Spread the love

ଇନ୍‌ଷ୍ଟାଗ୍ରାମ ଫଟୋରୁ ଖୋଲିଲା ସ୍ୱାମୀଙ୍କ ଦ୍ୱିତୀୟ ବିବାହ ରହସ୍ୟ! ଥାନାରେ ପହଞ୍ଚିଲେ ସ୍ତ୍ରୀ

ବଅଁରପାଳ: ଇନ୍‌ଷ୍ଟାଗ୍ରାମରେ ଦେଖିଥିବା କିଛି ଫଟୋକୁ ନେଇ ବଅଁରପାଳ ଥାନାରେ ଏକ ପାରିବାରିକ ବିବାଦ ଅଭିଯୋଗ ଆସିଛି। ନୂଆହତା ଗ୍ରାମର ଜଣେ ମହିଳା ନିଜ ସ୍ୱାମୀଙ୍କ ବିରୋଧରେ ଦ୍ୱିତୀୟ ବିବାହ ଓ ନିର୍ଯାତନାର ଅଭିଯୋଗ ଆଣିଛନ୍ତି।

ଅଭିଯୋଗକାରିଣୀ ବର୍ଷା ସିଂହଙ୍କ କହିବା ଅନୁସାରେ, ତାଙ୍କ ସ୍ୱାମୀ ବିଭୁନା ପ୍ରଧାନ ଜୁନ୍ ୨୮ ତାରିଖରେ ଡ୍ୟୁଟିକୁ ଯିବା କଥା କହି ଘରୁ ବାହାରିଥିଲେ। ହେଲେ ପରେ ଘରକୁ ଫେରିନଥିବାରୁ ପରିବାର ପକ୍ଷରୁ ତାଙ୍କୁ ଖୋଜାଖୋଜି କରାଯାଇଥିଲା ଏବଂ ଥାନାରେ ନିଖୋଜ ଅଭିଯୋଗ ମଧ୍ୟ ହୋଇଥିଲା।

ତେବେ ଗତକାଲି ରାତିରେ ସ୍ୱାମୀ ଘରକୁ ଫେରିବା ପରେ ଘଟଣା ନୂଆ ମୋଡ଼ ନେଇଥିଲା। ସୋସିଆଲ ମିଡିଆରେ ଅନ୍ୟ ଜଣେ ମହିଳାଙ୍କ ସହ ବିବାହ ସମ୍ପର୍କିତ ଫଟୋ ଦେଖିଥିବା ଅଭିଯୋଗକାରିଣୀ ଦାବି କରିଛନ୍ତି। ଏହା ପରେ ସେ ବଅଁରପାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ବର୍ଷାଙ୍କ ଅଭିଯୋଗ ଅନୁସାରେ, ପ୍ରାୟ ୯ ବର୍ଷ ପୂର୍ବେ ଉଭୟଙ୍କ ପ୍ରେମ ବିବାହ ହୋଇଥିଲା। ସେମାନଙ୍କର ୫ ବର୍ଷର ଏକ ଝିଅ ମଧ୍ୟ ରହିଛି। ବର୍ତ୍ତମାନ ସ୍ୱାମୀଙ୍କ କାର୍ଯ୍ୟକଳାପ ଯୋଗୁଁ ନିଜ ଓ ଝିଅର ଭବିଷ୍ୟତକୁ ନେଇ ଚିନ୍ତିତ ଥିବା ସେ କହିଛନ୍ତି।

ଅଭିଯୋଗ ପରେ ପୋଲିସ ସ୍ୱାମୀଙ୍କୁ ଅଟକ ରଖି ପଚରାଉଚରା କରୁଛି। ଘଟଣାର ସତ୍ୟତା ଏବଂ ଅଭିଯୋଗର ବିଭିନ୍ନ ଦିଗ ନେଇ ପୋଲିସ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *