ଭୁବନେଶ୍ୱର, ୧୨/୦୯ : ପାରାଦ୍ବୀପରେ ୨ କୋଟି ୮୧ ଲକ୍ଷ ଟଙ୍କା ବ୍ୟୟ କରାଯାଇ ୫ ଲକ୍ଷ ଉତ୍ପାଦନ କ୍ଷମତା ସମ୍ପନ୍ନ ରାଜ୍ୟର ପ୍ରଥମ କଙ୍କଡ଼ା ଜାଆଁଳ ଉତ୍ପାଦନ କେନ୍ଦ୍ରର ହେବ ନିର୍ମାଣ । ଏହା ଫଳରେ ଓଡ଼ିଶାର କଙ୍କଡ଼ା ଚାଷୀଙ୍କୁ ଆଉ କଙ୍କଡ଼ା ଜାଆଁଳ ପାଇଁ ଚେନ୍ନାଇସ୍ଥିତ ରାଜୀବ ଗାନ୍ଧୀ ଜଳଜୀବ କେନ୍ଦ୍ର ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ ।
ସୁଦୂର ଚେନ୍ନାଇରୁ କଙ୍କଡ଼ା ଜାଆଁଳ ଆମଦାନୀ ହେତୁ ଚାଷୀମାନଙ୍କର ହେଉଥିବା ଅର୍ଥ ଓ ସମୟର ଅପଚୟ ବହୁମାତ୍ରାରେ କମିଯିବ । ସେମାନଙ୍କର ଆର୍ଥିକ ମାନଦଣ୍ଡରେ ଆଖିଦୃଶିଆ ଉନ୍ନତି ଆସିବ । ତାହା ସହିତ କଙ୍କଡ଼ା ଚାଷ ପ୍ରତି ଆମ ଲୋକଙ୍କ ଆଗ୍ରହ ବୃଦ୍ଧି ପାଇବ ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଏବଂ ଶ୍ରମିକ ଓ କର୍ମଚାରୀ ରାଜ୍ୟବୀମା ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଏହି ବହୁ ଆକାଂକ୍ଷିତ ପ୍ରକଳ୍ପର ଚୁକ୍ତିନାମା ସ୍ଵାକ୍ଷରକୁ ଅନୁମୋଦନ କରି ପ୍ରକାଶ କରିଛନ୍ତି ।ଓଡ଼ିଶାର ଚାରିଟି ଉପକୂଳବର୍ତ୍ତୀ ଜିଲ୍ଲା ପୁରୀ, ଗଞ୍ଜାମ, ବାଲେଶ୍ବର ଓ କେନ୍ଦ୍ରାପଡ଼ାରେ କାର୍ଯ୍ୟ କରୁଛି ECRICC ପ୍ରକଳ୍ପ । ଜୁଲାଇ ମାସରେ MPEDA ଦ୍ୱାରା ଆୟୋଜିତ ‘ସିଫୁଡ୍ ଏକ୍ସପୋ ଭାରତ ୨୦୨୫’ (SEB-25)ରେ ଓଡ଼ିଶାର ଜଳବାୟୁ-ଅନୁକୂଳ ଜଳୀୟ କୃଷି ଏବଂ ଏହି ସଂକ୍ରାନ୍ତୀୟ ବିକାଶକୁ ପ୍ରୋତ୍ସାହନ ଦେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ECRICC ପ୍ରକଳ୍ପକୁ ସରକାରୀ ବିଭାଗରେ ପ୍ରଥମ ପୁରସ୍କାର ମିଳିପାରିଛି । ECRICC ପ୍ରକଳ୍ପ ଦ୍ଵାରା ସମୁଦ୍ରତଟ ଅଞ୍ଚଳର ଲୋକମାନଙ୍କ ଜୀବିକାକୁ ସୁଦୃଢ଼ କରିବା ପାଇଁ ୭୦ ଜଣ କୃଷକଙ୍କୁ ସାମୁଦ୍ରିକ ଶୈବାଳ (Seaweed) ଚାଷ ପାଇଁ ବୈଷୟିକ ଏବଂ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି । ସେହିପରି ଏହି ପ୍ରକଳ୍ପ ଦ୍ଵାରା ୨୮୨୦୧ ଜଣ ଚାଷୀଙ୍କୁ SRI ପଦ୍ଧତିରେ ଚାଷ ନିମନ୍ତେ ବୈଷୟିକ ଏବଂ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ମହିଳା ସଶକ୍ତିକରଣ ଦିଗରେ ମଧ୍ୟ ଅନେକ କାମ କରୁଛି ECRICC । ଏହି ପ୍ରକଳ୍ପ ଦ୍ଵାରା ନିୟୋଜିତ ୩୦୪ ଜଣ ମହିଳା ଜଳବାୟୁ ଚ୍ୟାମ୍ପିଅନ୍ (Climate Champion) ଗ୍ରାମ୍ୟସ୍ତରରେ ଜନ ସଚେତନତା ବୃଦ୍ଧିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି।



