ମହଙ୍ଗା ମାଡ଼ରେ ଖାଉଟି ହନ୍ତସନ୍ତ
କ୍ରୟ କରିବାକୁ ପଛଘୁଂଚା ଦେଉଛନ୍ତି ଗ୍ରାହକ
଼ତାଳଚେର, ୩୦/୦୫ ଜନସାଧାରଣଙ୍କ ଆୟ ଅନୁଯାୟୀ ବ୍ୟୟ ଅଧିକା ହେଉଥିବାରୁ ଏବେ ମଧ୍ୟବିତ ଶ୍ରେଣୀ ଗରୀବରୁ ଗରୀବ ହେବାକୁ ବସୁଥିବା ବେଳେ ଧନୀଶ୍ରେଣୀଙ୍କ ବ୍ୟକ୍ତି ମହଙ୍ଗା ମାଡ଼ରୁ ପାର ପାଇ ଯାଉଥିବା ବେଳେ ବିଚରା ଗରୀବ ଲୋକ ସରକାରୀ ହାତଟେକାକୁ ଅନାଇ ସେ ତାର ଜୀବନ ଅତିବାହିତ ଜୀବନ କରି ଚାଲିଛି । ଯେଉଁ ତୁଳନାରେ ଟାକ୍ସ, ଜିଏସଷ୍ଟି ଆଦାୟ କରାଯାଉଛି ସେହି ତୁଳନାରେ ଲୋକଙ୍କର ଆୟ ବୃଦ୍ଧି ପାଉ ନାହିଁ ବୋଲି ମଧ୍ୟବିତ ପରିବାର ଏହା ମତପ୍ରକାଶ କରିଛନ୍ତି । ଅପରପକ୍ଷେ ତୈଳଦର ବୃଦ୍ଧି ଯୋଗୁଁ ପନିପରିବା ଠାରୁ ଆରମ୍ଭ କରି ନିତ୍ୟ ବ୍ୟବହାର ଜିନିଷ ଦରଦାମ ଆକାଶଛୁଆଁ ହେଉଥିବାରୁ ଗ୍ରାହକମାନଙ୍କର ଏବେ ନିଦ ହଜାଇ ଦେଇଥିବା ବେଳେ ପଡ଼ୁଥିବା ବେଳେ ମହିଳାମାନେ ହାଣ୍ଡିଶାଳରେ ମୁଣ୍ଡରେ ହାତଦେଇ ବସିଛନ୍ତି । ଏପରିସ୍ଥଳେ ଜନସାଧାରଣ କିପରି ଚଳିବେ ତାକୁ ନେଇ ଭାଳେଣି ପଡ଼ି ଗଲାଣି ।
ସରକାର ଜନସାଧାରଣଙ୍କ ସମସ୍ତ ସୁବିଧା କରିବା ନିମନ୍ତେ ପ୍ରଚାର ପ୍ରସାର ମାଧ୍ୟମରେ ସର୍ବସ୍ୱ କରିଥିଲେ ମଧ୍ୟ ଆଜି ପନିପରିବାର ଦର ଏତେଶୟ ବୃଦ୍ଧି ପାଇଛି ଯେ, ଯଦି କୌଣସି ଯୋଗୀ କିମ୍ବା ଭିକ୍ଷୁକ ଭିକ୍ଷାଗ୍ରହଣ କରିବାକୁ ଆସୁଛନ୍ତି, ସେମାନଙ୍କୁ ପନିପରିବା ଟିଏ ଦାନ କରି ହେଉନି କିମ୍ବା କୌଣସି ଶୁଦ୍ଧକ୍ରିୟା କାର୍ଯ୍ୟ ସମୟରେ ଛଂଚାରେ ପୁରୋଧାଙ୍କୁ ପନିପରିବାଟିଏ ଦେବାପାଇଁ ଲୋକଙ୍କ ପକ୍ଷେ ସମ୍ଭବ ହେଉନି । ଆଜିର ଦିନରେ ପନିପରିବାର ଦରଦାମ ଏତେ ଆକାଶ ଛୁଆଁ ହୋଇଛି ଯେ, ହଜାରଟଙ୍କା ହାଟକୁ ଧରି ଗଲେ ମଧ୍ୟ ପରିବା ବ୍ୟାଗଟି ପୂର୍ଣ୍ଣ ହେଉନାହିଁ । ବର୍ତମାନ ଆଳୁ ୧୦ରୁ ୨୦ଟଙ୍କା ରହୁଥିବା ବେଳେ ପିଆଜ ୨୦ରୁ ୩୫, ବାଇଗଣ ୫୦, ଟମାଟୋ ୪୦, ଭେଣ୍ଡି ୪୦, କଂଚା କଦଳୀ ୭୦, ଶାଗବିଡ଼ା ୧୦, ଧୂଡ଼ଙ୍ଗ ୭୦, କଖାରୁ କେଜି ପ୍ରତି ୩୦, କାଙ୍କଡ଼ ୫୦ ହୋଇଥିବା ବେଳେ କଂଚା ଲଙ୍କା ୧୦୦, ସାରୁ ୩୦ରୁ ୪୦, ଖୁମ୍ବଆଳୁ ୬୦, ବିନ୍ ୬୦, କାକୁଡ଼ି ୪୦, କଲରା ୭୦ଟଙ୍କା ହୋଇଥିବା ବେଳେ ସେହିଭଳି ଫଳମୂଳ ଦାମ ନକହିବା ଭଲ! ସେହିଭଳି ଉଷୁନା ଚାଉଳ କେଜି ୩୦, ଅରୁଆ ଚାଉଳ ୩୦, ସୋରିଷ ତେଲ, ରିଫାଇନ୍ ତେଲ, ସୁଜି, ମୁଗଡ଼ାଲି, ବୁଟଡ଼ାଲି, ବୁଟ, ମଟର, ଚିନି, ହରଡ଼ଡ଼ାଲି, ଅଟା, ବେସନ, ଶୁଖିଲା ଲଙ୍କା, ଲୁଣ ଇତ୍ୟାଦିର ଦର ଆହେତୁକ ବୃଦ୍ଧି ପାଇଥିବା ବେଳେ ବଜାର ଆମିଷ ଦର ମଧ୍ୟ କିଛି କମ ନୁହେଁ । ଛେଳି ମାଂସ କେଜି ୭ଶହ, ବ୍ରଏଲର୍ କୁକୁଡ଼ା ୨୫୦, ମାଛ ୨ଶହ, ଚିଙ୍ଗୁଡ଼ି ୬ଶହ, ଅଣ୍ଡା ଗୋଟି ୭ଟଙ୍କା ଏବଂ ଖିର ଲିଟର୍ ପ୍ରତି ୬୫ରୁ ୭୦ ଟଙ୍କା ରହିଛି ବୋଲି ବଜାର ଦରରୁ ଜଣାପଡ଼ିଛି । ତେବେ ଲୋକେ ଖାଇବେ କ’ଣ ଚଳିବେ କେମିତି! ବଡ଼ବଡ଼ିଆ ତରି ଯାଉଥିବା ବେଳେ ଦିନମଜୁରୀଆ ଯେନତେଣ ଉପାୟରେ ଚଳିଯାଉଛନ୍ତି । ମାତ୍ର ମଧ୍ୟବିତ ପରିବାରର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏବେ ଓଡ଼ିଶାରେ ଡ଼ବଲଇଞ୍ଜିନ ସରକାର ଚାଲୁଥିବା ବେଳେ ଗାଡ଼ି ଧିମେଇ ଯାଉଛି ଓ କେନ୍ଦ୍ର ସରକାରଙ୍କ ସେହି ଆଚ୍ଛାଦିନ ନାରା ଆଉ ଶୁଭୁନାହିଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।



