ମାନସିକ ଭାରସାମ୍ୟ ହରାଇ ଯୁବକଙ୍କ ଆତ୍ମହତ୍ୟା
ମହୀଧରପୁର, ୨୩/୬ : ବଅଁରପାଳ ଥାନା ଅଧୀନସ୍ଥ ମହୀଧରପୁର ଫାଣ୍ଡି ଅନ୍ତର୍ଗତ ଫୁଲପଡ଼ା ଛକରେ ବ୍ୟବସାୟ କରୁଥିବା ଭାଗିରଥୀ ବେହେରା (୫୦) ସୋମବାର ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସେ ପ୍ରାୟ ୨୦/୨୫ ବର୍ଷ ହେଲା ବ୍ୟବସାୟ କରିଆସୁଥିଲେ। ହେଲେ ଏବେ କିଛିଦିନ ହେଲା, ବ୍ୟବସାୟ ଭଲରେ ନଚାଲିବା ଯୋଗୁଁ ମାନସିକ ଭାରସାମ୍ୟ ହରାଇଥିଲେ । ସକାଳୁ ସେ ତାଙ୍କ ପତ୍ନୀଙ୍କୁ ଅନୁଗୋଳ ଯାଉଥିବା ଦର୍ଶାଇ ପାଖରେ ଏକ ସୁଇସାଇଡ଼ ନୋଟ୍ ରଖିଥିଲେ। ଏଥିରେ ବ୍ୟବସାୟ ସଠିକ୍ ରୂପେ ଚାଲୁ ନଥିବା ଦର୍ଶାଇଥିଲେ। ପରେ ନିକଟବର୍ତ୍ତୀ ଏକ ବଗିଚା ଠାରେ ଭାଗିରଥୀ ଅଟକି ପାଖରେ ରଖିଥିବା ବିଷପାନ କରିବା ସହ ଗଛରେ ଝୁଲି ଆତ୍ମହତ୍ୟା କରିଥିଲେ। କିଛି ସମୟ ପରେ ସେ ତଳେ ପଡ଼ିଯାଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଖବର ମିଳିବା ପରେ ମହୀଧରପୁର ଫାଣ୍ଡି ପୁଲିସ ଘଟଣାର ଅନୁସନ୍ଧାନ କରି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲେ। ଏଥିନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ। ମୃତଦେହ ନିକଟରେ ଭାଗିରଥୀଙ୍କ ବାଇକ୍ ଥିବା ଦେଖିବାକୁ ମିଳିଛି। ଏହି ଘଟଣା ଏଠାରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।




