ନିଶାମୁକ୍ତ ଭାରତ ଗଠନ ପାଇଁ ଜିଲ୍ଲାରୁ ଯୁବପିଢ଼ିଙ୍କ ସଂକଳ୍ପ ସହ ବିକଶିତ ଭାରତ ସଂକଳ୍ପ ଅଭିଯାନ’ର ଶୁଭାରମ୍ଭ
-ଯୁବପିଢ଼ିଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆଭାସୀ ସମ୍ବୋଧନ
ଅନୁଗୋଳ, ୦୨.୦୮ : କେନ୍ଦ୍ର ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟର ‘ମାଇଁ ଭାରତ’ (MY Bharat) ପକ୍ଷରୁ ସ୍ଥାନୀୟ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟଠାରେ “ନିଶା ମୁକ୍ତ ଯୁବା – ବିକଶିତ ଭାରତ ସଂକଳ୍ପ ଅଭିଯାନ” ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଭାସୀ (Virtual) ମାଧ୍ୟମରେ ଦେଶର ୧୦,୦୦୦ ରୁ ଊର୍ଦ୍ଧ୍ୱ ସ୍ଥାନରୁ ଯୋଡ଼ିହୋଇଥିବା ପ୍ରାୟ ୧ କୋଟିରୁ ଅଧିକ ଯୁବବର୍ଗଙ୍କୁ ସମ୍ବୋଧିତ କରିଥିଲେ। ଏକ ନିଶାମୁକ୍ତ ଭାରତ ଗଠନ ସହ ‘ବିକଶିତ ଭାରତ-୨୦୪୭’ର ସଂକଳ୍ପ ନେବାକୁ ସେ ଯୁବପିଢ଼ିଙ୍କୁ ଆହ୍ୱାନ ଦେଇଥିଲେ। ଏହି ଅଭିଯାନ ମାଧ୍ୟମରେ ଆଗାମୀ ୧୦୦ ସପ୍ତାହ ବ୍ୟାପୀ ପ୍ରତି ରବିବାରରେ କ୍ରୀଡ଼ା, ଫିଟନେସ, ସାଂସ୍କୃତିକ ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏହାସହ ‘MY Bharat’ ପୋର୍ଟାଲରେ ଇ-ସଂକଳ୍ପ (e-Pledge) ନେବା ପାଇଁ ଯୁବପିଢ଼ିଙ୍କୁ ପ୍ରୋତ୍ସାହିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡ. କୃଷ୍ଣଚନ୍ଦ୍ର ପାଲ୍, ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ବସନ୍ତ କୁମାର ସାହୁ, ଅନୁଗୋଳ ମହିଳା ମହାବିଦ୍ୟାଳୟର ପ୍ରାଣୀବିଜ୍ଞାନ ଅଧ୍ୟାପିକା ସଂଜିତା ସିଂ ସାମନ୍ତ, ‘ମେରା ଯୁବା ଭାରତ’ର ଜିଲ୍ଲା ଯୁବ ଅଧିକାରୀ ପୂଜା ଯାଦବ, ନୋଡାଲ ଏନ୍.ଏସ.ଏସ. ଅଫିସର ଡ. ଗୌରୀ ଶଙ୍କର ଜେନା, ଏ.ବି.ଭି.ପି. ରାଜ୍ୟ ସହ-ସମ୍ପାଦକ ଶ୍ରୀ ଆଶିଷ କୁମାର ବେହେରା, ‘ମେରା ଯୁବା ଭାରତ’ର ସଂଯୋଜକ ତପନ କୁମାର ସାମଲଙ୍କ ସମେତ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଓ ଯୁବକ-ଯୁବତୀ ଉପସ୍ଥିତ ଥିଲେ।




