ବାପାଙ୍କ ଶୁଦ୍ଧିକର୍ମ ପରେ ପୁଅର ମୃତ୍ୟୁ

ଜେ ବି ଏନ, ୦୬/୦୩ /୨୦୨୧, (ରିପୋର୍ଟ, ପ୍ରଦୀପ କୁମାର କାଣ୍ଡି), ବୌଦ୍ଧ : ଆଜି ଭୋର ସମୟରେ ଜାତୀୟ ରାଜପଥ ନମ୍ବର ର ପୁରୁଣା କଟକ ଥାନା କରଡାକୋଠା ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଥିବା ଜଣା ପଡିଛି । ମିଳିଥିବା ସୂଚନା ଅନୁଯାୟୀ ବଲାଙ୍ଗୀର ଜିଲ୍ଲା ରୁଗୁଡି ପାଲି ଗ୍ରାମର ଅରୁଣ ମେହେର ନିଜ ପିତାଙ୍କ ମୁତ୍ୟୁ ପରେ ପୁରୀକୁ ଅନ୍ତିମ ସଂସ୍କାର କରିବାକୁ ଯାଇ ଗୋଟିଏ ସ୍ବିଫ୍ଟ ଡିଜାୟର୍ କାର୍ ଯୋଗେ ବନ୍ଧୁ ବାନ୍ଧବ ସହ ବଲାଙ୍ଗୀର ଫେରୁଥିଲେ । ଜାତୀୟ ରାଜପଥ ନମ୍ବର ୫୭ ର ଚାରିଛକ ନିକଟ କରଡା କୋଠା ନିକଟରେ ସ୍ବିଫ୍ଟ ଡିଜାୟର୍ କାର ଓଡ଼ି 19 ଆର 8157 ରାସ୍ତା କଡରେ ଥିବା ଏ.ଆର.ଏସ.ଏସ. ଠିକା ସଂସ୍ଥାର ଜେସିବି ବୋଝେଇ ଗୋଟିଏ ଟ୍ରଲର୍ କୁ ଧକ୍କା ଦେଇଥିଲା । କାର୍ ରେ ଥିବା ସମସ୍ତ 5 ଯାତ୍ରୀ ଗୁରୁତର ଆହତ ହୋଇଥିଲେ । ଚାରିଛକ ଦମକଳ ବାହିନୀ ଆହତଙ୍କୁ ଉଦ୍ଧାର କରି ପୁରୁଣାକଟକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା ଓ ସେଠାରେ ଅରୁଣ ମେହେରଙ୍କ ମୁତ୍ୟୁ ଘଟିଥିଲା । ଗୁରୁତର ଆହତ ଥିବା ଅନ୍ୟ 4 ଜଣ ଯାତ୍ରୀଙ୍କ ଅବସ୍ଥା ଗୁରୁତର ଥୁବାରୁ ସେମାନଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ଆହତ ମାନେ ହେଲେ ବଲାଙ୍ଗୀର ଜିଲ୍ଲା ବେଲ ପଦର ଗ୍ରାମର ବିଧୁ ଭୁଷଣ ମେହେର , ଅଶୋକ ମେହେର ଓ ରାମଚନ୍ଦ୍ର ମେହେର ବୋଲି ସୂଚନା ମିଳିଛି । ସମସ୍ତେ ମୃତକଙ୍କ ସମ୍ପର୍କୀୟ ଅଟନ୍ତି । ପିତାଙ୍କ ଅନ୍ତିମ ସଂସ୍କାର କରିବାକୁ ଯାଇ ଦୁର୍ଘଟଣାରେ ପୁତ୍ରର ମୁତ୍ୟୁ ଓ ସମ୍ପର୍କୀୟ ଆହତ ହେବା ଭଳି ଦୁଃଖଦ ଘଟଣା ସମସ୍ତଙ୍କୁ ଶୋକାଭିଭୁତ କରିଛି । ପୁରୁଣା କଟକ ଥାନା ପୋଲିସ ଦୁର୍ଘଟଣା ସ୍ଥଳରେ ପହଂଚି ତଦନ୍ତ ଚଳାଇଥିବା ଜଣା ପଡିଛି ।



