ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଜୁନ୍ ୨୦ ତାରିଖରେ ଓଡ଼ିଶା ଗସ୍ତରେ ଆସିପାରନ୍ତି। ଏହି ଅବସରରେ ସେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରେ ଏକ ବିଶାଳ ଜନସଭାକୁ ସମ୍ବୋଧନ କରିବେ ବୋଲି ସୂଚନା ମିଳିଛି। ରାଜ୍ୟରେ ବିଜେପି ସରକାରର ଦୁଇ ବର୍ଷ ପୂର୍ତ୍ତି ଓ କେନ୍ଦ୍ରରେ ଏନ୍ଡିଏ ସରକାରର ୧୨ ବର୍ଷ ପୂର୍ତ୍ତି ଅବସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଯାଉଛି।
ମିଳିଥିବା ସୂଚନା ଅନୁସାରେ, ରାଇରଙ୍ଗପୁର ସଭା ପାଇଁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ସମାବେଶରେ ବହୁ ସଂଖ୍ୟାରେ ଦଳୀୟ କର୍ମୀ, ସମର୍ଥକ ଏବଂ ସାଧାରଣ ଲୋକଙ୍କ ସମାଗମ ହେବ ବୋଲି ଆଶା କରାଯାଉଛି।
ପ୍ରସ୍ତାବିତ ଗସ୍ତ ପୂର୍ବରୁ ଓଡ଼ିଶା ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି ଯେ, ରାଜ୍ୟ ସରକାର ନିର୍ବାଚନ ସମୟରେ ଦିଆଯାଇଥିବା ଅନେକ ପ୍ରତିଶ୍ରୁତିକୁ ପୂରଣ କରିଛି। ଗତ ଦୁଇ ବର୍ଷ ମଧ୍ୟରେ ବିକାଶମୂଳକ ଯୋଜନା ଓ ଜନକଲ୍ୟାଣ କାର୍ଯ୍ୟକ୍ରମକୁ ପ୍ରାଥମିକତା ଦିଆଯାଇଥିବା ସେ କହିଛନ୍ତି। ତେବେ ଆଗାମୀ ତିନି ବର୍ଷ ମଧ୍ୟ ରାଜ୍ୟର ବିକାଶ ଯାତ୍ରା ପାଇଁ ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ମନମୋହନ ମତ ପ୍ରକାଶ କରିଛନ୍ତି।
ଖାଲି ଯେ ପ୍ରଧାନମନ୍ତ୍ରୀ ତାହା ନୁହେଁ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଓଡିଶା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଓଡିଶାର ମୟୂରଭଞ୍ଜର ଝିଅ ଦେଶରେ ସର୍ବୋଚ୍ଚ ଆସନରେ ବସି ଥିବା ବେଳେ ତାଙ୍କ ସହ ତାଙ୍କ ଗାଁ ବୁଲି ଆସିବେ ବୋଲି କଥା ଦେଇଥିଲେ ପ୍ରଧାନମନ୍ତ୍ରୀ । ସେଥିପାଇଁ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ଉଭୟ, ରାଷ୍ଟ୍ରପତିଙ୍କ ଗାଁ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।
ସେପଟେ ରାଜ୍ୟରେ ବିଜେପି ସରକାର ଗଢିବା ପରେ ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଷ୍ଟମ ଓଡିଶା ଗସ୍ତ । ଏହା ପୂର୍ବରୁ ୭ ଥର ଓଡିଶା ଆସି ସାରିଲେଣି ପ୍ରଧାନମନ୍ତ୍ରୀ । ଆଉ ଆସନ୍ତା ୨୦ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ଭାବ୍ୟ ଗସ୍ତକୁ ନେଇ ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍ସାହ ଓ ଉଦ୍ଦୀପନା ଦେଖାଦେଇଛି। ଦଳ ପକ୍ଷରୁ କୁହାଯାଇଛି ଯେ, ରାଇରଙ୍ଗପୁର ସମାବେଶ ରାଜ୍ୟରେ ସଂଗଠନକୁ ଆହୁରି ମଜବୁତ କରିବା ସହ ଆଗାମୀ ନିର୍ବାଚନ ପାଇଁ କର୍ମୀମାନଙ୍କୁ ନୂଆ ଉତ୍ସାହ ଦେବ।
ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ଆଖି ଆଗରେ ରଖି ବିଜେପି ନିଜର ଦୁଇ ବର୍ଷର ଶାସନ ସଫଳତାକୁ ଜନତାଙ୍କ ନିକଟକୁ ନେବାକୁ ଯୋଜନା କରିଛି। ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା, ବିକାଶ ପଦକ୍ଷେପ ଓ ପ୍ରଶାସନିକ ସଂସ୍କାରକୁ ନିର୍ବାଚନୀ ପ୍ରଚାରର ମୁଖ୍ୟ ପ୍ରସଙ୍ଗ କରାଯିବ।
ରାଜନୈତିକ ବିଶ୍ଳେଷକମାନଙ୍କ ମତରେ, ରାଇରଙ୍ଗପୁରରେ ହେବାକୁ ଥିବା ଏହି ସମାବେଶ ଆଗାମୀ ନିର୍ବାଚନ ପୂର୍ବରୁ ରାଜ୍ୟର ରାଜନୈତିକ ଦିଗ ନିର୍ଦ୍ଦେଶ କରିପାରେ। ଏହି ମଞ୍ଚରୁ ବିଜେପି ନିଜର ସଫଳତା ପ୍ରଦର୍ଶନ କରିବା ସହ ଭବିଷ୍ୟତ ବିକାଶ ରୂପରେଖା ମଧ୍ୟ ଉପସ୍ଥାପନ କରିପାରେ।
ଜୁନ୍ ୨୦ରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ରାଜ୍ୟ ରାଜନୀତିରେ ଉତ୍ସାହ ବଢ଼ିଥିବା ବେଳେ, ରାଇରଙ୍ଗପୁର ସଭା ଚଳିତ ବର୍ଷର ଅନ୍ୟତମ ବଡ଼ ରାଜନୈତିକ ସମାବେଶ ହେବ ବୋଲି ଚର୍ଚ୍ଚା ଜୋର ଧରିଛି।



