Spread the love

ନୂଆଦିଲ୍ଲୀ: ଥମୁନି ସମ୍ଭଲ ହିଂସା ତାତି । ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଉତ୍ତରପ୍ରଦେଶ ସମ୍ଭଲ ଯିବା ପାଇଁ ବାହାରିଥିଲେ । ତେବେ ସେମାନଙ୍କୁ ୟୁପି ଗାଜିପୁର ସୀମାରେ ହିଁ ରୋକାଯାଇଥିଲା । ପୋଲିସ ପ୍ରଶାସନ ସେମାନଙ୍କୁ ସମ୍ବଲ ଯିବାକୁ ଅନୁମତି ଦେଇନଥିଲା । ଫଳରେ ରାହୁଲ, ପ୍ରିୟଙ୍କା, ଅନ୍ୟ କଂଗ୍ରେସ ନେତା ଓ କର୍ମୀ ଦିଲ୍ଲୀ ଫେରି ଆସିଥିଲେ।

ସମ୍ବଲ ପ୍ରସଙ୍ଗକୁ ନେଇ ସରଗରମ ହୋଇଛି ସଂସଦ । ରାହୁଲ ପ୍ରିୟଙ୍କାଙ୍କୁ ରୋକିବା ଘଟଣାକୁ ବିରୋଧ କରି ଲୋକସଭାରୁ ଓ୍ବାକ୍ ଆଉଟ୍ କରିଥିଲେ ବିରୋଧୀ । ସମ୍ଭଲ ହିଂସାକୁ ନେଇ ଲଗାତର ବିଜେପିକୁ ଘେରୁଛି ସମାଜବାଦୀ ପାର୍ଟି । ସେପଟେ ମୁସଲିମ ଭୋଟ୍ ପାଇଁ ଉଭୟ କଂଗ୍ରେସ ଓ ସମାଜବାଦୀ ପାର୍ଟି ରାଜନୀତି କରୁଥିବା ବିଜେପି କହିଛି ।ଛାଡିଲେନି ସମ୍ଭଲ, କଣ କହିଲେ ରାହୁଲ? ପ୍ରଥମେ ସମସ୍ତ କଂଗ୍ରେସ ନେତା ଓ କର୍ମୀଙ୍କ ସହ ସମ୍ଭଲ ଯିବାକୁ ବାହାରିଥିଲେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ତେବେ ପୋଲିସ ସେମାନଙ୍କୁ ଗାଜିପୁର ସୀମାରେ ରୋକିବା ପରେ ପୋଲିସ ଗାଡିରେ ୫ଜଣ ଯିବାକୁ ଅନୁମତି ମାଗିଥିଲେ ରାହୁଲ । ଏଥିରେ ବି ପୋଲିସ ରାଜି ନହେବାରୁ ଏକା ସମ୍ଭଲ ଯିବାକୁ କହିଥିଲେ । ହେଲେ ରାଜି ହୋଇନଥିଲେ ପୋଲିସ ପ୍ରଶାସନ। ସମ୍ବିଧାନ ଅନୁସାରେ ବିରୋଧୀ ଦଳ ନେତା ଭାବେ ସେ ସମ୍ଭଲ ଯାଇପାରିବେ । ସମ୍ବିଧାନ ପୁସ୍ତକ ଦେଖାଇବା ସହ ତାଙ୍କୁ ଛଡା ନଯିବା ତାଙ୍କ ସାମ୍ବିଧାନିକ ଅଧିକାର କ୍ଷୁର୍ଣ୍ଣ କରୁଥିବା ରାହୁଲ ଗାନ୍ଧୀ କହିଥିଲେ । ସେପଟେ ସମ୍ଭଲରେ ଯାହା ହୋଇଛି ଭୁଲ ହୋଇଛି । ରାହୁଲ ବିରୋଧୀ ଦଳ ନେତା, ତାଙ୍କୁ ରୋକା ଯାଇପାରିବନି । ୟୁପିର ଆଇନ ଶୃଙ୍ଖଳାକୁ ନେଇ ବର୍ଷିଥିଲେ ସାଂସଦ ପ୍ରିୟଙ୍କା ଗାନ୍ଧୀ ।

ସମ୍ଭଲକୁ ନେଇ ସଂସଦରେ ହଙ୍ଗାମାବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ସମ୍ଭଲ ଛଡାନଯିବାକୁ ନେଇ ସଂସଦରେ ହଙ୍ଗାମା । ସ୍ଥିତିର ଶାନ୍ତିପୂର୍ଣ୍ଣ ସମୀକ୍ଷା କରିବାକୁ ରାହୁଲ ଗାନ୍ଧୀ ଯାଉଥିଲେ । ତାଙ୍କୁ ରୋକାଯିବା ଦୁର୍ଭାଗ୍ୟଜନକ ବୋଲି କଂଗ୍ରେସ ସାଂସଦ ମହମ୍ମଦ ଜାଭେଦ କହିଥିଲେ । ସଂସଦ ବାହାରେ ରାହୁଲ ଗାନ୍ଧୀ କଣ କରିବେ ସେନେଇ ଗୃହ ଜାଣିବା ଜରୁରୀ ନୁହେଁ । ରାହୁଲ କାହିଁକି ସଂସଦରେ ନାହାନ୍ତି ବୋଲି ପ୍ରଶ୍ନ କରିଥିଲେ ସେ ସମୟରେ ଗୃହରେ ଅଧ୍ୟକ୍ଷତା କରୁଥିବା ଜଗଦମ୍ବିକା ପାଲ୍।

ସମ୍ଭଲ ହିଂସା ପଛର କାହାଣୀ

ନଭେମ୍ବର ୨୪ତାରିଖରେ ସମ୍ଭଲ ଶାହି ଜାମା ମସଜିଦରେ କୋର୍ଟଙ୍କ ନିର୍ଦ୍ଦେଶ ପରେ ସର୍ଭେ ବେଳେ ପୋଲିସ ସହ ସ୍ଥାନୀୟ ଲୋକେ ମୁହାଁମୁହିଁ ହୋଇଥିଲେ। ହିଂସାର ୪ଦିନ ପର୍ଯ୍ୟନ୍ତ ସେଠାକାର ଦୋକାନ ବଜାର ବନ୍ଦ ରହିଥିଲା । ସମ୍ଭଲ ପ୍ରଶାସନ ପକ୍ଷରୁ ସେଠାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏପର୍ଯ୍ୟନ୍ତ ୩ଶହରୁ ଅଧିକ ଅଭିଯୁକ୍ତଙ୍କ ପୋଷ୍ଟର ଜାରି କରାଯାଇଛି । ସମ୍ଭଲରେ ଶ୍ରୀହରିହର ମନ୍ଦିର ଭାଙ୍ଗି ଏହା ଉପରେ ଶାହି ଜାମା ମସଜିଦ ତିଆରି କରାଯାଇଥିବା ନେଇ ହିନ୍ଦୁ ପକ୍ଷ କୋର୍ଟରେ ପିଟିସନ ଦାଖଲ କରିଥିଲେ । ପିଟିସନ ଶୁଣାଣି କରି କୋର୍ଟ ମସଜିଦରେ ସର୍ଭେ ପାଇଁ ନିର୍ଦ୍ଦେଶ ଦେଇଥିଲେ । ତେବେ ସର୍ଭେ କାର୍ଯ୍ୟକୁ ବିରୋଧ କରି ପୋଲିସ ଉପରକୁ ଟେକା ପଥର ଫୋପାଡିଥିଲେ ବିକ୍ଷୋଭକାରୀ । ସ୍ଥିତି ଅଣାୟତ୍ତ ହେବାରୁ ପୋଲିସ ଗୁଳି ଚଳାଇଥିଲା, ଏଥିରେ ୪ଜଣଙ୍କ ମୃତ୍ୟୁ ହୋଇଥିଲା ।

Leave a Reply

Your email address will not be published. Required fields are marked *