Spread the love

ହାଙ୍ଗଝୋ,୨୪ା୯: ଚାଇନାର ହାଙ୍ଗଝୋରେ ଏସିଆନ୍‌ ଗେମ୍ସ ୧୯ତମ ସଂସ୍କରଣର ଆନୁଷ୍ଠାନିକ ଉଦ୍‌ଘାଟନ ଶନିବାର ସନ୍ଧ୍ୟାରେ ହୋଇଛି। ଏଥିରେ ଭାରତୀୟ କ୍ରୀଡା ଦଳର ନେତୃତ୍ୱ ନେଇଥିଲେ ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ହରମନ୍‌ପ୍ରୀତ୍‌ ସିଂ ଓ ଅଲିମ୍ପିକ୍ସ ପଦକ ବିଜୟିନୀ ବକ୍ସର ଲଭଲିନା ବୋର୍ଗୋହେନ୍‌। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ପରିବେଶ ସୁରକ୍ଷା ପାଇଁ ଉଦ୍ଦିଷ୍ଟ ବିଭିନ୍ନ ବୈଷୟିକ କୌଶଳର ବ୍ୟବହାର କରାଯାଥିଲା।

ଭାରତୀୟ ଖେଳାଳିଙ୍କୁ ଭିଜା ପ୍ରଦାନକୁ ନେଇ ବିବାଦ ମଧ୍ୟରେ ଚମତ୍କାର ଲେଜର ଲାଇଟ୍‌ ଶୋ ମାଧ୍ୟମରେ ଆରମ୍ଭ ହୋଇଥିଲା ଶନିବାରର ସନ୍ଧ୍ୟା। ‘ଟାଇଡ୍ସ ସର୍ଜିଙ୍ଗ ଇନ୍‌ ଏସିଆ’ ଏହି କାର୍ଯ୍ୟକ୍ରମର ଥିମ୍‌ ରହିଥିଲା। ଏସୀୟ ଦେଶର ଜନସାଧାରଣଙ୍କ ମଧ୍ୟରେ ଭଲପାଇବା, ବନ୍ଧୁତା ଓ ଏକତ୍ୱକୁ ଦର୍ଶାଇବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ରହିଥିବା ବେଳେ ଅରୁଣାଚଳ ପ୍ରଦେଶର ୩ ଭାରତୀୟ ଆଥ୍‌ଲେଟଙ୍କୁ ଭିଜା ପ୍ରଦାନ ନ କରିବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଉଦ୍‌ଘାଟନୀ ଉତ୍ସବରେ ଚାଇନାର ୧୦୦୦ ବର୍ଷର ସଭ୍ୟତା, କଳା ଓ ସଂସ୍କୃତିକୁ ଦର୍ଶାଇବାକୁ ପ୍ରୟାସ କରାଯାଇଥିଲା। ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସର ବ୍ୟବହାରରେ ବିଭିନ୍ନ ଦେଶର ଆଥ୍‌ଲେଟମାନଙ୍କ ଫ୍ଲାଗ୍‌ମାର୍ଚ୍ଚକୁ ପ୍ରଦର୍ଶିତ କରାଯାଇଥିଲା। ୪୫ ରାଷ୍ଟ୍ରର ୧୨ ହଜାର ଆଥ୍‌ଲେଟ ଏହି ଇଭେଣ୍ଟରେ ଅଂଶଗ୍ରହଣ କରିଥିବା ବେଳେ ଚାଇନା ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ପତାକା ଦେଖାଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଉଦ୍‌ଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଅଲିମ୍ପିକ୍ସ କାଉନ୍‌ସିଲ୍‌ ଅଫ୍‌ ଏସିଆର ସଭାପତି ରଣଧୀର ସିଂ, ଅନ୍ତର୍ଜାତୀୟ ଅଲିମ୍ପିକ୍ସ କାଉନ୍‌ସିଲ୍‌ ମୁଖ୍ୟ ଥୋମାସ୍‌ ବାକ୍‌, ବିଭିନ୍ନ ରାଷ୍ଟ୍ରର ମୁଖ୍ୟ, ସମସ୍ତ ଜାତୀୟ ଅଲିମ୍ପିକ୍ସ କମିଟି ସଦସ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଭାରତୀୟ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର ଓ ଭାରତୀୟ ଅଲିମ୍ପିକ୍ସ ଆସୋସିଏଶନ୍‌ ମୁଖ୍ୟ ପି.ଟି. ଉଷା ଏହି କାର୍ଯ୍ୟକ୍ରମକୁ ବୟକଟ୍‌ କରିଥିଲେ। ଅରୁଣାଚଳ ପ୍ରଦେଶର ୩ ଉଷୁ ଖେଳାଳିଙ୍କୁ ଭିଜା ନ ମିଳିବା କାରଣରୁ ଉଭୟ ଏହି ନିଷ୍ପତ୍ତି ନେଇଥିଲେ।
ପ୍ରାରମ୍ଭିକ ଭାବରେ ଏହି ଟୁର୍ନାମେଣ୍ଟ ୨୦୨୨ରେ ଆୟୋଜିତ ହେବାର ଥିଲା। ମାତ୍ର କୋଭିଡ୍‌ କାରଣରୁ ଏହି ଟୁର୍ନାମେଣ୍ଟ ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଥିଲା ଚାଇନା। ଭାରତ ଏହି ଟୁର୍ନାମେଣ୍ଟ ପାଇଁ ୬୫୫ ଜଣିଆ ଆଥ୍‌ଲେଟିକ୍ସ ଟିମ୍‌ ପଠାଇଥିଲା।

ପୁରୁଷ ଆଥ୍‌ଲେଟମାନେ ବନ୍ଧଗଳା ଜ୍ୟାକେଟ୍‌ ସହିତ ଖାକି କୁର୍ତ୍ତା ପିନ୍ଧିଥିବା ବେଳେ ମହିଳା ଆଥ୍‌ଲେଟମାନେ ହାଇ ନେକ୍‌ ବ୍ଲାଉଜ୍‌ ଓ ଖାକି ରଙ୍ଗର ଶାଢି ପିନ୍ଧିଥିଲେ। ରବିବାର ଟେନିସ୍‌ ଦଳର ମ୍ୟାଚ୍‌ ରହିଥିବାରୁ କେବଳ ରାମକୁମାର ରାମନାଥନ୍‌ ଏହି ଇଭେଣ୍ଟରେ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *