କେବୁଲ ଚୋରି ଘଟଣାରେ ୩ ଗିରଫ, ୨ କ୍ୱିଣ୍ଟାଲ କେବୁଲ ଜବତ
ରିପୋର୍ଟ: ସୁଶୀଲ କୁମାର ଆଇଚ
ତାଳଚେର: ତମ୍ବା କେବୁଲ ଚୋରି ଘଟଣାରେ ବିକ୍ରମପୁର ପୋଲିସ ବଡ଼ ସଫଳତା ହାସଲ କରିଛି। ପୋଲିସ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ଚୋରି ହୋଇଥିବା ପ୍ରାୟ ୨୦୦ କିଲୋଗ୍ରାମ (୨ କ୍ୱିଣ୍ଟାଲ) ଓଜନର ୫ ବଣ୍ଡଲ ଶିଳ୍ପ ତମ୍ବା କେବୁଲ ତାର ଜବତ କରିଛି। ଜବତ କେବୁଲର ଆନୁମାନିକ ମୂଲ୍ୟ ପ୍ରାୟ ୧.୩୦ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ, ତାଳଚେର ଏଫସିଆଇ ଅଞ୍ଚଳରୁ ଏହି ତମ୍ବା କେବୁଲ ଚୋରି ହୋଇଥିଲା। ଘଟଣାର ତଦନ୍ତ କରି ବିକ୍ରମପୁର ପୋଲିସ ଅଭିଯୁକ୍ତମାନଙ୍କୁ ଠାବ କରି ଗିରଫ କରିବାରେ ସଫଳ ହୋଇଛି।
ଗିରଫ ଅଭିଯୁକ୍ତମାନେ ହେଲେ ସୁମନ୍ତ ଦଳେଇ (୨୩), ରାଜା ଜେନା (୨୧) ଓ କୁଶ ବେହେରା (୧୯)। ସମସ୍ତେ ଅନୁଗୁଳ ଜିଲ୍ଲା ବିକ୍ରମପୁର ଥାନା ଅନ୍ତର୍ଗତ ଭଞ୍ଜ କଲୋନୀ ଅଞ୍ଚଳର ବାସିନ୍ଦା।
ପୋଲିସ ଜବତ କେବୁଲକୁ ଜବତ କରିବା ସହ ଅଭିଯୁକ୍ତମାନଙ୍କୁ ଅଦାଲତ ଚାଲାଣ କରିଥିବା ଜଣାପଡ଼ିଛି। ଘଟଣାରେ ଆହୁରି କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେ ନେଇ ପୋଲିସ ତଦନ୍ତ ଜାରି ରଖିଛି ।



