Spread the love

ଉତ୍ତରପ୍ରଦେଶରେ କଟିଲା ୨.୮୯ କୋଟି ମତଦାତାଙ୍କ ନାମ

ଉତ୍ତରପ୍ରଦେଶରେ ଚାଲିଥିବା ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା (ଏସ୍‌ଆଇଆର୍‌) ଅଧୀନରେ ପ୍ରାୟ ୨.୮୯ କୋଟି ମତଦାତାଙ୍କ ନାମ କଟାଯାଇଛି। ମୃତ ଓ ଅନୁପସ୍ଥିତ ଭୋଟର୍‌ଙ୍କ ନାମ ହଟାଇ ଦିଆଯାଇଥିବା ନିର୍ବାଚନ କମିସନଙ୍କ ସୂତ୍ରରୁ ଜଣାପଡ଼ିଛି। ଏହି ପ୍ରକ୍ରିୟା ଆଜି ଶେଷ ହୋଇଥିବା ବେଳେ ୩୧ ଡିସେମ୍ବରରେ ଡ୍ରାଫ୍ଟ ମତଦାତା ତାଲିକା ପ୍ରକାଶ ପାଇବ।

ନିର୍ବାଚନ କମିସନଙ୍କ ଏହି ସ୍ବତନ୍ତ୍ର ସଂଶୋଧନ ପ୍ରକ୍ରିୟା ନଭେମ୍ବର ୪ରୁ ଚାଲିଛି।ରାଜ୍ୟରେ ମୋଟ୍ ୧୫.୪୪ କୋଟି ମତଦାତା ଥିବା ବେଳେ ୯୯%ରୁ ଅଧିକ ରେକର୍ଡର ଡିଜିଟାଇଜେସନ ହୋଇଛି। ଏଥିରୁ ୧୮.୮୫% ଅର୍ଥାତ୍ ପ୍ରାୟ ୨.୮୯ରୁ ୨.୯୫ କୋଟି ମତଦାତା ଅନୁପସ୍ଥିତ, ମୃତ, ସ୍ଥାନାନ୍ତରିତ ବା ଡୁପ୍ଲିକେଟ୍ ବର୍ଗରେ ରହିଛନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଯେ ଏହି ନାମଗୁଡ଼ିକର ପୁନଃ ଯାଞ୍ଚ କରାଯାଇ ସଠିକ୍ ତାଲିକା ପ୍ରସ୍ତୁତ କରାଯିବ।ଫର୍ମ ନ ଭରିବା ବା ଅନୁପସ୍ଥିତ ରହିବା ଯୋଗୁଁ ଡ୍ରାଫ୍ଟ ଲିଷ୍ଟରୁ ନାମ ହଟିପାରେ, କିନ୍ତୁ ଆବେଦନ କରି ନାମ ଯୋଡ଼ାଯାଇପାରିବ। ଏହି ପ୍ରକ୍ରିୟାରେ ବୁଥ୍ ଲେଭଲ୍ ଅଧିକାରୀ (ବିଏଲ୍‌ଓ) ଘରକୁ ଘର ଯାଇ ଫର୍ମ ପୂରଣ କରିଛନ୍ତି। ରାଜନୈତିକ ଦଳଗୁଡ଼ିକ ମଧ୍ୟ ନିଜ କର୍ମୀଙ୍କୁ ଲଗାଇ ସମର୍ଥକଙ୍କ ନାମ କାଏମ ରଖିବାକୁ ଚେଷ୍ଟା କରିଛନ୍ତି।ପୂର୍ବରୁ ଦେଶର ୧୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏସ୍‌ଆଇଆର୍‌ ଅଧୀନରେ ପ୍ରାୟ ୩.୬୯ କୋଟି ନାମ ଡ୍ରାଫ୍ଟ ଲିଷ୍ଟରୁ ହଟାଯାଇଛି। ଏଥିରେ ତାମିଲନାଡୁରୁ ୯୭ ଲକ୍ଷ, ଗୁଜରାଟରୁ ୭୩ ଲକ୍ଷ, ମଧ୍ୟପ୍ରଦେଶରୁ ୪୨ ଲକ୍ଷ ଓ ପଶ୍ଚିମବଂଗରୁ ୫୮ ଲକ୍ଷ ନାମ ହଟିଛି। ଯୁପିରେ ଡ୍ରାଫ୍ଟ ପ୍ରକାଶ ପରେ ଭୋଟର୍‌ ତାଲିକାରେ ବଡ଼ ପରିବର୍ତ୍ତନ ସମ୍ଭାବନା ରହିଛି।୩୧ ଡିସେମ୍ବରରେ ଡ୍ରାଫ୍ଟ ଲିଷ୍ଟ ପ୍ରକାଶ ପରେ ଜାନୁଆରିରେ ଦାବି ଓ ଆପତ୍ତି ଦାଖଲ କରିବାର ସୁଯୋଗ ରହିବ। ଫେବ୍ରୁଆରିରେ ଅନ୍ତିମ ତାଲିକା ପ୍ରକାଶ ପାଇବ। ମତଦାତାମାନଙ୍କୁ ଏନ୍‌ଭିଏସ୍‌ପି ପୋର୍ଟାଲ୍ ବା ଭୋଟର ହେଲ୍ପଲାଇନ୍ ଆପ୍ ମାଧ୍ୟମରେ ନିଜ ନାମ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଉଛି। ଏହି ପ୍ରକ୍ରିୟା ମତଦାତା ତାଲିକାକୁ ସଠିକ୍ ଓ ତ୍ରୁଟିରହିତ କରିବ ବୋଲି ନିର୍ବାଚନ କମିସନ କହିଛନ୍ତି।

Leave a Reply

Your email address will not be published. Required fields are marked *