ପ୍ରେମ ସମ୍ପର୍କକୁ ନେଇ ହତ୍ୟା, ଜଙ୍ଗଲରେ ଲୁଚିଥିବା ମୁଖ୍ୟ ଅଭିଯୁକ୍ତ ଧରାପଡ଼ିଲା; ୨ ସହଯୋଗୀ ମଧ୍ୟ ଗିରଫ
ଅନୁଗୋଳ: ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ଘଟିଥିବା ବାଲୁଅକଟା ହତ୍ୟାକାଣ୍ଡରେ ପୋଲିସକୁ ମିଳିଛି ବଡ଼ ସଫଳତା। ଘଟଣା ପରେ ଜଙ୍ଗଲରେ ଲୁଚିଥିବା ମୁଖ୍ୟ ଅଭିଯୁକ୍ତ ଜୁଲୁଙ୍କୁ ପୋଲିସ ଗିରଫ କରିଥିବା ବେଳେ, ତାଙ୍କୁ ସହଯୋଗ କରିଥିବା ଅଭିଯୋଗରେ କୃଷ୍ଣ ବାରିକ ଓ ରିତେଶ ସାହୁଙ୍କୁ ମଧ୍ୟ ଧରାଯାଇଛି।
ସୂଚନା ଅନୁସାରେ, ଗତ ୧୧ ତାରିଖ ରାତିରେ ପ୍ରେମ ସମ୍ପର୍କକୁ ନେଇ ହେମନ୍ତ ବେହେରା ଓ ଜୁଲୁଙ୍କ ମଧ୍ୟରେ ବଚସା ହୋଇଥିଲା। ବିବାଦ ବଢ଼ିବା ପରେ ଜୁଲୁ ଟାଙ୍ଗିଆରେ ହେମନ୍ତଙ୍କୁ ଆକ୍ରମଣ କରିଥିବା ପୋଲିସ କହିଛି। ଗୁରୁତର ଆଘାତ ଯୋଗୁଁ ଘଟଣାସ୍ଥଳରେ ହେମନ୍ତଙ୍କ ମୃତ୍ୟୁ ହୋଇଥିଲା।
ଘଟଣା ପରେ ଅଭିଯୁକ୍ତ ଜୁଲୁ ଫେରାର ହୋଇ ଜଙ୍ଗଲରେ ଆଶ୍ରୟ ନେଇଥିଲେ। ମାମଲାର ତଦନ୍ତକୁ ତ୍ୱରାନ୍ୱିତ କରି ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ପୋଲିସ ଟିମ୍ ଗଠନ କରାଯାଇଥିଲା।
ପରେ ପୋଲିସ ଟିମ୍ ସରଧାପୁର ଜଙ୍ଗଲ ଅଞ୍ଚଳରେ କୁମ୍ବିଂ ଅପରେସନ ଚଳାଇ ମୁଖ୍ୟ ଅଭିଯୁକ୍ତଙ୍କୁ କାବୁ କରିଥିଲା। ତଦନ୍ତ ସମୟରେ ହତ୍ୟାକାଣ୍ଡରେ ସହଯୋଗ କରିଥିବା ଅଭିଯୋଗରେ ଅନ୍ୟ ଦୁଇଜଣଙ୍କୁ ମଧ୍ୟ ଗିରଫ କରାଯାଇଛି।
ଗିରଫ ତିନି ଅଭିଯୁକ୍ତଙ୍କୁ ଆଇନ ଅନୁଯାୟୀ ଅଦାଲତରେ ହାଜର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।



