ଥାଇଲାଣ୍ଡ ଓ କାମ୍ବୋଡ଼ିଆ ସେମାନଙ୍କର ବିବାଦୀୟ ସୀମାରେ ଯୁଦ୍ଧ ବିରତି ନେଇ ସହମତ ହୋଇଛନ୍ତି। ଥାଇଲ୍ୟାଣ୍ଡର ଚାନ୍ଥାବରୀ ପ୍ରଦେଶର ଏକ ସୀମାବର୍ତ୍ତୀ ଚେକ୍ ପଏଣ୍ଟ୍ରେ ଉଭୟ ଦେଶ ଯୁଦ୍ଧବିରତି ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି । ଥାଇଲ୍ୟାଣ୍ଡର ପ୍ରତିରକ୍ଷାମନ୍ତ୍ରୀ ନାଥାପୋଲ୍ ନାକ୍ପାଲିଚ ଏବଂ କାମ୍ବୋଡ଼ିଆର ଉପ-ପ୍ରଧାନମନ୍ତ୍ରୀ ତଥା ପ୍ରତିରକ୍ଷା ମନ୍ତ୍ରୀ ଟି.ସେୟିହା ଏହି ଚୁକ୍ତିନାମାରେ ଦସ୍ତଖତ କରିଛନ୍ତି ।
ଉଭୟପକ୍ଷ ସେମାନଙ୍କର ସୀମା କମିଟିର ଏକ ସ୍ୱତନ୍ତ୍ର ବୈଠକ ଅବସରରେ ମିଳିତ ବିବୃତିରେ ଏହା ଘୋଷଣା କରିଛନ୍ତି ।ଗତ ଜୁଲାଇମାସରେ ଯୁଦ୍ଧବିରତି ଉଲ୍ଲଂଘନ ହେବା ପରେ ଚଳିତମାସ ଆରମ୍ଭରେ ଦୁଇଦେଶ ମଧ୍ୟରେ ସଂଘର୍ଷ ଅଧିକ ତୀବ୍ର ହୋଇଥିଲା । ଉଭୟ ଦେଶର ସୀମାନ୍ତ ଅନ୍ତର୍ଗତ ଡାଙ୍ଗରେକ୍ ପର୍ବତମାଳା ନିକଟରେ ଦୁଇଦେଶ ମଧ୍ୟରେ ସଂଘର୍ଷ ହେବା ସହ ପ୍ରିଆହଭିହେ ନିକଟବର୍ତ୍ତୀ ଅଞ୍ଚଳ ଉପରେ ଏହା ବେଶୀ କେନ୍ଦ୍ରୀଭୂତ ହୋଇଥିଲା ।ଏହି ମନ୍ଦିର କାମ୍ବୋଡ଼ିଆର ଏବଂ ଆଖପାଖ ଜମି ଦାବି ନେଇ ସମାଧାନ ହୋଇ ନଥିବା ପ୍ରସଙ୍ଗ ୧୯୬୨ ମସିହାରେ ଆନ୍ତର୍ଜାତିକ ନ୍ୟାୟାଳୟ ପ୍ରଦାନ କରିଥିବା ରାୟରେ ଉଲ୍ଲେଖ ରହିଛି । ଏହି ସଂଘର୍ଷ ଯୋଗୁଁ ଉଭୟ ଦେଶର ସୀମାବର୍ତ୍ତୀ ଅଞ୍ଚଳର ବହୁ ନାଗରିକ ବିସ୍ଥାପିତ ହୋଇଛନ୍ତି । ସେହିଅଞ୍ଚଳରେ ସ୍ଥିରତା ବଜାୟ ରଖିବା ସହ ସଂଯମତା ଆଚରଣ ଏବଂ ଆଲୋଚନା ମାଧ୍ୟମରେ ସମାଧାନ ଉପରେ ଆସିଆନ୍ ରାଷ୍ଟ୍ର ଗୋଷ୍ଠୀ ପରାମର୍ଶ ଦେଇଥିଲା ।



