କାଙ୍ଗୁଲା ଗ୍ରାମରେ ବଣୁଆ ବାରାହାର ଆତଙ୍କ, ଆକ୍ରମଣରେ ୫ରୁ ଅଧିକ ଆହତ
ଅନୁଗୋଳ: ଶନିବାର ସକାଳେ ଅନୁଗୋଳ ଜିଲ୍ଲାର କାଙ୍ଗୁଲା ଗ୍ରାମରେ ହଠାତ୍ ଏକ ବଣୁଆ ବାରାହା ପଶିଆସିବା ପରେ ଗ୍ରାମରେ ଆତଙ୍କ ଖେଳିଯାଇଛି। ଗ୍ରାମ ଭିତରେ ଏଣେତେଣେ ଦୌଡ଼ିବା ସହ ବାରାହାଟି ଅନେକ ଲୋକଙ୍କୁ ଆକ୍ରମଣ କରିଥିବା ଜଣାପଡ଼ିଛି।
ବାରାହାର ଆକ୍ରମଣରେ ୫ରୁ ଅଧିକ ଗ୍ରାମବାସୀ ଆହତ ହୋଇଥିବା ସୂଚନା ମିଳିଛି। ଆହତମାନଙ୍କୁ ତୁରନ୍ତ ଅନୁଗୋଳ ଟ୍ରମା କେୟାର ହସ୍ପିଟାଲକୁ ନିଆଯାଇ ଚିକିତ୍ସା କରାଯାଉଛି।
ଘଟଣା ପରେ କାଙ୍ଗୁଲା ଗ୍ରାମରେ ଭୟର ପରିବେଶ ସୃଷ୍ଟି ହୋଇଛି। ବଣୁଆ ବାରାହା ଗ୍ରାମ ଭିତରେ ଥିବାରୁ ଲୋକମାନେ ଘରୁ ବାହାରିବାକୁ ଭୟ କରୁଛନ୍ତି। ଖବର ପାଇ ଅନୁଗୋଳ ବନ ବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚିଛି।
ବାରାହାକୁ ନିରାପଦରେ କାବୁ କରିବା ପାଇଁ ବନ ବିଭାଗ କର୍ମଚାରୀମାନେ ଉଦ୍ୟମ ଚଳାଇଛନ୍ତି। ଉଦ୍ଧାର ପରେ ବାରାହାକୁ ପୁନର୍ବାର ଜଙ୍ଗଲରେ ଛାଡ଼ିବା ନେଇ ବିଭାଗ ପକ୍ଷରୁ ପ୍ରସ୍ତୁତି ଚାଲିଛି।
ଏହି ଘଟଣାକୁ ନେଇ ବନ ବିଭାଗ ସ୍ଥାନୀୟ ଲୋକଙ୍କୁ ସତର୍କ ରହିବାକୁ ଅନୁରୋଧ କରିଛି। ବାରାହାକୁ ଘେରିବା କିମ୍ବା ତାହାର ନିକଟକୁ ଯିବା ନେଇ ଲୋକମାନଙ୍କୁ ବାରଣ କରାଯାଇଛି।



