ତାଳଚେରରେ ବାରମ୍ବାର ଅଘୋଷିତ ବିଦ୍ୟୁତ୍କାଟ
ତତଲା କଡ଼େଇରେ ଭାଜି ହେଉଛନ୍ତି ଅଂଚଳବାସୀ
ତାଳଚେର, ୩୦/୦୫ ଶକ୍ତିମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଚଳିତବର୍ଷ ଅଘୋଷିତ ବିଦ୍ୟୁତକାଟ୍ କରାଗଲେ ସମ୍ପୃକ୍ତ ଅଧିକାରୀ ମାନଙ୍କ ବିରୁଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ନେଇ ଗଣମାଧ୍ୟମରେ ପ୍ରକାଶ କରିଥିଲେ ମଧ୍ୟ ତାଳଚେର ଭଳି ଏକ ଶିଳ୍ପାଚଂଳରେ ବାରମ୍ବାର ବିଦ୍ୟୁତ୍ କାଟରେ ଏଠିକାର ଜନସାଧାରଣ ତତଲା କଡ଼େଇରେ ଭାଜି ହେଉଛନ୍ତି । ଭାରତ ମାନଚିତ୍ରରେ ତାଳଚେର ଏକ ଉତପ୍ତ ସହର ଭାବେ ପରିଗଣିତ ହେଉଥିବା ବେଳେ ଏଠାରେ ଖଣିଖାଦାନ ଯୋଗୁଁ ଓ ପରିବେଶ ଅସନ୍ତୁଳିତକୁ ନେଇ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଇ ଆସୁଛି । ତାଳଚେର ଅଂଚଳରେ ୩ଟି ତାପଜ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ରହିଛି । ଏହି କେନ୍ଦ୍ର ଗୁଡ଼ିକରୁ ବାହାର ରାଜ୍ୟକୁ ନିରବଚ୍ଛନ୍ନ ବିଜୁଳି ସେବା ଯୋଗାଇ ଦେଉଥିବା ବେଳେ ତାଳଚେରରେ ଏହାର ବ୍ୟତିକ୍ରମ ଦେଖାଦେଉଛି । ତାଳଚେର ତାପମାତ୍ରା ୪୫ଡ଼ିଗ୍ରୀ ରହୁଥିବା ବେଳେ ଝାଞ୍ଜି ପବନ ସହିତ ଅସହ୍ୟ ଗୁଳୁଗୁଳି ଅଂଚଳବାସୀଙ୍କୁ ଅତିଷ୍ଟ କରିପକାଉଛି । ସକାଳ ୮ଟାରୁ ସୂର୍ଯ୍ୟଙ୍କର ପ୍ରଖର କିରଣ ଯୋଗୁଁ ଘରୁ ପଦାକୁ ବାହାରି ହୋଇନଥାଏ । ମଧ୍ୟାନ୍ନ ସମୟରେ ରାସ୍ତା, ବାଟଘାଟ ଜନଶୂନ୍ୟ ହୋଇପଡ଼ିଥାଏ । ଏପରିକି, ଗଛରପତ୍ର ଝାଉଁଳି ଯାଉଥିବା ବେଳେ ପଶୁପକ୍ଷୀମାନେ ଖରାରେ ତ୍ରାହି ତ୍ରାହି ଡ଼ାକ ଦେଇଥାନ୍ତି । ପଶୁପକ୍ଷୀମାନେ ମଧ୍ୟାନ୍ନ ସମୟରେ ଗଛତଳ ଛାଇରେ ଆଶ୍ରୟ ନେଉଥିବା ଦେଖାଯାଇଛି । ଏପରିସ୍ଥଳେ ତାଳଚେରବାସୀଙ୍କୁ ନିରବଚ୍ଛିନ୍ନଭାବେ ବିଦ୍ୟୁତ୍ ସେବା ଯୋଗାଇ ଦେବା ପରିବର୍ତେ ଘନଘନ ଅଘୋଷିତ ବିଦ୍ୟୁତ୍ କାଟ ସହ ଲୋଭେଲଟେଜ୍ କଟା ଘା’ରେ ଚୂନ ଦେଲା ଭଳି ଅବସ୍ଥା ସୃଷ୍ଟି କରିଛି ।



