୍ସା ସମ୍ଭବ ଥିବା ରୋଗୀଙ୍କୁ ମଧ୍ୟ ଉଚ୍ଚତର ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଉଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ପ୍ରଶ୍ନ ଉଠୁଛି। ବର୍ଷା ଓ ଋତୁ ପରିବର୍ତ୍ତନ ସମୟରେ ରୋଗୀ ସଂଖ୍ୟା ବଢ଼ୁଥିବା ସତ୍ତ୍ୱେ ସ୍ୱାସ୍ଥ୍ୟସେବାରେ ସୁଧାର ନଆସିବାରୁ ଅନେକ ରୋଗୀ ବାଧ୍ୟ ହୋଇ ଅନ୍ୟ ଚିକିତ୍ସାଳୟର ଆଶ୍ରୟ ନେଉଛନ୍ତି।
ତାଳଚେର ଅଞ୍ଚଳରୁ ବିପୁଳ ପରିମାଣର ରାଜସ୍ୱ ଆଦାୟ ହେଉଥିବା ବେଳେ ଏହି ଗୁରୁତ୍ୱପୂର୍ଣ୍ଣ ଉପଖଣ୍ଡ ଚିକିତ୍ସାଳୟର ଉନ୍ନତି ପ୍ରତି ଆବଶ୍ୟକ ଧ୍ୟାନ ଦିଆଯାଉନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଜିଲ୍ଲା ସିଡିଏମଓ ଓ ରାଜ୍ୟ ସରକାର ତୁରନ୍ତ ହସ୍ତକ୍ଷେପ କରି ଚିକିତ୍ସାଳୟର ଅବ୍ୟବସ୍ଥା ଦୂର କରିବା ସହ ଉନ୍ନତ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବାକୁ ସ୍ଥାନୀୟ ବାସିନ୍ଦାମାନେ ଦାବି କରିଛନ୍ତି।



