ନୁଆଦିଲ୍ଲୀ : ଦେଶର ନୂଆ CDS ଭାବେ ଦାୟିତ୍ବ ନେଲେ ଜେନେରାଲ୍ ଏନ୍.ଏସ୍. ରାଜା ସୁବ୍ରମଣୀ । ଭାରତର ତୃତୀୟ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଭାବେ ଦାୟିତ୍ୱ ନେଇେଛନ୍ତି । ଗତକାଲି ଜେନେରାଲ୍ ଅନୀଲ୍ ଚୌହାନଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଜେନେରାଲ୍ ରାଜା ସୁବ୍ରମଣୀ ଦାୟିତ୍ୱ ନେଇଛନ୍ତି । ଗତ ୯ ତାରିଖରେ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ନିଯୁକ୍ତି ଘୋଷଣା କରାଯାଇଥିଲା ।
ନୂଆ CDSଙ୍କ ମୁଖ୍ୟ ଲକ୍ଷ୍ୟ ‘JAI’ ଭିଜନ୍ । ସେନାକୁ ଆତ୍ମନିର୍ଭରଶୀଳ ଓ ଆଧୁନିକ କରିବା ଉପରେ ରହିବ ମୁଖ୍ୟ ଫୋକସ୍ । ଦାୟିତ୍ୱ ଗ୍ରହଣ କରିବା ପରେ ନୂଆ ସିଡିଏସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘JAI’ ଭିଜନ୍ – Jointness ବା ସମନ୍ୱୟ, ଆତ୍ମନିର୍ଭରଶୀଳତା ସବୁଠୁ ଅଧିକ ଜୋର୍ ଦେଇଛନ୍ତି ।
ଜେନେରାଲ୍ ଏନ୍.ଏସ୍. ରାଜା ସୁବ୍ରମଣୀ ତାମିଲନାଡୁର ମୂଳ ବାସିନ୍ଦା । ୨୧ ଜୁଲାଇ ୧୯୬୫ରେ ଜନ୍ମ ଗ୍ରହଣ କରିଥିଲେ । ୧୪ ଡିସେମ୍ବର ୧୯୮୫ରେ ଗଡ଼ୱାଲ ରାଇଫଲ୍ସର ୮ମ ବାଟାଲିୟନରେ କମିଶନର ହୋଇ ସେନାରେ ଯୋଗ ଦେଇଥିଲେ। ନ୍ୟାସନାଲ ଡିଫେନ୍ସ ଏକାଡେମୀ (NDA) ଏବଂ ଇଣ୍ଡିଆନ ମିଲିଟାରୀ ଏକାଡେମୀ (IMA)ର ଛାତ୍ର ଥିଲେ । ଏହା ସହିତ ସେ କିଙ୍ଗସ୍ କଲେଜ ଲଣ୍ଡନରୁ MA ଏବଂ ମାଡ୍ରାସ ବିଶ୍ୱବିଦ୍ୟାଳୟରୁ ପ୍ରତିରକ୍ଷା ବିଜ୍ଞାନରେ MPhil ଡିଗ୍ରୀ ହାସଲ କରିଛନ୍ତି । ନୂଆ ଦାୟିତ୍ୱ ନେବା ପୂର୍ବରୁ ସୁବ୍ରମଣୀ ଜାତୀୟ ସୁରକ୍ଷା ପରିଷଦ ସଚିବାଳୟରେ ସାମରିକ ପରାମର୍ଶଦାତା, ସେନାର ଉପମୁଖ୍ୟ ଏବଂ ସେଣ୍ଟ୍ରାଲ କମାଣ୍ଡର ମୁଖ୍ୟ ଭାବେ କାର୍ଯ୍ୟ କରିସାରିଛନ୍ତି । ଏହାସହିତ କାଜାଖସ୍ତାନରେ ଭାରତର ଡିଫେନ୍ସ ଆଟାଚ୍ ବା ପ୍ରତିରକ୍ଷା ଦୂତ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ଚୀନ୍ ଓ ପାକିସ୍ତାନ ସୀମାରେ ରଣନୀତି ପ୍ରସ୍ତୁତ କରିବା ଏବଂ ଉଚ୍ଚ ପାର୍ବତ୍ୟାଞ୍ଚଳ ଯୁଦ୍ଧ କୌଶଳରେ ସେ ଜଣେ ବିଶେଷଜ୍ଞ । ବର୍ତ୍ତମାନର ଆଞ୍ଚଳିକ ସୁରକ୍ଷା ପରିସ୍ଥିତିକୁ ଦେଖିଲେ, ସେନାର ଆଧୁନିକୀକରଣ ଏବଂ ତିନି ସେନା ମଧ୍ୟରେ ଥିବା ମତଭେଦ ଦୂର କରିବାରେ ତାଙ୍କର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ହେବ ।



